ବିଡିଏର ୧୫୩ତମ କର୍ତ୍ତୃପକ୍ଷ ବୈଠକ: ଆବାସିକ ସୁବିଧାରୁ ସହର ବିକାଶ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

“ଏକାମ୍ର ରେସିଡେନ୍ସି”: ଆବେଦନକାରୀମାନେ ଫେରସ୍ତ ପାଇବେ ଆବେଦନ ରାଶି

ଭୁବନେଶ୍ୱର, ୧୪/୧୦/୨୦୨୬(ଓଡ଼ିଶା ସମାଚାର)- ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ( ବିଡିଏ) ସୁବୁଦ୍ଧିପୁରର ସ୍ଥିତ ‘ଏକାମ୍ର ରେସିଡେନ୍ସି’ ଆବାସିକ ପ୍ରକଳ୍ପ ପାଇଁ ଧାର୍ଯ୍ୟ ୧୦,୦୦୦ ଟଙ୍କାର ଆବେଦନ ଶୁଳ୍କକୁ ଫ୍ଲାଟ୍‌ର ମୂଲ୍ୟ ସହିତ ସମାୟୋଜିତ କରିବାକୁ ନିଷ୍ପତ୍ତି ନେଇଛି। ଆଜି ଗୃହ ନିର୍ମାଣ  ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ତ୍ତୃପକ୍ଷଙ୍କ ୧୫୩ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

କର୍ତ୍ତୃପକ୍ଷଙ୍କ ଅନୁମୋଦନ ଅନୁଯାୟୀ, ସଫଳ ଆବେଦନକାରୀଙ୍କ କ୍ଷେତ୍ରରେ ଏହି ଅର୍ଥରାଶି ଯୋଜନା ଅଧୀନରେ ଫ୍ଲାଟ୍‌ର ମୂଲ୍ୟ ବାବଦ ଦେୟ ସହିତ ସମାୟୋଜିତ କରାଯିବ। ଯେଉଁ ଆବେଦନକାରୀମାନେ ଆବଣ୍ଟନ ପ୍ରକ୍ରିୟାରେ ସଫଳ ହେବେ ନାହିଁ, ସେମାନଙ୍କୁ ଜମା କରାଯାଇଥିବା ସମୁଦାୟ ୨ଲକ୍ଷ୧0ହଜାର  ଟଙ୍କା ଫେରସ୍ତ କରାଯିବ।

ଆବାସ ଯୋଜନା ଅଧୀନରେ ଚୟନିତ ସଫଳ ଆବେଦନକାରୀମାନଙ୍କୁ ସାମଗ୍ରୀ ଏବଂ ସେବା କର (ଜିଏସଟି)ରୁ ମୁକ୍ତ କରାଯିବା ସହ ଷ୍ଟାମ୍ପ ଡ୍ୟୁଟିରେ ପାଞ୍ଚ ପ୍ରତିଶତ ଛାଡ଼ ପ୍ରଦାନ କରାଯିବ। ଯୋଜନା ଅଧୀନରେ ନିର୍ମାଣାଧୀନ ଫ୍ଲାଟଗୁଡ଼ିକ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ଥିବାବେଳେ ସେଗୁଡ଼ିକ ଫ୍ରିହୋଲ୍ଡ ଭିତ୍ତିରେ ଉପଲବ୍ଧ ହେବ। ଏହାସହ ଆବଣ୍ଟନକାରୀମାନେ ଏକ ବର୍ଷ ପାଇଁ ମାଗଣା ରକ୍ଷଣାବେକ୍ଷଣ ସୁବିଧା ପାଇବେ। ଏହି ଯୋଜନା ଅଧୀନରେ ଫ୍ଲାଟ ଆବଣ୍ଟନ ପାଇଁ ଆବେଦନ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି। ଆଗ୍ରହୀ ଆବେଦନକାରୀମାନେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରି ଆବେଦନ କରିପାରିବେ।

ସୁବୁଦ୍ଧିପୁରରେ ୭.୩୬ ଏକର ବିସ୍ତୃତ ଜମି ଉପରେ ଏକାମ୍ର ରେସିଡେନ୍ସି ପ୍ରକଳ୍ପ ନିର୍ମିତ ହୋଇଛି। ଏଥିରେ ୩ ଟାୱାର ରହିଛି, ଯାହା ପ୍ରଶସ୍ତ ଦୁଇ ଶୟନ କକ୍ଷ ଏବଂ ଦୁଇ ଶୟନ କକ୍ଷ ସହ ଅଧ୍ୟୟନ କକ୍ଷ ବିଶିଷ୍ଟ ଆପାର୍ଟମେଣ୍ଟ ପ୍ରଦାନ କରୁଛି। ଏହି ଆଧୁନିକ ବାସଗୃହ ପ୍ରକଳ୍ପ ଏକ ସ୍ଥାୟୀ ଓ ସୁବିଧାଯୁକ୍ତ ଜୀବନଯାପନ ଅଭିଜ୍ଞତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଡିଜାଇନ୍ କରାଯାଇଛି। ନିର୍ମାଣରେ ଆରସିସି ଫ୍ରେମ୍ଡ ଭୂମିକମ୍ପ ପ୍ରତିରୋଧୀ ବ୍ୟବସ୍ଥା ରହିଥିବା ସହ ଖୋଲା ସ୍ଥାନ, ସୁଇମିଂ ପୁଲ, ଜିମ୍ନାଜିୟମ୍, କମ୍ୟୁନିଟି ହଲ୍, ପିଲାମାନଙ୍କ ଖେଳ ପଡିଆ ଏବଂ ଜଗିଂ ଟ୍ରାକ୍ ରହିଛି।

ଏହା ସହ ବାସିନ୍ଦାଙ୍କ ପାଇଁ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ୱାଟର ରିଚାର୍ଜ ବ୍ୟବସ୍ଥା, ପାୱାର ବ୍ୟାକଅପ୍, ସିସିଟିଭି ନିରୀକ୍ଷଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସହାୟକ ଭିତ୍ତିଭୂମି ଭଳି ସୁରକ୍ଷିତ ଓ ସ୍ୱାସ୍ଥ୍ୟପ୍ରଦ ବାତାବରଣ ସୃଷ୍ଟି କରାଯାଇଛି। ପ୍ରକଳ୍ପଟି ଆଧୁନିକ ସହରୀ ଜୀବନଧାରା ସହ ପ୍ରାକୃତିକ ସନ୍ତୁଳନ ରକ୍ଷା କରିବା ଉଦ୍ଦେଶ୍ୟରେ ବିକଶିତ ହୋଇଛି।

ଶୀଘ୍ର  କାର୍ଯ୍ୟକାରୀ ହେବ ୧୦ଟି ସହର ପରିଳ୍ପନା ଯୋଜନା

ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ମୌଜାର ମୋଟ ୧,୮୧୫ ଏକର ଜମି ଉପରେ ହେବାକୁ ଥିବା ୧୦ଟି ଟାଉନ୍ ପ୍ଲାନିଂ (ଟିପି) ସ୍କିମ୍‌ର କାର୍ଯ୍ୟାନ୍ୱୟନ ଉପରେ ବୈଠକରେ ଆଲୋଚନା ହୋଇଛି  ।

ଏହି ସ୍କିମ୍‌ଗୁଡ଼ିକ ହେଲା:

