ପୁରୀ,୧୬/୧୧/୨୦୨୫(ଓଡ଼ିଶା ସମାଚାର)- ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଏକ ଭାରତ ଓ ଶ୍ରେଷ୍ଠ ଭାରତର ପ୍ରତୀକ ଥିଲେ । ରାଷ୍ଟ୍ର ଭକ୍ତ, ଜାତୀୟତାବାଦୀ ଓ ଅଖଣ୍ଡ ଭାରତ ଗଠନରେ ସର୍ଦ୍ଧାରଙ୍କ ଭୂମିକା ତାଙ୍କୁ ଚିର ଅମର କରି ରଖିଥିବ ବୋଲି କହିଛନ୍ତି ପୁରୀ ଲୋକ ସଭା ସାଂସଦ ଡା ସମ୍ବିତ ପାତ୍ର । ଶନିବାର ପୂର୍ବାହ୍ନରେ ପୁରୀ ଲୋକସଭା ସାଂସଦ କ୍ଷେତ୍ର ଅନ୍ତର୍ଗତ ବ୍ରହ୍ମଗିରିର ଗଡରୋଢଙ୍ଗଠାରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । କ୍ରୀଡା ବିଭାଗ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଏହା ଆୟୋଜିତ ହୋଇଥିଲା । ଏହାକୁ ସାଂସଦ ଡା ପାତ୍ରଙ୍କ ସହ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା, ଏସପି
ପ୍ରତୀକ ସିଂ ପ୍ରମୁଖ ଉଦଘାଟନ କରିବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତି, ସର୍ଦ୍ଧାର ବଲ୍ଲଭ ଭାଇଙ୍କ ଫଟୋଚିତ୍ର,ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ସାଂସଦ ଡା ପାତ୍ର ଓ ବିଧାୟିକା ଶ୍ରୀମତୀ ମହାପାତ୍ର ସର୍ଦ୍ଧାର ପଟେଲଙ୍କ ସ୍ମୃତି ଚାରଣ କରିବା ପରେ ପଦଯାତ୍ରା କାଳିକା ବାଡ଼ି ଛକ,ଢାବା ଛକ ଦେଇ କେରାଣ୍ଡିଆ ହେଲିପ୍ୟାଡ ପଡିଆଠାରେ ପହଂଚିଥିଲା । ପଡିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡା ପାତ୍ର ଏକ ସୂତ୍ରରେ ରହିଲେ ଦେଶର ବିକାଶ ଓ ଉନ୍ନତି ସମ୍ଭବ ବୋଲି ଅନୁଭବ କରି ୫୬୦ରୁ ଊଦ୍ଧ୍ୱର୍ ରାଜରାଜୁଡା ଶାସନତନ୍ତ୍ରକୁ ଲୌହମାନବ ଭାରତ ବର୍ଷରେ ସାମିଲ କରିଥିଲେ ।
ବିଶେଷ କରି ହାଇଦ୍ରାବାଦ, ଜାମ୍ମୁ କାଶ୍ମୀର ଓ ଜୁନାଗଡ ଗଡଜାତକୁ ମିଶ୍ରଣ କରାଇବାରେ ସର୍ଦ୍ଧାର ପ୍ରମୁଖ ଭୂମିକା ନେଇଥିଲେ । ସର୍ଦ୍ଧାରଙ୍କ ବୀରତ୍ୱ, ଦେଶପ୍ରେମ ଓ ସାହସକୁ ସମ୍ମାନ ଜଣାଇ ବଲ୍ଲଭ ଭାଇଙ୍କୁ ଆଦର୍ଶ ମାନୁଥିବା ପ୍ରଧାନମନ୍ତ୍ରୀ ମୋଦି ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତି ପ୍ରତିଷ୍ଠା କରିଥିଲେ । ଦେଶର ପ୍ରତିଟି ଗ୍ରାମରୁ ସଂଗୃହୀତ ଲୁହା ବ୍ୟବହୃତ ହୋଇଥିଲା । ଚଳିତ ବର୍ଷ ମଧ୍ୟ ବନ୍ଦେ ମାତରମ ସଂଗୀତର ୧୫୦ ବର୍ଷ ପୂର୍ତିକୁ ସରକାର ପାଳନ କରୁଛନ୍ତି । କାରଣ ଏହି ସଂଗୀତ ମଧ୍ୟ ଭାରତର ଏକତା ଓ ସଂହତିର ଉଦାହରଣ ବୋଲି କହିବା ସହ ବକ୍ସି ଜଗବନ୍ଧୁଙ୍କ ବୀର ମାଟିରୁ ଏହି ପଦଯାତ୍ରା ତାଙ୍କ ପ୍ରତି ମଧ୍ୟ ଅନନ୍ୟ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ । ଲୌହମାନବଙ୍କ ଜୀବନ ଆମକୁ ଆଦର୍ଶ, ଉନ୍ନତ ରାଷ୍ଟ୍ର ନିର୍ମାଣର ପ୍ରେରଣା ଦିଏ ।
