ପ୍ରଥମ ଦିବସରେ ଆଧ୍ୟାତ୍ମିକ ନୃତ୍ୟ , ଭଜନ , ଘୋଡାନାଚ ପରିବେଷଣ
ଘଟଗାଁ, ୦୯/୦୪/୨୦୨୬ ( ଓଡିଶା ସମାଚାର )- ଘଟଗାଁ ମା ‘ ତାରିଣୀ ଠାକୁରାଣୀଙ୍କ ପ୍ରସିଦ୍ଧ ମହାବିଷୁବ ପଣା ସଂକ୍ରାନ୍ତି ପର୍ବ ବା ଚଇତି ପର୍ବ ଆଜିଠାରୁ ଆରମ୍ଭ ହୋଇଛି । ଚିରାଚରିତ ପ୍ରଥା ଅନୁଯାୟୀ ପୂଜାର୍ଚ୍ଚନ ସହିତ ମା ‘ ଙ୍କର ମାଜଣା , ମଙ୍ଗଳ ଆଳତୀ , ସୁନାବେଶ , ହୋମଯଜ୍ଞ , ଭାଗବତ ପାରାୟଣ , ଚଣ୍ଡିପାଠ ଓ ସତ୍ୟନାରାୟଣ ପୂଜା ଯଥାବିଧି ଅନୁଷ୍ଠିତ ହୋଇଥିଲା ।

ଏଥି ସହ ମନ୍ଦିର ବେଢାରେ ଘଟଗାଁ ବ୍ରାହ୍ମଣ ସମାଜ ପକ୍ଷରୁ ବ୍ରାହ୍ମ ମୁହୂର୍ତ୍ତରେ ଦେବୀ ସ୍ତୁତି ଓ ଗୀତା ପାଠ କରା ଯାଇଥିଲା । ପର୍ବର ଆଜି ପ୍ରଥମ ଦିବସରେ ସାଂସ୍କୃତିକ ମଣ୍ଡପରେ ଦେବୋତ୍ତର ଇନ୍ସପେକ୍ଟର ତ୍ରିଲୋଚନ ନାଏକ , ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି , ସୁପରିଟେଣ୍ଡେଣ୍ଟ ଅଫ ଏଣ୍ଡୋମେଣ୍ଟ ଇନ୍ସପେକ୍ଟର ଅନନ୍ତ ଚରଣ ମୁର୍ମୁ , ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି ଦିବସ ଦିବା କାର୍ଯ୍ୟକ୍ରମରେ ପ୍ରଥମ ପର୍ଯାୟରେ ମା ତାରିଣୀ ନୃତ୍ୟ ଶିକ୍ଷାକେନ୍ଦ୍ର ଘଟଗାଁ , ଆଧ୍ୟାତ୍ମିକ ନୃତ୍ୟ , ଦ୍ୱିତୀୟ ପର୍ଯ୍ୟାୟରେ ଇରା ମହାନ୍ତି ଓ ଗ୍ରୁପ ଭଜନ , ତୃତୀୟ ପର୍ଯ୍ୟାୟରେ କେନ୍ଦ୍ରାପଡା ମା ଶାରଳା ଚଇତି ଘୋଡାନାଚ ଦଳ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ । ଭକ୍ତ ମାନଙ୍କୁ ବ୍ରହ୍ମପୁର ସୌଭାଗ୍ୟରତ୍ନ ସାହୁଙ୍କ ପକ୍ଷରୁ ଅନ୍ନ ପ୍ରସାଦ ବିତରଣ କରା ଯାଇଥିଲା। ସନ୍ଧ୍ୟା କାର୍ଯ୍ୟକ୍ରମରେ ବାବାଜୀ କୃପାସିନ୍ଧୁ ଦାସ ମହାରାଜ ବଡମ୍ବା , କଟକ ଧର୍ମ ପ୍ରବଚନ ପ୍ରଦାନ କରିଥିଲେ । ଗାୟକ ବିପିନ ବିହାରୀ ଦାଶ, ଦିଗପହଣ୍ଡି , ଗଞ୍ଜାମ ଦାସକାଠିଆ ପରିବେଷଣ କରିଥିଲେ । ରାତ୍ର କାର୍ଯ୍ୟକ୍ରମରେ ଗାୟକ ବିଶାରଦ ସଚ୍ଚିଦାନନ୍ଦ ଦାଶ ଓ ଗାୟକ ଯୁବଜ୍ୟୋତି ଧିରେନ ମହାନ୍ତି ପାଲା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।
