ଭୁବନେଶ୍ୱର,୧୫/୧୦/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଦେଶରୁ ବିଦାୟ ନେଲା ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଭାରତରେ ଉତର-ପୂର୍ବ ମୌସୁମୀ ପ୍ରବେଶ । ଓଡ଼ିଶାରେ ଶୁଖିଲା ପାଗ ସହ ଆଗକୁ ଧୀରେ ଧୀରେ ଶୀତ ଆସିବ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦେଶର ସମସ୍ତ ଅଂଚଳରୁ ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏବେ ଦେଶରେ ଋତୁ ପରିବର୍ତନର ସ୍ପଷ୍ଟ ସେଙ୍କତ ଦେଖିବାକୁ ମିଳିଛି । ଉତର-ପୂର୍ବ ମୌସୁମୀ ପ୍ରଭାବରେ ଦକ୍ଷିଣ ଭାରତର ତାମିଲନାଡୁ, ପୁଡୁଚେରୀ, କେରଳ, ଉପକୂଳ ଆନ୍ଧ୍ରପ୍ରଦେଶ, ରାୟଲସୀମା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ବର୍ଷା ଆରମ୍ଭ ହୋଇଯାଇଛି । ଆଗାମୀ କିଛି ଦିନ ମଧ୍ୟରେ ତାମିଲନାଡୁ ଓ କେରଳର ଅନେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
