ସମୀରଙ୍କ ରଣନୀତିରେ ପ୍ରଭାତୀଙ୍କୁ ଝଟକା! ନିମାପଡ଼ା କଲେଜରେ ସମୀର ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ୍

ନିମାପଡ଼ା, ୧୫/୧୦/୨୦୨୬(ଓଡ଼ିଶା ସମାଚାର)- ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ନିମାପଡ଼ା ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଏହି ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମର୍ଥିତ ପ୍ରାର୍ଥୀଙ୍କ ସଫଳତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ଫଳାଫଳକୁ ନିମାପଡ଼ାରେ ସମୀରଙ୍କ ରାଜନୈତିକ ରଣନୀତିର ସଫଳତା ଭାବେ ତାଙ୍କ ସମର୍ଥକମାନେ ଦେଖୁଥିବା ବେଳେ ବିରୋଧୀ ଶିବିର ପାଇଁ ଏହା ଏକ ଝଟକା ବୋଲି ଚର୍ଚ୍ଚା ହେଉଛି। ନିର୍ବାଚନରେ ମୋଟ ୭୩ ପ୍ରତିଶତ ମତଦାନ ହୋଇଥିବା ବେଳେ ସଭାପତି ପଦରେ ସ୍ୱାଧୀନ ତଥା ସମୀର ଦାସଙ୍କ ପ୍ରାର୍ଥୀ ସୌମେନ୍ଦ୍ର ଭୋଳ ବିଜୟୀ ହୋଇଛନ୍ତି।

ସେ ମୋଟ ୧୦୪୧ ଖଣ୍ଡ ଭୋଟ୍ ପାଇ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏବିଭିପି ପ୍ରାର୍ଥୀ ରଶ୍ମି ରଞ୍ଜନ ପରିଡ଼ାଙ୍କୁ ପରାସ୍ତ କରିଛନ୍ତି। ରଶ୍ମି ରଞ୍ଜନ ୭୫୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ଏହି ପଦ ପାଇଁ ମୋଟ ୧୪୯୧ ଖଣ୍ଡ ଭୋଟ୍ ପଡ଼ିଥିଲା। ଅନ୍ୟପକ୍ଷରେ ସାଧାରଣ ସମ୍ପାଦକ ପଦରେ ଅମରଜିତ୍ ମହାରଥା ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇଛନ୍ତି। ସହସାଧାରଣ ସମ୍ପାଦକ ପଦରେ ସେକ୍ ଅକ୍ରମୁଲ ଆକିବ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସବ୍ୟସାଚୀ ମଲ୍ଲିକଙ୍କୁ ପରାସ୍ତ କରିଛନ୍ତି। ସେହିପରି ଏସ୍‌ଏସ୍‌ଜି ସମ୍ପାଦକ ପଦରେ ସଚିନ ମାହାରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ ରାଉତଙ୍କୁ ହରାଇ ବିଜୟୀ ହୋଇଥିବା ବେଳେ କମର୍ସ ସୋସାଇଟି ସମ୍ପାଦକ ପଦରେ ରୋହିତ ବେହେରା ସୌମ୍ୟରଞ୍ଜନ ଜେନାଙ୍କୁ ପରାସ୍ତ କରିଛନ୍ତି। ନିର୍ବାଚନ ପରିଚାଳନାରେ କଲେଜ ଅଧ୍ୟକ୍ଷଙ୍କ ଏକପାଖିଆ ଭୂମିକାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ତୀବ୍ର ନିନ୍ଦା କରାଯାଇଛି।  ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଏହା ଆରମ୍ଭ ମାତ୍ର। ଆଗକୁ ଆହୁରି ଅନେକ କିଛି ଜିତିବାର ଅଛି ଏବଂ ଲୋକଙ୍କ ପାଇଁ ବହୁତ କିଛି କରିବାର ଅଛି। ନିମାପଡ଼ା କଲେଜ ଛାତ୍ର ସଂସଦ ନିର୍ବାଚନର ଏହି ଫଳାଫଳ କେବଳ କ୍ୟାମ୍ପସ୍ ରାଜନୀତିରେ ସୀମିତ ରହିବ ନା ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ରେ ସମୀକରଣ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *