ବିଦ୍ୟାଳୟରେ ପାଠପଢାଇଲେ ଜିଲାପାଳ

ବୋର୍ଡ ପରୀକ୍ଷା ପ୍ରସ୍ତୁତି ନେଇ ଛାତ୍ରଛାତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର
କେନ୍ଦ୍ରାପଡ଼ା,୨୮/୧୧/୨୦୨୬ (ଓଡ଼ିଶା ସମାଚାର)- ଜିଲାରେ ଶିକ୍ଷା ବ୍ୟବସ୍ଥାର ଗୁଣତ୍ମକ ମାନ ବୃଦ୍ଧି ତଥା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶକୁ ପ୍ରାଥମିକତା ଦେଇ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟର କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ଗ୍ରାମପଂଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଗସ୍ତ ଅବସରରେ ଜିଲାପାଳ ବିଦ୍ୟାଳୟର ସାମଗ୍ରିକ ଶୈକ୍ଷିକ ପରିବେଶ, ଭିତିଭୂମି ଓ ପରିଚାଳନା ବ୍ୟବସ୍ଥାର ତନ୍ନ ତନ୍ନ କରି ଅନୁଧ୍ୟାନ କରିଥିଲେ । ପ୍ରଥମେ ସେ ବିଦ୍ୟାଳୟର ଉପସ୍ଥାନ ଖାତା ଯାଂଚ କରିବା ସହ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥିତି ଉପରେ ଗୁରୁତ୍ୱ ଦେଇଥିଲେ । ପରିଦର୍ଶନ ସମୟରେ ଜିଲାପାଳ ବିଭିନ୍ନ ଶ୍ରେଣୀଗୃହ ବୁଲି ଦେଖିବା ସହ କିଛି ସମୟ ପାଇଁ ନିଜେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ ।

ସେ ଅତି ସରଳ ଓ ବୋଧଗମ୍ୟ ଭାଷାରେ ବିଭିନ୍ନ ବିଷୟ ବୁଝାଇବା ସହ ପିଲାମାନଙ୍କୁ ପ୍ରଶ୍ନ ପଚାରି ସେମାନଙ୍କ ଜ୍ଞାନର ପରୀକ୍ଷା କରିଥିଲେ । ଜିଲାପାଳଙ୍କ ଏଭଳି ଶିକ୍ଷାଦାନ ଶୈଳୀରେ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ । ଏହା ସହିତ ବିଦ୍ୟାଳୟରେ ଚାଲିଥିବା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ କକ୍ଷ ବୁଲି ଦେଖିବା ସହ ପିଲାଙ୍କ ମୌଳିକ ଶିକ୍ଷାଦକ୍ଷତା ବିକାଶ ପାଇଁ ବ୍ୟବହୃତ ହେଉଥିବା ଶିକ୍ଷଣ ସାମଗ୍ରୀ ଗୁଡ଼ିକର ତଦାରଖ କରିଥିଲେ । ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ମଧ୍ୟ ଜିଲାପାଳ ସମୀକ୍ଷା କରିଥିଲେ । ରୋଷେଇ ଶାଳାର ସ୍ୱଚ୍ଛତା, ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଏବଂ ମଧ୍ୟାହ୍ନ ଭୋଜନର ଗୁଣାତ୍ମକ ମାନ ଯାଂଚ କରି ଏହାର ସୁପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପିଲାମାନଙ୍କୁ ଯେପରି ପୁଷ୍ଟିକର ଓ ସ୍ୱଚ୍ଛ ଖାଦ୍ୟ ମିଳିପାରିବ ସେଥିପ୍ରତି ସଜାଗ ରହିବାକୁ ସେ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ ।

ଏହି ଅବସରରେ ଜିଲାପାଳ ଶ୍ରୀ ଆୟର ସିଧାସଳଖ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରି ସେମାନଙ୍କ ପାଠପଢ଼ା, ସମସ୍ୟା ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଆଗାମୀ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନେ ଏବେଠାରୁ ସମୟର ସଦୁପଯୋଗ କରିବା ସହ ନିୟମିତ ଅଧ୍ୟୟନ, ପାଠ୍ୟକ୍ରମର ପୁନରାବୃତି ଏବଂ ନିରନ୍ତର ଅଭ୍ୟାସ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ । ପରୀକ୍ଷାକୁ ଭୟ ନ କରି ଆତ୍ମବିଶ୍ୱାସ, ଏକାଗ୍ରତା ଓ କଠିନ ପରିଶ୍ରମ ବଳରେ ଆଗକୁ ବଢ଼ିଲେ ସଫଳତା ନିଶ୍ଚୟ ମିଳିବ ବୋଲି କହି ସେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଛାତ୍ରଛାତ୍ରୀମାନେ ନିଜର ରୁଚି ଓ ଦକ୍ଷତା ଅନୁଯାୟୀ ଭବିଷ୍ୟତର ବୃତି ଚୟନ କରିବା ପାଇଁ ସରକାରଙ୍କ ପକ୍ଷରୁ ଉପଲବ୍ଧ ବୃତିଗତ ପରାମର୍ଶ ପୋର୍ଟାଲର ସହାୟତା ନେବାକୁ ଜିଲାପାଳ ଆହ୍ୱାନ ଦେଇଥିଲେ ।

ଏହି ପୋର୍ଟାଲ ମାଧ୍ୟମରେ ବିଭିନ୍ନ ଉଚ୍ଚଶିକ୍ଷା, ବୃତିଗତ ପାଠ୍ୟକ୍ରମ ଏବଂ ନିଯୁକ୍ତି ସୁଯୋଗ ସମ୍ପର୍କରେ ସଠିକ୍ ଓ ବିସ୍ତୃତ ତଥ୍ୟ ମିଳିପାରିବ ବୋଲି ସେ ସୂଚନା ଦେଇଥିଲେ । ପରିଶେଷରେ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ଶତପ୍ରତିଶତ ଉପସ୍ଥାନ ବଜାୟ ରଖିବା ଏବଂ ଏକ ସୁସ୍ଥ ଓ ଉତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଜିଲାପାଳ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦାସଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିର୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *