ରାଜ୍ୟସ୍ତରରେ ଶ୍ରେଷ୍ଠ ୨୬ଟି ପ୍ରକଳ୍ପ ମଧ୍ୟରେ ସ୍ଥାନ ପାଇଲା ‘ସ୍ଥାୟୀ କୃଷି ରକ୍ଷକ ୩୬୦ ଡିଗ୍ରୀ’
ଯାଜପୁର,୨୯/୧୧/୨୦୨୬(ଓଡ଼ିଶା ସମାଚାର) – ଯାଜପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଯମଧରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦୁଇ ଛାତ୍ର। କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ-୨୦୨୬ ନିମନ୍ତେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଜ୍ଞାନ ପ୍ରକଳ୍ପ ମନୋନୀତ ହୋଇଛି।
ଉକ୍ତ ବିଦ୍ୟାଳୟର ରସାୟନ ବିଜ୍ଞାନ ପିଜିଟି ଶିକ୍ଷକ ଚିତ୍ତରଞ୍ଜନ ସାହୁଙ୍କ ମାର୍ଗଦର୍ଶନରେ ଦଶମ ଶ୍ରେଣୀର ଛାତ୍ର ଦେବୀପ୍ରସାଦ ନାୟକ (ଦଳପତି) ଓ ନବମ ଶ୍ରେଣୀର ଛାତ୍ର ଆୟୁଷ୍ମାନ ରାଉତ (ସହଯୋଗୀ)ଙ୍କ ଦ୍ୱାରା ପ୍ରସ୍ତୁତ ‘ସ୍ଥାୟୀ କୃଷି ରକ୍ଷକ ୩୬୦ ଡିଗ୍ରୀ’ (Sustainable Agro Guardian 360 Degree) ଶୀର୍ଷକ ପ୍ରକଳ୍ପଟି ରାଜ୍ୟସ୍ତରରେ ଶ୍ରେଷ୍ଠ ୨୬ଟି ପ୍ରକଳ୍ପ ମଧ୍ୟରେ ସ୍ଥାନ ପାଇଛି।
ଭୁବନେଶ୍ୱରସ୍ଥିତ ଡୁନ୍ ଇଣ୍ଟରନ୍ୟାସନାଲ ସ୍କୁଲଠାରେ ନଭେମ୍ବର ୨୭ ଓ ୨୮ ତାରିଖରେ ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ-୨୦୨୬ ଅନୁଷ୍ଠିତ ହୋଇଥିଲା। ଏଥିରେ ଯାଜପୁର ଜିଲ୍ଲାରୁ ତିନିଜଣ ଛାତ୍ରଛାତ୍ରୀ ତିନୋଟି ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରୁଥିବା ସମାଜସେବୀ ବନମାଳୀ ସାହୁ, ନାଇଜର, ଭୁବନେଶ୍ୱରର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଡଃ ତପନ ମିଶ୍ର, ରାଜ୍ୟ ସଂଯୋଜକ ଡଃ ମନୋଜ କୁମାର ଦାସ, ରାଜ୍ୟ ଏକାଡେମିକ୍ ସଂଯୋଜିକା ପ୍ରଫେସର ଡଃ ମଧୁମିତା ଦାସ ଏବଂ ଅଧ୍ୟକ୍ଷ ଅରୁଣ କୁମାର ପତିଙ୍କ ଉପସ୍ଥିତିରେ ପ୍ରକଳ୍ପର ଦଳପତି ଦେବୀପ୍ରସାଦ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଯାଜପୁର ଜିଲ୍ଲା ସଂଯୋଜକ କୁମାରସେନ ସେନାପତି, ଜିଲ୍ଲା ଶୈକ୍ଷିକ ସଂଯୋଜକ ଡଃ ଅକ୍ଷୟ କୁମାର ପଣ୍ଡା ଏବଂ ମାର୍ଗଦର୍ଶକ ଶିକ୍ଷକ ଚିତ୍ତରଞ୍ଜନ ସାହୁ ଉପସ୍ଥିତ ଥିଲେ।
ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ବିଭୂତି ଭୂଷଣ ପଣ୍ଡା, ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁଙ୍କ ସମେତ ବହୁ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ଦୁଇ ଛାତ୍ର ଏବଂ ମାର୍ଗଦର୍ଶକ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରକାଶ ଥାଉ କି, ମନୋନୀତ ଏହି ପ୍ରକଳ୍ପଟିକୁ ଦଳପତି ଦେବୀପ୍ରସାଦ ନାୟକ ଆସନ୍ତା ଜାନୁଆରୀ ମାସର ପ୍ରଥମ ସପ୍ତାହରେ ଛତିଶଗଡ଼ର ରାୟପୁରଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ-୨୦୨୬ରେ ଉପସ୍ଥାପନ କରିବେ। ଏହା ଯାଜପୁର ଜିଲ୍ଲାର ଶିକ୍ଷା ଓ ବିଜ୍ଞାନ ଚର୍ଚ୍ଚା କ୍ଷେତ୍ରରେ ଏକ ଗୌରବମୟ ସଫଳତା।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
