ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର: ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ

ଭୁବନେଶ୍ୱର,୧୪/୧୦/୨୦୨୬(ଓଡ଼ିଶା ସମାଚାର)-ଚିକିତ୍ସା ବିଜ୍ଞାନର ଉନ୍ନତ କୌଶଳ, ଅଭିଜ୍ଞତା ଓ ନିଷ୍ଠାର ଆଉ ଏକ ଉଦାହରଣ ସୃଷ୍ଟି କରିଛି ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ। ଏକ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଭାବେ କଟି ଶରୀରରୁ ଅଲଗା ହୋଇଯାଇଥିବା ଜଣେ ୩୭ ବର୍ଷୀୟ ଯୁବକଙ୍କ ବାମ ହାତକୁ ଦୀର୍ଘ ୬ ଘଣ୍ଟାର ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ପୁନଃ ସଂଯୋଗ କରିବାରେ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରୀ ଦଳ ସଫଳ ହୋଇଛନ୍ତି। ଚିକିତ୍ସା ପରେ ଯୁବକ ଜଣକ ହସ୍ପିଟାଲରୁ ନିଜ ଘରକୁ ଫେରିଛନ୍ତି।

ଘଟଣାଟି ଗତ ସେପ୍ଟେମ୍ବର ୧ ତାରିଖ ସକାଳେ ସମ୍ବଲପୁରରେ ଘଟିଥିଲା। ଘାସ କାଟିବା ପାଇଁ ବ୍ୟବହୃତ ଏକ ମେସିନ୍ ଚଳାଉଥିବା ସମୟରେ ଯୁବକଙ୍କ ବାମ ହାତ ମେସିନ୍‌ରେ ପଶିଯାଇଥିଲା। ଫଳରେ ତାଙ୍କ ହାତଟି ମଣିବନ୍ଧ ନିକଟରୁ ସମ୍ପୂର୍ଣ୍ଣ କଟି ଶରୀରରୁ ଅଲଗା ହୋଇଯାଇଥିଲା। ଏଥିସହ ହାତର ପାପୁଲି ଉପର ଭାଗରେ ଦୁଇଟି ଗଭୀର କ୍ଷତ ମଧ୍ୟ ସୃଷ୍ଟି ହୋଇଥିଲା।

ପ୍ରଥମେ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ। ସେଠାରେ ଏହି ଜଟିଳ ଆଘାତର ଚିକିତ୍ସା ସମ୍ଭବ ନୁହେଁ ବୋଲି ଜାଣିବା ପରେ ପରିବାର ସଦସ୍ୟମାନେ ଚିନ୍ତିତ ହୋଇପଡ଼ିଥିଲେ। ପରେ ବିଳମ୍ବ ନକରି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱରର ନୀଳାଦ୍ରି ବିହାରସ୍ଥିତ ରାଜ୍ୟର ଭରସାଯୋଗ୍ୟ ସୁପର ମଲ୍ଟିସ୍ପେସିଆଲିଟୀ ଉତ୍କଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ହସ୍ପିଟାଲରେ ପହଞ୍ଚିବା ପରେ ବରିଷ୍ଠ ପ୍ଲାଷ୍ଟିକ୍ ଓ କସ୍ମେଟିକ୍ ସର୍ଜରୀ ବିଶେଷଜ୍ଞ ଡା. ଜି. ଅରବିନ୍ଦ ମହାପାତ୍ରଙ୍କ ନେତୃତ୍ୱରେ  ଅନ୍ୟାନ୍ୟ ଅଭିଜ୍ଞ ସଦସ୍ୟଙ୍କୁ ନେଇ ଗଠିତ ଡାକ୍ତରୀ ଦଳ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ। ଦୀର୍ଘ ୬ ଘଣ୍ଟା ଧରି ଚାଲିଥିବା ଏହି ଜଟିଳ ଅସ୍ତ୍ରୋପଚାରରେ ଡାକ୍ତରମାନେ କଟିଯାଇଥିବା ବାମ ହାତକୁ ପୁନଃ ସଂଯୋଗ କରିବାରେ ସଫଳ ହୋଇଥିଲେ। ଏଭଳି ଗୁରୁତର ଆଘାତରେ ଅଙ୍ଗ ପୁନଃ ସଂଯୋଗ ଏକ ଅତ୍ୟନ୍ତ ଜଟିଳ ଚିକିତ୍ସା ପ୍ରକ୍ରିୟା, ଯେଉଁଥିରେ ସୂକ୍ଷ୍ମ ରକ୍ତନଳୀ, ସ୍ନାୟୁ ଓ ଅନ୍ୟାନ୍ୟ ଗଠନର ମରାମତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ଚିକିତ୍ସା ପରେ ଯୁବକ ଜଣକ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଏହି ସଫଳ ଚିକିତ୍ସା ପାଇଁ ତାଙ୍କ ପରିବାର ପକ୍ଷରୁ ଡା. ଜି. ଅରବିନ୍ଦ ମହାପାତ୍ର, ସମଗ୍ର ଡାକ୍ତରୀ ଦଳ ଓ ଉତ୍କଳ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି।

ଏହି ସଫଳତାରେ ଆନନ୍ଦ ପ୍ରକାଶ କରି ଆମେରିକାରେ ଅବସ୍ଥାନ କରୁଥିବା ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ୍ ଡା. ଅଦିତ୍ୟ କୁମାର ସାମଲ, ପ୍ରତିଷ୍ଠାତା ନିର୍ଦ୍ଦେଶକ ଡା. କଲ୍ୟାଣ କୁମାର ରଥ, ଡା. ଅରୁଣ କୁମାର ମହାନ୍ତି, ମ୍ୟାନେଜିଂ ଡାଇରେକ୍ଟର ଡ. ପ୍ରଜ୍ଞାନ ରଞ୍ଜନ ଘଡ଼େଇ, ନିର୍ଦ୍ଦେଶକ ଶ୍ରୀ ସୁବ୍ରତ ଦାସ, ନିର୍ଦ୍ଦେଶକ ଶ୍ରୀ ଶୈଳେନ୍ଦ୍ର ନାରାୟଣ ପଣ୍ଡା ଏବଂ ସିଇଓ ଶ୍ରୀ ବି. କେ. ସୁବୋଧ ସିଂହଙ୍କ ସମେତ ହସ୍ପିଟାଲର ନିର୍ଦ୍ଦେଶକମଣ୍ଡଳୀ ଡା. ଜି. ଅରବିନ୍ଦ ମହାପାତ୍ର,ସିନିୟର୍ କନସଲଟାଣ୍ଟ ପ୍ଲାଷ୍ଟିକ ଏବଂ କସ୍ମେଟିକ୍ ସର୍ଜରୀ, ଡା. ପ୍ରତ୍ୟୁଷା ପ୍ରିୟଦର୍ଶିନୀ, କନସଲଟାଣ୍ଟ ,ଡା‌ ଭିଭେକ୍ ଭଣ୍ଡାରୀ,  ଆସୋସିଏଟ୍   କନସଲଟାଣ୍ଟ ଓ ସମଗ୍ର ଚିକିତ୍ସା ଦଳକୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ନିଷ୍ଠା ଓ ଦକ୍ଷତାର ପ୍ରଶଂସା କରିଛନ୍ତି।

ରାଜ୍ୟର ଭରସାଯୋଗ୍ୟ ସୁପର ମଲ୍ଟିସ୍ପେସିଆଲିଟୀ ଉତ୍କଳ ହସ୍ପିଟାଲ ସର୍ବଦା ଆଧୁନିକ ଚିକିତ୍ସା ପ୍ରଯୁକ୍ତି, ଉନ୍ନତ ଚିକିତ୍ସା ପଦ୍ଧତି ଓ ଦକ୍ଷ ବିଶେଷଜ୍ଞଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ଗୁଣାତ୍ମକ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପ୍ରତିବଦ୍ଧ। ଏଭଳି ଜଟିଳ ଓ ବିରଳ ଅସ୍ତ୍ରୋପଚାରର ସଫଳତା ହସ୍ପିଟାଲର ଚିକିତ୍ସାଗତ ଦକ୍ଷତା ଓ ରୋଗୀସେବା ପ୍ରତି ନିଷ୍ଠାକୁ ପ୍ରତିଫଳିତ କରୁଛି। ଭବିଷ୍ୟତରେ ମଧ୍ୟ ଏଭଳି ଉନ୍ନତ ଓ ଜଟିଳ ଚିକିତ୍ସା ସେବା ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଉତ୍କଳ ହସ୍ପିଟାଲ ଦୃଢ଼ ପ୍ରତିବଦ୍ଧ।

Leave a Reply

Your email address will not be published. Required fields are marked *