* ଟିପି -୩୨: ଗୋବର୍ଦ୍ଧନପୁର, ଇଟିପୁର ଏବଂ ରାଧାମୋହନପୁର — ୨୨୬.୪୯ ଏକର

* ଟିପି-୩୩:ଗୋବର୍ଦ୍ଧନପୁର, ଇଟିପୁର, ନିସ୍ଥାରିଣୀପୁର  ଏବଂ ରାଧାମୋହନପୁର — ୨୨୯.୬୨ ଏକର

* ଟିପି-୩୪:ଦଧିବାବନପୁର ଏବଂ ଜୟପୁର — ୨୦୪.୪୯ ଏକର

* ଟିପି-୩୫: ବିକିପୁର ଏବଂ ଦିହାପୁର — ୧୧୯.୮୫ ଏକର

* ଟିପି -୩୬: ସୁନ୍ଦରପଦା — ୧୬୪.୭୦ ଏକର

* ଟିପି -୩୭: ବାହାଦଲପୁର ଏବଂ ଏବରାଙ୍ଗ— ୧୬୮.୮୮ ଏକର

* ଟିପି -୩୮: ହାଟସାହି ଏବଂ ବାହାଦଲପୁର — ୨୨୫.୮୪ ଏକର

* ଟିପି -୩୯: ସୁଆଙ୍ଗା, ସରକାନ୍ତରା, ରଣସିଂହପୁର ଏବଂ ଶ୍ରୀନିବାସପୁର — ୩୦୧.୭୩ ଏକର

* ଟିପି-୪୦: ସୁଆଙ୍ଗା, ଛୋଟରାୟପୁର, ଦାମୋଦରପୁର ଏବଂ ଶ୍ରୀନିବାସପୁର — ୨୨୨.୫୫ ଏକର

* ଟିପି ୪୧: ସିଜୁଆ — ୧୫୦.୭୫ ଏକର

ଏହି ଟାଉନ୍ ପ୍ଲାନିଂ ସ୍କିମ୍‌ଗୁଡ଼ିକ ଶୀଘ୍ର କାର୍ଯ୍ୟାନ୍ୱୟନ ହେବ ।

ଡ୍ରେନ୍ ନଂ ୧୦ ଉପରେ ଲେକ୍ ଜୋନ୍ ବିକାଶ ପାଇଁ ପ୍ରଶାସନିକ ଅନୁମୋଦନ

ବିଦ୍ୟୁତ୍ ମାର୍ଗ ଏବଂ ସଚିବାଳୟ ମାର୍ଗ ମଧ୍ୟରେ ଥିବା ଡ୍ରେନ୍ ନଂ-୧୦ କଡ଼ରେ ‘ଲେକ୍ ଜୋନ୍-୧’ ର ବିକାଶ ପାଇଁ କର୍ତ୍ତୃପକ୍ଷ ପ୍ରଶାସନିକ ଅନୁମୋଦନ ପ୍ରଦାନ କରିଛନ୍ତି।  ଏହି ପ୍ରକଳ୍ପର ଅନ୍ୟତମ ମୁଖ୍ୟ ଅଂଶ ଭାବରେ ଦୈନିକ ୧୨ ନିୟୁତ ଲିଟର କ୍ଷମତା ବିଶିଷ୍ଟ ଏକ ବର୍ଜ୍ୟଜଳ ବିଶୋଧନ କେନ୍ଦ୍ର (ଏସଟିପି ) ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଛି।

ଏହା ସହିତ ଡ୍ରେନ୍ ନଂ ୧୦ ଉପରେ ଲେକ୍ ଜୋନ୍-୨ ଓ ଲେକ୍ ଜୋନ୍-୩ ବିକାଶ ପାଇଁ ମାଷ୍ଟର ପ୍ଲାନ୍ ଏବଂ ସମ୍ପୃକ୍ତ ଅଂଶଗୁଡ଼ିକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ସଚିବାଳୟ ମାର୍ଗଠାରୁ ରେଳ କ୍ରସିଂ ପର୍ଯ୍ୟନ୍ତ ପ୍ରାୟ ୨.୩ କିମି ଲମ୍ବା ଏବଂ ପ୍ରାୟ ୭୫ ଏକର ଜମି ଉପରେ ହେବ।

ଏହି ମଞ୍ଜୁରୀ ପରେ ଲେକ୍ ଜୋନ୍ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବାର ଆଶା ରହିଛି। ଏହା ଦ୍ୱାରା ସମ୍ପୃକ୍ତ ଅଞ୍ଚଳର ଜଳ ନିଷ୍କାସନ ବ୍ୟବସ୍ଥା ଉନ୍ନତ ହେବା ସହ ପରିବେଶ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣରେ ସହାୟକ ହେବ। କର୍ତ୍ତୃପକ୍ଷ ପକ୍ଷରୁ ଜଣାଯାଇଛି ଯେ ପ୍ରସ୍ତାବିତ ଏସ୍ଟିପି ସହ ଅନ୍ୟାନ୍ୟ ଅଂଶ ଯୋଜନା ଅନୁଯାୟୀ କାର୍ଯ୍ୟାନ୍ୱୟନ କରାଯିବ।

