ବିପନ୍ନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ଭେଟିଲେ ଉପଜିଲ୍ଲାପାଳ

ମାହାଙ୍ଗା,୨୦/୧୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ବାତ୍ୟା ଅକ୍ଵାନର ପ୍ରଭାବରେ ମାହାଙ୍ଗା ବ୍ଲକର ୩୭ ଟି ପଞ୍ଚାୟତରେ ବସବାସ କରୁଥିବା ବହୁ ଗରୀବ ଅସହାୟ ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନରେ ରଖାଯାଇପାରିବ, ସେ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବ୍ଲକ ପ୍ରଶାସନ ସଜାଗ ରହିବା ସହିତ ସମସ୍ତ ପଦକ୍ଷେପ ନେବା ଦେଖିବାକୁ ମିଳିଛି । ବିଡ଼ିଓ ତିଲୋତ୍ତମା ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ପଞ୍ଚାୟତ ସମିତି ସଭାଗୃହରେ ଏକାଧିକ ବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ବ୍ଲକର ସମସ୍ତ କର୍ମଚାରୀ, ତହସିଲ ପ୍ରଶାସନ ଏବଂ ପୋଲିସ,ସ୍ୱାସ୍ଥ୍ୟ, ପାନୀୟଜଳ ଯୋଗାଣ, ପଶୁସମ୍ପଦ ବିଭାଗର ଅଧିକାରୀମାନେ ସାମିଲ ହୋଇ, ପ୍ରଭାବିତ ପରିବାର ଗୁଡିକୁ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚ ମାନଙ୍କ ତତ୍ୱାବଧାନରେ ବିପନ୍ନ ପରିବାରକୁ ଗୁରୁବାର ରାତିଠାରୁ  ବାତ୍ୟା ଆଶ୍ରୟ କେନ୍ଦ୍ରରେ ରଖାଯାଇ,ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତ ସାମ୍ପ୍ରସାରଣ ଅଧିକାରୀ, କନିଷ୍ଠ ଯନ୍ତ୍ରୀ,ଏଡିଇଓ ମାନେ ଆଶ୍ରୟସ୍ଥଳୀରେ ଉପସ୍ଥିତି ରହିବା ଦେଖିବାକୁ ମିଳୁଛି  । ବ୍ଲକର ସବୁଠାରୁ ଅଧିକ ପ୍ରଭାବିତ ପଞ୍ଚାୟତ କୁହୁଣ୍ଡା ହୋଇଥିବାରୁ, ଏହି ପଞ୍ଚାୟତରେ ବସବାସ କରୁଥିବା ଆଦିମ ଜନ ଜାତିର ଶତାଧିକ ପରିବାର ଲୋକେ ନିକଟସ୍ଥ ୨ଟି ମୁଣ୍ଡାସାହି,ଗୋଟିଏ କେଳାସାହି ଏବଂ ବିଭିନ୍ନ ଦଳିତ ବସ୍ତିର ଲୋକମାନଙ୍କୁ ଗୁରୁବାର ଠାରୁ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀରେ ରହିବାର ବ୍ୟବସ୍ଥା ହୋଇଛି । ବାତ୍ୟା ଆଶ୍ରୟ ସ୍ଥଳୀରେ ରହୁଥିବା ଶତାଧିକ ଲୋକଙ୍କୁ ରନ୍ଧାଖାଦ୍ୟ, ଜଳଖିଆ ଯୋଗାଇ ଦିଆ ଯାଉଥିବା ବେଳେ, ସେମାନଙ୍କ ସ୍ୱାସ୍ଥବସ୍ଥା ଯାଞ୍ଚ ପାଇଁ ମେଡିକାଲ ଟିମ ପହଁଚିଛି ।ଏହି ଶିବିରରେ ରହୁଥିବା ପରିବାର ଗୁଡିକର କିପରି ଯତ୍ନ ନିଆଯାଉଛି, ଏହାର ସ୍ଥିତି ପରଖିବା ପାଇଁ ଉପଜିଲ୍ଲାପାଳ ଦିବ୍ୟରଞ୍ଜନ ସିଂ ଦେଓ,ବିଡ଼ିଓ ତିଳୋତ୍ତମା ପୃଷ୍ଟି, ଏଇଇଓ ରମାକାନ୍ତ ପାତ୍ର ପ୍ରମୁଖ କଲ୍ୟାଣପୁର ବାତ୍ୟା ଆଶ୍ରୟସ୍ଥଳୀରେ ପହଂଚି କ୍ଷେତ୍ର ପରିଦର୍ଶନ କରିଛନ୍ତି ।

 ସ୍ଥାନୀୟ କୁହୁଣ୍ଡା ପଞ୍ଚାୟତର ସରପଞ୍ଚ ନଳିନୀପ୍ରଭା ପ୍ରଧାନ ,ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ, ସମିତିସଭ୍ୟା ସୁପ୍ରଭା ସାମଲଙ୍କ ପ୍ରତିନିଧି ସମାଜସେବୀ ଅଖିଳେଶ ପଦ ମହାନ୍ତି, ପ୍ରଧାନଶିକ୍ଷୟିତ୍ରୀ ସୌଦାମିନୀ ଶରଣ, ପିଇଓ ବିଷ୍ନୁପ୍ରିୟା ସେଠୀ, ଏଡିଇଓ ବିଦୁଲତା ସିଂ, ଅଙ୍ଗନବାଡି କର୍ମୀ ଭାରତୀ ବେହେରା, ସ୍ଥାନୀୟ ୱାର୍ଡସଭ୍ୟ କୃପାମୟ ବେହେରା,ସୁମନ୍ତ ପଲେଇ,ପୂର୍ବତନ ୱାର୍ଡ ସଭ୍ୟ ମନୋଜ ଦାସ,ଧରଣୀଧର ନାୟକ,ଦିଲ୍ଲୀପ ଦାସ,ଶିକ୍ଷୟିତ୍ରୀ ସବିତା ଦାସ, ନିରୋଜା ନଳିନୀ, ସୁବର୍ଣ୍ଣା ମଞ୍ଜରୀ ମଲ୍ଲିକ, ମମତା ବିଶ୍ୱାଳ,ସ୍ୱାସ୍ଥ୍ୟକର୍ମୀ ପ୍ରେମଲତା ବେହେରା,ପୁରାତନ ଛାତ୍ର ବିଷ୍ନୁଚରଣ ବେହେରା ଏବଂ ସ୍ଥାନୀୟ ଆଶାକର୍ମୀ ମାନସୀ ଦାସ, ପରମାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି,ଆଶ୍ରୟ ସ୍ଥଳରେ ଥିବା ଶିବିରାର୍ଥୀ ମାନଙ୍କ ବିଭିନ୍ନ ଦାୟୀତ୍ୱ ବୁଝୁଛନ୍ତି ।

Leave a Reply

Your email address will not be published. Required fields are marked *