ପଥର ଖଣି ଯାଂଚ ପାଇଁ ଆଇନଜୀବୀଙ୍କୁ ସ୍ୱତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତ କଲେ ହାଇକୋର୍ଟ

                                                           ମାମଲାର ପରବର୍ତି ଶୁଣାଣି ଅକ୍ଟୋବର ୧୫ ରେ
କଟକ,୧୫/୧୦/୨୦୨୬ (ଓଡ଼ିଶା ସମାଚାର)- ପ୍ରାକୃତିକ ସମ୍ପଦ ଗୁଡ଼ିକ ହେଉଛି ଜାତୀୟ ସମ୍ପତି ବୋଲି ହାଇକୋର୍ଟ କହିବା ସହିତ ଏହାର ଅପବ୍ୟବହାର ଓ ଚୋରିକୁ ରୋକାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଖୋର୍ଦ୍ଧା ଜିଲାରେ ବେଆଇନ ଭାବେ ପଥର ଖଣିରୁ ଖନନ କରାଯିବା ତଥା ଏହି ପ୍ରସଙ୍ଗରେ ପ୍ରଶାସନିକ ଉଦାସୀନତାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଘଟଣାର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ହାଇକୋର୍ଟ ଆଇନଜୀବୀ ତରୁଣ ପଟ୍ଟନାୟକଙ୍କୁ “ସ୍ୱତନ୍ତ୍ର ଅଧିକାରୀ’ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ସ୍ୱତନ୍ତ୍ର ଅଧିକାରୀ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ସେଠାରେ କଳା ପଥର ଖନନ ଓ ଉତୋଳନ ହେଉଛି କି ନାହିଁ, ସେନେଇ ରିପୋର୍ଟ ଆଗାମୀ ଶୁଣାଣିରେ ଦାଖଲ କରିବେ । ସ୍ୱତନ୍ତ୍ର ଅଧିକାରୀଙ୍କୁ ସୁରକ୍ଷା ଓ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ପାଇଁ ସ୍ଥାନୀୟ ପୁଲିସ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ଅଧିକାରୀଙ୍କ ପ୍ରାପ୍ୟ ବାବଦରେ ୩୪ହଜାର ଟଙ୍କା ଆବେଦନକାରୀ ପ୍ରଦାନ କରିବେ ।

ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଜ୍ଞାପାରମିତା ପାଢ଼ୀଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦେଶ ପ୍ରଦାନ କରିଛନ୍ତି । ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ସମସ୍ତ ଆନୁଷଙ୍ଗିକ ଆଇନଗତ ପ୍ରକ୍ରିୟା, କାଗଜପତ୍ର ଦାଖଲ ଓ ଔପଚାରିକତା ପୂରଣ କରିବା ସତ୍ୱେ ପ୍ରଶାସନ ପକ୍ଷରୁ ତାଙ୍କୁ ପଥର ଖଚ୍ଚି ବାବଦରେ ଆବଶ୍ୟକ ଅନୁମତି ଓ ସୁବିଧା ଦିଆଯାଉ ନାହିଁ । ଓଲଟା ପ୍ରଶାସନ ବେଆଇନ ଖଣି ଖନନ କାର୍ଯ୍ୟକୁ ପ୍ରଶ୍ରୟ ଦେଉଛି । ଏ ନେଇ ଗୁଗୁଲ ଆପ୍ ଜରିଆରେ ଉତୋଳିତ କିଛି ଫଟୋଚିତ୍ର ମଧ୍ୟ ଶୁଣାଣି ବେଳେ ଉପସ୍ଥାପନ କରାଯାଇଥିଲା । ବେଆଇନ ବ୍ଲାଷ୍ଟିଂ ଓ ପଥର ପରିବହନ ସଂକ୍ରାନ୍ତରେ ଏଥିରୁ ସ୍ପଷ୍ଟ ହୋଇଥିଲା । ହାଇକୋର୍ଟ ଏହି ମାମଲାକୁ ଗୁରୁତ୍ୱର ସହିତ ଗ୍ରହଣ କରି କହିଛନ୍ତି ଯେ, ପ୍ରାକୃତିକ ସମ୍ପଦ ହେଉଛି ଜାତୀୟ ସମ୍ପତି । ଏହାର ଅପବ୍ୟବହାର ବା ଚୋରିକୁ ରୋକିବା ପାଇଁ ସୁପ୍ରିମକୋର୍ଟ ତଥା ହାଇକୋର୍ଟ ପୂର୍ବରୁ ମଧ୍ୟ କଡ଼ା ନିର୍ଦେଶ ଦେଇଆସିଛନ୍ତି । ମାମଲାର ପରବର୍ତି ଶୁଣାଣି ଅକ୍ଟୋବର ୧୫କୁ ଧାର୍ଯ୍ୟ କରାଯାଇଛି । ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଛନ୍ତି ।

Leave a Reply

Your email address will not be published. Required fields are marked *