କେନ୍ଦ୍ରାପଡ଼ା,୨୮/୧୧/୨୦୨୬ (ଓଡ଼ିଶା ସମାଚାର)- ପୋଲିସ ନିକଟରୁ ନ୍ୟାୟ ପାଇବା ଆଶାରେ ବାରମ୍ବାର କେନ୍ଦ୍ରାପଡା ସଦର ଥାନାକୁ ଦୌଡ଼ି ଦୌଡି ନିରାଶ ହେବା ପରେ ଜନୈକ ବୃଦ୍ଧ ଶେଷରେ ଶନିବାର ଥାନା ପରିସରରେ ବିଷ ପାନ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାୟରେ ଭର୍ତି କରାଯାଇଥିବା ବେଳେ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଅଭାବନୀୟ ଘଟଣା ସମଗ୍ର କେନ୍ଦ୍ରାପଡ଼ା ଜିଲାରେ ଚାଂଚଲ୍ୟ ଖେଳାଇ ଦେଇଥିବା ବେଳେ ପୋଲିସର କାର୍ଯ୍ୟଶୈଳୀ ଓ ସମ୍ବେଦନଶୀଳତା ଉପରେ ଏହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଷ ପାନ କରିଥିବା ବୃଦ୍ଧ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମ ପଂଚାୟତ ଅଧୀନ ବାଇପୁର ଗ୍ରାମର ଶିବ ସୁନ୍ଦର ପ୍ରଧାନ । ମିଳିଥିବା ସୂଚନା ଅନୁଯାୟୀ ଶିବ ସୁନ୍ଦର ଗତ ବର୍ଷେ ହେବ ନିଜ ପୁଅ ଓ ବୋହୂଙ୍କ ଦ୍ୱାରା ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହୋଇ ଆସୁଥିଲେ ।
ଏହି ନିର୍ଯାତନାରୁ ମୁକ୍ତି ପାଇବା ପାଇଁ ଏବଂ ଆଇନଗତ ସହାୟତା ଆଶାରେ ସେ ଗତ ଜୁନ ମାସ ୯ତାରିଖରୁ ନିୟମିତ ଭାବେ କେନ୍ଦ୍ରାପଡ଼ା ସଦର ଥାନାକୁ ଦୌଡ଼ୁଥିଲେ । ମାତ୍ର ଥାନାରେ ତାଙ୍କର କୌଣସି ଅଭିଯୋଗ ଗ୍ରହଣ କରାଯାଉ ନଥିଲା କିମ୍ବା ତାଙ୍କୁ ଉଚିତ ନ୍ୟାୟ ମିଳୁ ନଥିଲା । ଅଭିଯୋଗ ଅନୁସାରେ, ଶିବ ସୁନ୍ଦର ପ୍ରତିଦିନ ସକାଳ ୧୦ଟାରୁ ଥାନାକୁ ଆସି ବାହାରେ ଅପେକ୍ଷା କରି ରହୁଥିଲେ । କିନ୍ତୁ ଥାନାଧିକାରୀ ଦିନ ୧ଟା ବେଳେ ଥାନାକୁ ଆସୁଥିଲେ ଏବଂ ମାତ୍ର କିଛି ସମୟ ରହି ପୁଣି ପଳାଉଥିଲେ । ଏହାପରେ ରାତି ୮ଟା ପର୍ଯ୍ୟନ୍ତ ଆଉ ଥାନାକୁ ଫେରୁ ନଥିଲେ । ଫଳରେ ଏହି ବୟୋଜ୍ୟେଷ୍ଠ ବ୍ୟକ୍ତି ଜଣକ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭୋକ ଉପାସରେ ଥାନା ପରିସରରେ ବସି ରହି ଶେଷରେ ନିରାଶ ହୋଇ ଘରକୁ ଫେରୁଥିଲେ । ଥାନାରେ ଉପସ୍ଥିତ ଥିବା ଅନ୍ୟ ପୋଲିସ ଅଧିକାରୀମାନଙ୍କୁ ନିଜ ଦୁଃଖ ଜଣାଇଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନଥିଲେ । ଥାନାଧିକାରୀ ମାଡାମ ଆସିଲେ ସେ ହିଁ ଏହାର ବିଚାର କରିବେ ବୋଲି କହି ଅନ୍ୟ କର୍ମଚାରୀମାନେ ତାଙ୍କୁ ଏଡ଼ାଇ ଦେଉଥିଲେ । ଅନ୍ୟପଟେ ଥାନାଧିକାରୀ ତାଙ୍କୁ ଦେଖା ଦେଉ ନଥିଲେ କିମ୍ବା ତାଙ୍କ ଅଭିଯୋଗ ପ୍ରତି କୌଣସି କର୍ଣ୍ଣପାତ କରୁ ନଥିଲେ ।
