ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା, ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଅଦାଲତ ଙ୍କ ରାୟ

କିଶନନଗର ଥାନାର ପୂର୍ବତନ ଆଇଆଇସିଙ୍କ ବଳିଷ୍ଠ ତଦନ୍ତ

କଟକ ସଦର,୧୫/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଥାନାର ପୂର୍ବତନ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତିଙ୍କ ବଳିଷ୍ଠ ତଦନ୍ତ ଯୋଗୁଁ ଜନୈକ ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଓ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଅଦାଲତ ରାୟ ଦେଇଛନ୍ତି। ପ୍ରକାଶ ଯେ ଗତ ୨୦୨୫ ଅକ୍ଟୋବର ୩୧ ତାରିଖ ରାତିରେ ଥୋରିଆପଡା ଗ୍ରାମର ଦିଲିପ କୁମାର ଭୋଇଙ୍କୁ ଘର ପାଖର ପ୍ରମୋଦ କୁମାର ଭୋଇ ଘରୁ ଡା଼କିନେଇ ସୋମପୁର ଜାଡୁଆସାହି ତାଳଦଣ୍ଡା କେନାଲ ବନ୍ଧ ରାସ୍ତାରେ ଗଳା କାଟି ନୃସଂଶ ଭାବେ ହତ୍ୟା କରି କେନାଲ ମଧ୍ୟକୁ ପକାଇ ଦେଇ ପଳାଇଥିଲା।

ପରଦିନ ସକାଳେ ରାସ୍ତାରେ ରକ୍ତ ପଡି଼ଥିବା ଏଵଂ ଦିଲିପ ଙ୍କର ମଟରସାଇକେଲ କେନାଲ ମଧ୍ୟରେ ଅଧା ବୁଡିକି ଥିବା ଦେଖିବାକୁ ମିଳିଥିଲା। କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇ ପାରିପାର୍ଶ୍ବିକ ସ୍ଥିତି କୁ ଭିତ୍ତି କରି ଅଭିଯୁକ୍ତ ପ୍ରମୋଦ କୁ ଭୁବନେଶ୍ୱରରୁ ଉଠାଇ ଆଣିଥିଲେ। ହତ୍ୟାର ଦୁଇଦିନ ପରେ ଦିଲିପ ଙ୍କର ତଣ୍ଟିକଟା ଶବ ମାଣପୁର ଠାରେ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମାମଲା ସମ୍ପର୍କରେ ପୁଲିସ ୨୦୨୫ ନଭେମ୍ବର ୩୦ ରେ ଚାର୍ଜସିଟ୍ ଦାଖଲ କରିଥିବାବେଳେ ୨୦୨୬ ଜାନୁଆରୀ ୧୯ ରେ ଚାର୍ଜ ପ୍ରେମ ହୋଇଥିଲା। ମାମଲାର ବିଚାର କରି କଟକ ତୃତୀୟ ଅତିରିକ୍ତ  ଦୌରା ଜଜ୍ ଲକ୍ଷ୍ମୀ ନାରାୟଣ ରାୟ ଚୌଧୁରୀ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଥିବା ଜଣାଯାଇଛି। ରାୟ ସମ୍ପର୍କରେ ତଦନ୍ତକାରୀ ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି କିଶନନଗର ଥାନାର ଥାନାଧିକାରୀ ମାନେଶ୍ୱର ପ୍ରଧାନ ଙ୍କ ସହିତ ମୃତକ ଦିଲିପଙ୍କ ଘରକୁ ଯାଇଁ ଅଦାଲତଙ୍କ ରାୟ ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *