ଜଗତସିଂହପୁର ୧୫/୧୦/୨୦୨୬(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ଜଗତସିଂହପୁର ଉପ ଜିଲ୍ଲାପାଳ ଙ୍କ ପ୍ରକୋଷ୍ଠରେ ଦୁର୍ଗାପୂଜା ନିମନ୍ତେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅଧ୍ୟକ୍ଷତା କରି ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ଜଗତସିଂହପୁର ସହରରେ ଚଳିତ ଦୂର୍ଗା ପୂଜା, ରାବଣ ପୋଡ଼ି ଓ ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଗାଲୁପଡ଼ା ଠାରୁ ପୋଷ୍ଟ ଅଫିସ ଛକ, କଲେଜ ଛକ ଠାରୁ ଚାଟରା ବ୍ରିଜ , ଜୀରା ଠାରୁ ଚର୍ଚ୍ଚିକା ବଜାର, କୋର୍ଟ ଛକ ଠାରୁ ଓହଳ, ସାଥୀ ଭଉଣୀ ମେଢ଼ ଠାରୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଜୟବଡ), ବଙ୍ଗଳା ଛକ ଠାରୁ ପୁରୋହିତପୁର, ଗାନ୍ଧି ଛକ ଠାରୁ ସର୍କିଟ ହାଉସ ପର୍ଯ୍ୟନ୍ତ ରାସ୍ତା ମରାମତି ଆସନ୍ତା କାଲି ସୁଦ୍ଧା ଶେଷ କରିବାକୁ ଓ ରାସ୍ତା ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଗଛର ଡାଳ ଗୁଡ଼ିକୁ କାଟିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା।
ପୂଜା ଆଉ ଦୁଇ ଦିନ ଥିବାରୁ ତ୍ୱରିତ ବେଗରେ ସମସ୍ତ କାର୍ଯ୍ୟ ସମାପନ ସହ ଏହାର ସାର୍ଟିଫିକେଟ ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓହଳି ରହିଥିବା ବିଦ୍ୟୁତ ତାର କୁ ଉପରକୁ ଉଠାଇବା, ପୂଜା ବା ଭସାଣୀ ରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ,ଷ୍ଟ୍ରିଟ ଲାଇଟ୍ ମରାମତି, ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ମେଢ଼ ନିକଟରେ ପୋଲିସ ମୁତୟନ କରିବା, ଦୂର୍ଗା ପୂଜା ସମୟରେ ଡିଜେ ନ ବଜାଇବା, ଅସ୍ଥାୟୀ ପୋଖରୀ ଖନନ କରିବା, ଦୂର୍ଗା ପୂଜା ସମୟରେ ଭାରୀ ଯାନ ଚଳାଚଳ ଉପରେ କଟକଣା ଲାଗୁ କରିବା, ପ୍ରତି ମେଢ଼ ନିକଟରେ ସଂପୃକ୍ତ କମିଟି ତରଫରୁ ସ୍ବେଛାସେବୀ ନିୟୋଜିତ କରିବା ଓ ଆବଶ୍ୟକ ସ୍ଥଳେ ସି ସି ଟି ଭି ଲଗାଇବା ,ଭସାଣୀ ଯାତ୍ରା କୁ ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବା, ଭସାଣୀ ଦିନ ମେଢ଼ ଗୁଡ଼ିକ କ୍ରମାନ୍ୱୟରେ ବସିବା ଏବଂ ରାତ୍ର ୧୦ ଘଟିକା ସୁଦ୍ଧା ମୂର୍ତ୍ତି ବିସର୍ଜନ କରିବା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଶାନ୍ତି କମିଟିର ସଦସ୍ୟ ଶ୍ରୀ ସତ୍ୟବ୍ରତ ମହାପାତ୍ର, ଶ୍ରୀ ବିନାୟକ ପଟ୍ଟନାୟକ,ଶ୍ରୀ ହେମନ୍ତ କୁମାର ରଥ,ଶ୍ରୀ ରତ୍ନାକର ବିଶ୍ଵାଳ,ଲାଲା ବିକ୍ରମ କେଶରୀ ରାୟ,ଶ୍ରୀ ରଶ୍ମିକାନ୍ତ ସାହୁ , ଶ୍ରୀରାମ କ୍ଲବ୍ ର ସମ୍ପାଦକ ଶ୍ରୀ ବିଜୟ ରାଉତ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ,ପୌର ପରିଷଦର ନିର୍ବାହୀ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
