ଯାଜପୁରରେ MY Bharat ପକ୍ଷରୁ ଫିଟ୍ ଇଣ୍ଡିଆ ‘ସଣ୍ଡେ ଅନ୍ ସାଇକେଲ୍’ର ୧୦୦ତମ ସଂସ୍କରଣ ପାଳିତ

~ ଅଲିମ୍ପିକ୍ ମୂଲ୍ୟବୋଧ ଓ ଫିଟନେସ୍ ସଚେତନତା ପାଇଁ ସାଇକେଲ୍ ରାଲିରେ ୫୦ ଜଣଙ୍କ ଅଂଶଗ୍ରହଣ ~

ଯାଜପୁର, ୨୯/୧୧/୨୦୨୬(ଓଡ଼ିଶା ସମାଚାର) –  ଭାରତ ସରକାରଙ୍କ ଯୁବ କାର୍ଯ୍ୟକ୍ରମ ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବ ଭାରତ (MY Bharat), ଯାଜପୁର ପକ୍ଷରୁ ଆଜି ଯାଜପୁର ଜିଲ୍ଲାର ତଣ୍ଡରା ଗ୍ରାମଠାରେ ଫିଟ୍ ଇଣ୍ଡିଆ ଅଭିଯାନ ଅନ୍ତର୍ଗତ ‘ସଣ୍ଡେ ଅନ୍ ସାଇକେଲ୍’ର ୧୦୦ତମ ସଂସ୍କରଣ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।

ଏହି ଅବସରରେ ଆୟୋଜିତ ସାଇକେଲ୍ ରାଲିରେ ପ୍ରାୟ ୫୦ ଜଣ ସାଇକେଲ୍ ଚାଳକ ଓ ଅଂଶଗ୍ରହଣକାରୀ ଯୋଗଦେଇ ସାଇକେଲ୍ ଚାଳନା ମାଧ୍ୟମରେ ଶାରୀରିକ ସୁସ୍ଥତା, ସୁସ୍ଥ ଜୀବନଶୈଳୀ, ପରିବେଶ ସୁରକ୍ଷା ଓ ସାମାଜିକ ସହଭାଗିତାର ବାର୍ତ୍ତା ପ୍ରଚାର କରିଥିଲେ।

‘ସଣ୍ଡେ ଅନ୍ ସାଇକେଲ୍’ର ଏହି ଶତତମ ସଂସ୍କରଣ ଅଲିମ୍ପିକ୍ସର ତିନୋଟି ମୂଳ ମୂଲ୍ୟବୋଧ ଯଥା ଉତ୍କର୍ଷ, ସମ୍ମାନ ଓ ବନ୍ଧୁତ୍ୱକୁ ସମର୍ପିତ ଥିଲା। ଏହାର ବିଷୟବସ୍ତୁ ‘ପେଡାଲିଂ ଟୁୱାର୍ଡସ୍ ଇଣ୍ଡିଆସ୍ ଅଲିମ୍ପିକ୍ ଡ୍ରିମ୍’ ରହିଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କ୍ରୀଡ଼ା ଉତ୍କର୍ଷତାକୁ ପାଳନ କରିବା ସହ ନାଗରିକମାନଙ୍କୁ ନିୟମିତ ବ୍ୟାୟାମ ଓ ଫିଟନେସ୍‌କୁ ଦୈନନ୍ଦିନ ଜୀବନର ଅଭ୍ୟାସ ଭାବେ ଗ୍ରହଣ କରିବାକୁ ପ୍ରେରିତ କରାଯାଇଥିଲା। ଏଥିସହ ଭବିଷ୍ୟତରେ ଅଲିମ୍ପିକ୍ ଗେମ୍ସ ଆୟୋଜନ କରିବା ଦିଗରେ ଭାରତର ଆକାଂକ୍ଷାକୁ ମଧ୍ୟ ଏହା ପ୍ରତିଫଳିତ କରିଥିଲା।

ସୂଚନାଯୋଗ୍ୟ ଯେ, ଫିଟ୍ ଇଣ୍ଡିଆ ‘ସଣ୍ଡେ ଅନ୍ ସାଇକେଲ୍’ ଅଭିଯାନ ଡିସେମ୍ବର ୨୦୨୪ରେ କେନ୍ଦ୍ର ଯୁବ କାର୍ଯ୍ୟକ୍ରମ ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଥିଲା। ଏହା ଏକ ସାପ୍ତାହିକ ଜନଆନ୍ଦୋଳନ ଭାବେ ନାଗରିକମାନଙ୍କୁ ଶାରୀରିକ ପରିଶ୍ରମ ଓ ସାଇକେଲ୍ ଚାଳନା ପ୍ରତି ଆକୃଷ୍ଟ କରିଆସୁଛି। ଏହି ଅଭିଯାନ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ଫିଟନେସ୍ କା ଡୋଜ୍, ଆଧା ଘଣ୍ଟା ରୋଜ୍’ ଓ ‘ଫାଇଟ୍ ଏଗେନଷ୍ଟ ଓବେସିଟି’ ଆହ୍ୱାନକୁ ମଧ୍ୟ ଆଗେଇ ନେଉଛି।

ଏହି ୧୦୦ତମ ସଂସ୍କରଣ ଫିଟ୍ ଇଣ୍ଡିଆ ଆନ୍ଦୋଳନର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହା ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଫିଟନେସ୍, କ୍ରୀଡ଼ା ସଂସ୍କୃତି ଓ ଅଲିମ୍ପିକ୍ ଭାବନାର ପ୍ରସାର କରିବା ସହ ଏକ ସୁସ୍ଥ ଓ ସକ୍ରିୟ ସମାଜ ଗଠନରେ ସହାୟକ ହେଉଛି।

ଏହି ଅବସରରେ MY Bharat, ଯାଜପୁର ପକ୍ଷରୁ ଜିଲ୍ଲାର ଯୁବକଯୁବତୀ ଓ ସାଧାରଣ ନାଗରିକମାନଙ୍କୁ ନିୟମିତ ସାଇକେଲ୍ ଚାଳନା, ବ୍ୟାୟାମ ଓ ଶାରୀରିକ କାର୍ଯ୍ୟକଳାପକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବା ସହ ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ଭାରତ ଗଠନରେ ସକ୍ରିୟ ଯୋଗଦାନ ପାଇଁ ଆହ୍ୱାନ କରାଯାଇଛି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *