ନ୍ୟାୟ ନମିଳିଲେ ଆତ୍ମାହୁତି ଚେତାବନୀ ଦେଲେ ମହିଳା
କେନ୍ଦ୍ରାପଡ଼ା,୨୯/୧୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସଦର ଥାନା ପୋଲିସର କାର୍ଯ୍ୟଶୈଳୀ ଓ ପକ୍ଷପାତିତାକୁ ନେଇ ପୁଣିଥରେ ଅଭିଯୋଗ ଉଠିଛି । ଗତକାଲି ଥାନା ସମ୍ମୁଖରେ ଜଣେ ବୃଦ୍ଧ ବିଷ ପାନ କରିବା ଘଟଣା ଚର୍ଚ୍ଚାରେ ଥିବାବେଳେ, ରବିବାର ପୁଣି ଜଣେ ମହିଳା ନିଜ ମା’ଙ୍କୁ ନ୍ୟାୟ ଦେବା ଦାବିରେ ଥାନା ସମ୍ମୁଖରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ଗତ ନଭେମ୍ବର ୨୭ ତାରିଖ ମଧ୍ୟାହ୍ନରେ ସଦର ଥାନା ଅନ୍ତର୍ଗତ ମଡରପୁର ଗ୍ରାମର ବିମ୍ବଳା ଲେଙ୍କାଙ୍କୁ ଆକ୍ରମଣ କରାଯାଇଥିଲା । ଏଥିରେ ତାଙ୍କ ମୁଣ୍ଡ ଫାଟିଯିବାରୁ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଏନେଇ ବିମ୍ବଳା ୧୧୨କୁ ଫୋନ୍ କରିବା ସହ ସନ୍ଧ୍ୟାରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ପୋଲିସ ସହାୟତା ଗାଡ଼ି ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ଯାଂଚ କରିଥିବା ତାଙ୍କ ଝିଅ ପ୍ରକାଶ କରିଛନ୍ତି । ତେବେ ଅଭିଯୋଗକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବିମ୍ବଳାଙ୍କ ଝିଅ ଅଭିଯୋଗ କରିଛନ୍ତି । ନ୍ୟାୟ ପାଇଁ ବାରମ୍ବାର ଥାନାକୁ ଦୌଡ଼ିବା ସହ ଘଂଟା ଘଂଟା ଅପେକ୍ଷା କରିବାକୁ ପଡ଼ୁଥିବାରୁ ସେ ମାନସିକ ଚାପରେ ରହିଛନ୍ତି । ଆସନ୍ତାକାଲି ସୁଦ୍ଧା ଅଭିଯୋଗ ଆଧାରରେ ତଦନ୍ତ ଆଗକୁ ନବଢ଼ିଲେ ଏବଂ ନ୍ୟାୟ ନମିଳିଲେ ସେ ସଦର ଥାନା ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଗଚ୍ଚମାଧ୍ୟମ ଆଗରେ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ ଜାରି ରହିଛି ଏବଂ ଆଇନ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନିଆଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ଥାନା ସମ୍ମୁଖରେ ବୃଦ୍ଧଙ୍କ ବିଷ ପାନ ପରେ ପୁଣି ଜଣେ ମହିଳାଙ୍କ ଆତ୍ମାହୁତି ଚେତାବନୀ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