ଦୀର୍ଘ ୫ ମାସରୁ ଉଦ୍ଧ୍ୱର୍ ହେବ ଏଭଳି ମାନସିକ ଚାପ ଓ ପୋଲିସର ଅବହେଳାରେ ଅତିଷ୍ଠ ହୋଇ ଶିବ ସୁନ୍ଦର ଶନିବାର ଚରମ ପଦକ୍ଷେପ ନେଇଥିଲେ । ଥାନା ପକ୍ଷରୁ ତାଙ୍କୁ ଆଜି ଫୋନ କରି ଡକାଯାଇଥିଲା । ଥାନାରୁ ଫୋନ ପାଇ ସେ ସଦର ଥାନାକୁ ଆସିଥିବା ବେଳେ ନ୍ୟାୟ ନ ମିଳିବାରୁ ଥାନା ପରିସରରେ ହିଁ ବିଷ ପାନ କରିଦେଇଥିଲେ । ସେଠାରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୂର୍ବରୁ ମଧ୍ୟ ବିଭିନ୍ନ ଘଟଣାରେ ଲୋକମାନେ ଅଭିଯୋଗ ନେଇ ସଦର ଥାନାକୁ ଯାଇଥିବା ବେଳେ ସେଠାରୁ ନ୍ୟାୟ ନପାଇ ଫେରିଥିବା ସମ୍ପର୍କରେ କେନ୍ଦ୍ରାପଡା ଏସପିଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସିଛି । ଏଥିସହିତ କେନ୍ଦ୍ରାପଡ଼ା ସଦର ଥାନାଧିକାରୀଙ୍କ କାର୍ଯ୍ୟକଳାପ ବିରୁଦ୍ଧରେ ମଧ୍ୟ ବାରମ୍ବାର ଅଭିଯୋଗ ଉଠିଥିଲା । କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କ ଚୋରି ହୋଇଥିବା ବାଇକକୁ ପୋଲିସ ଉଦ୍ଧାର କରିଥିବା ବେଳେ ଥାନାଧିକାରୀ ତାହାକୁ ହସ୍ତାନ୍ତର କରିନଥିଲେ । ଏହି ଘଟଣାରେ ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ ଥାନାକୁ ଯାଇଥିବା ବେଳେ ଥାନାଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା ।
ଏହାର ପ୍ରତିବାଦରେ ଶ୍ରୀମତୀ ସେଠୀ ନିଜ ସମର୍ଥକଙ୍କ ସହ ଥାନା ଘେରାଉ କରି ଧାରଣା ଦେବା ସହ ଥାନାଧିକାରୀଙ୍କ ବଦଳି ଦାବି କରିଥିଲେ । ଏହାବ୍ୟତିତ ଗତ ଗଜଲକ୍ଷ୍ମୀ ପୂଜା ସମୟରେ କେନ୍ଦ୍ରାଂଚଳ ଆଇଜି ଡ. ସତ୍ୟଜିତ ନାୟକ କେନ୍ଦ୍ରାପଡା ଆସିଥିବା ବେଳେ ତାଙ୍କୁ ଶତାଧିକ ମହିଳା ପୁରୁଣା ବସଷ୍ଟାଣ୍ଡସ୍ଥିତ ପୋଲିସ ଫାଣ୍ଡିରେ ଭେଟି ସଦର ଥାନାଧିକାରୀଙ୍କ ବିରୁଦ୍ଧରେ ଏକ ତଥ୍ୟମୂଳକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ଆଇ ଜି ଡ. ନାୟକ ଗଜଲକ୍ଷ୍ମୀ ପୂଜା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ । କିନ୍ତୁ ସେହି ପ୍ରତିଶୃତି କେବଳ ପ୍ରତିଶୃତିରେ ହିଁ ରହିଯାଇଥିଲା । ଶନିବାରର ଏହି ଘଟଣା ପରେ ବିଜେପି ନେତ୍ରୀ ଶ୍ରୀମତୀ ସେଠୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପୋଲିସର ନିଷ୍କ୍ରିୟତା ଓ ଲାଂଚଖୋର ମନୋଭାବ ବିରୁଦ୍ଧରେ ସେ ପୂର୍ବରୁ ସ୍ୱର ଉତୋଳନ କରିଥିଲେ । ଯଦି ସେତେବେଳେ ସମ୍ପୃକ୍ତ ଥାନାଧିକାରୀଙ୍କୁ ବଦଳି କରାଯାଇଥାନ୍ତା, ତେବେ ଆଜି ଥାନା ପରିସରରେ ଜଣେ ଅସହାୟ ବୃଦ୍ଧଙ୍କୁ ବିଷ ପିଇବାକୁ ପଡ଼ି ନଥାନ୍ତା । ସେ ଥାନାଧିକାରୀଙ୍କ ଏଭଳି ଅମାନବୀୟ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିଛନ୍ତି । ଅନ୍ୟପକ୍ଷରେ ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଘଟଣାର ନିରପେକ୍ଷ ଅନୁସନ୍ଧାନ କରାଯିବ ଏବଂ ତଦନ୍ତ ରିପୋର୍ଟ ଆଧାରରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
