କଟକ,୨୮/୧୧/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) ୪୨ ମୌଜାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ଆନୁକୂଲ୍ୟରେ ସ୍ୱର୍ଗତ ଆନନ୍ଦ ଚରଣ ମହାନ୍ତିଙ୍କ ୧୩ତମ ଶ୍ରାଦ୍ଧବାର୍ଷିକୀ ଏବଂ ସ୍ୱର୍ଗତ ନୃସିଂହ ଚରଣ ଦାସଙ୍କ ସ୍ମୃତିଚାରଣ ସଭା ଏକ ଭାବପୂର୍ଣ୍ଣ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।
ଏହି ସ୍ମୃତିସଭାରେ ବ୍ୟଙ୍ଗକବି ପ୍ରତାପ ଚନ୍ଦ୍ର ବେହେରା, ପ୍ରଭାତ କୁମାର ଖଟୁଆ, ଜୟକୃଷ୍ଣ ନାୟକ, ସସ୍ମିତା ମହାପାତ୍ର, ଶୁକଦେବ ମହାରଣା, ବିନୋଦ କୁମାର ବେହେରା, ଅନିଲ କୁମାର ଦାସ, ପ୍ରକାଶ ଚନ୍ଦ୍ର ମୁଦୁଲି, ସୁବାଷ ସ୍ୱାଇଁଙ୍କ ସମେତ ବହୁ ସ୍ଥାନୀୟ ବୁଦ୍ଧିଜୀବୀ ଯୋଗଦେଇ ଉଭୟ ମହାନ ବ୍ୟକ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ବକ୍ତାମାନେ ସ୍ୱର୍ଗତ ଆନନ୍ଦ ଚରଣ ମହାନ୍ତି ଓ ସ୍ୱର୍ଗତ ନୃସିଂହ ଚରଣ ଦାସଙ୍କ ସରଳ ଜୀବନଯାପନ, ନିଷ୍ଠାପର କାର୍ଯ୍ୟଶୈଳୀ, ସମାଜସେବା ଓ ସାମାଜିକ ଅବଦାନକୁ ସ୍ମରଣ କରିଥିଲେ। ସେମାନଙ୍କ ନୀତି, ଆଦର୍ଶ ଓ ଜୀବନାଦର୍ଶ ଆଜିର ଯୁବପିଢ଼ି ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତପ୍ରକାଶ ପାଇଥିଲା।
ଏହି ଅବସରରେ ଅନୁଷ୍ଠାନର ସଭାପତି ଶ୍ରୀମତୀ ସରୋଜ ନଳିନୀ ପରିଜା ଓ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତିଙ୍କ ଉପସ୍ଥିତିରେ ଗରିବ ଓ ଅସହାୟ ଲୋକମାନଙ୍କୁ ଶାଢ଼ୀ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା।
ଅନୁଷ୍ଠାନ ପକ୍ଷରୁ ଏଭଳି ସ୍ମୃତିସଭା ଓ ଜନହିତକର କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ଯୁବପିଢ଼ି ଓ ଛାତ୍ରଛାତ୍ରୀମାନେ ଆଦର୍ଶବାଦୀ ହେବା ସହ ପ୍ରତିଭା ବିକାଶ ଓ ସମାଜକଲ୍ୟାଣମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ପ୍ରେରଣା ପାଇବେ ବୋଲି ଆୟୋଜକମାନେ ମତବ୍ୟକ୍ତ କରିଥିଲେ।
ସମାଜସେବୀ ମିର୍ଜା ସରାଫତ ବେଗ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିବାବେଳେ ଶେଷରେ ସାମ୍ବାଦିକ ଅଫସାର ଅଲ୍ଲୀ, ଚନ୍ଦନ ମହାନ୍ତି ଓ ପଦ୍ମଲୋଚନ ସାହୁ ଉପସ୍ଥିତ ଅତିଥି ଓ ବୁଦ୍ଧିଜୀବୀମାନଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ।
