କେନ୍ଦ୍ରାପଡ଼ା,୧୪/୧୦/୨୦୨୬ (ଓଡ଼ିଶା ସମାଚାର)-ଆସନ୍ତାକାଲି ୧୫ ଅକ୍ଟୋବରରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ, ଅବାଧ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଜିଲାପାଳ ରଘୁରାମ ଆର. ଆୟର ଏବଂ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଆଜି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ନିର୍ବାଚନ ପରିଚାଳନା, ସୁରକ୍ଷା ବ୍ୟବସ୍ଥା, ମତଦାନ ପ୍ରକ୍ରିୟାର ସୁପରିଚାଳନା ଏବଂ ମହାବିଦ୍ୟାଳୟ ପରିସରରେ ଆଇନଶୃଙ୍ଖଳା ବଜାୟ ରଖିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ନିର୍ବାଚନ ସମୟରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ସହ ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ନିର୍ବାଚନ ସମୟରେ ମହାବିଦ୍ୟାଳୟ ପରିସରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ଓ ନିର୍ବାଚନ ପରିଚାଳନାରେ ନିୟୋଜିତ ଅଧିକାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଉପରେ ଆଲୋଚନା ହୋଇଥିଲା । ଏଥିସହ ପ୍ରଶାସନ ଓ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ବାଚନ ପରିଚାଳନାର ସମସ୍ତ ଦିଗ ପ୍ରତି ସତର୍କ ଦୃଷ୍ଟି ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଛାତ୍ର ସଂସଦ ନିର୍ବାଚନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ଦକ୍ଷତା ଓ ଦାୟିତ୍ୱବୋଧର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ।
ଏହି ପରିପ୍ରେକ୍ଷୀରେ ନିର୍ବାଚନ ପ୍ରକ୍ରିୟାରେ ଶୃଙ୍ଖଳା, ସଂଯମତା ଓ ପାରସ୍ପରିକ ସମ୍ମାନ ବଜାୟ ରଖିବା ସହ ଗଣତାନ୍ତ୍ରିକ ପଦ୍ଧତିରେ ଅଂଶଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଛି । ନିର୍ବାଚନ ସମୟରେ ଉତେଜନା, ବିଶୃଙ୍ଖଳା କିମ୍ବା ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ସମସ୍ତ ସମ୍ପୃକ୍ତ ପକ୍ଷ ସତର୍କ ରହିବା ସହ ପ୍ରଶାସନ ଓ ପୋଲିସକୁ ସହଯୋଗ କରିବା ଆବଶ୍ୟକ । ଏକ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶରେ ନିର୍ବାଚନ ସମ୍ପନ୍ନ କରିବା ପାଇଁ ଜିଲା ପ୍ରଶାସନ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦେଇଛି ।ଏହି ସମୀକ୍ଷା ବୈଠକରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଚିତରଞ୍ଜନ ଦାସ ଉପସ୍ଥିତ ଥିଲେ ।