୪ଟି ସିଡିପି ରାସ୍ତାର ସଂଶୋଧିତ ଆଲାଇନମେଣ୍ଟ ଓ ଡିପିଆର ମଞ୍ଜୁର

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱର ବିକାଶ ଯୋଜନା ଅଞ୍ଚଳ ଅଧୀନରେ ଥିବା ୪ଟି ସିଡିପି ରାସ୍ତାର ସଂଶୋଧିତ ଆଲାଇନମେଣ୍ଟ ଏବଂ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ମଞ୍ଜୁର କରିଛନ୍ତି।

ଏହି ଚାରିଟି ରାସ୍ତା ହେଉଛି:

ସୈନିକ ସ୍କୁଲ ଛକରୁ ଭିଏସ୍ଏସ୍ ନଗର ପର୍ଯ୍ୟନ୍ତ (୧.୨୪ କିମି)

ଜୟଦେବ ବିହାରରୁ ରଘୁନାଥପୁର ଦେଇ ନନ୍ଦନକାନନ  ରୋଡ୍ ପର୍ଯ୍ୟନ୍ତ ନୂଆ ଭୁବନେଶ୍ୱର ରେଳ ଷ୍ଟେସନ ପାଇଁ ଆପ୍ରୋଚ୍ ରୋଡ୍ (୧.୦୨ କିମି)

କସ୍ମୋପଲିସ୍ ରୁ ଜାଗମରା ଛକ ପର୍ଯ୍ୟନ୍ତ (୨.୦୫ କିମି)

ଏଆଇଆଇଏମ୍ଏସ୍ ରୋଡ୍ ରୁ ଭଗବାନପୁର  ମଡେଲ୍ ସ୍କୁଲ, ଭଗବାନପୁର  ପର୍ଯ୍ୟନ୍ତ (୨ କିମି)

ଏହି ମଞ୍ଜୁରୀ ପରେ ସମ୍ପୃକ୍ତ ରାସ୍ତାଗୁଡ଼ିକର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି। ଏହା ଦ୍ୱାରା ଭୁବନେଶ୍ୱର ସହର ଏବଂ ଆଖପାଖ ଅଞ୍ଚଳର ଯାତାୟାତ ସୁବିଧା ଉନ୍ନତ ହେବା ସହ ନୂଆ ରେଳ ଷ୍ଟେସନ ସହ ସଂଯୋଗ ମଧ୍ୟ ସୁଦୃଢ଼ ହେବ। କର୍ତ୍ତୃପକ୍ଷ ପକ୍ଷରୁ ଜଣାଯାଇଛି ଯେ ସଂଶୋଧିତ ଆଲାଇନମେଣ୍ଟ ଓ ଡିପିଆର ମଞ୍ଜୁର ହେବା ପରେ ଏହି ପ୍ରକଳ୍ପଗୁଡ଼ିକ ଯୋଜନା ଅନୁଯାୟୀ କାର୍ଯ୍ୟାନ୍ୱୟନ କରାଯିବ।

ୟୁଏମ୍‌ଆଇ ଏକ୍ସପୋରେ ପ୍ରଦର୍ଶିତ ହେବ ବିଡିଏର ଗମନାଗମନ ଓ ସବୁଜ ପ୍ରକଳ୍ପ

ଭୁବନେଶ୍ୱରରେ ଆସନ୍ତା ଅକ୍ଟୋବର ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୯ତମ ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’  ( ୟୁଏମ୍‌ଆଇ) ସମ୍ମିଳନୀ ଓ ଏକ୍ସପୋ-୨୦୨୬ ରେ  ବିଡିଏର ଅଂଶଗ୍ରହଣକୁ ମଧ୍ୟ କର୍ତ୍ତୃପକ୍ଷ ଅନୁମୋଦନ ଦେଇଛନ୍ତି । ସହରର ଗମନାଗମନ ବ୍ୟବସ୍ଥା ସମ୍ବନ୍ଧୀୟ ପଦକ୍ଷେପ ଏବଂ ସବୁଜ ବିକାଶ ପ୍ରୟାସକୁ ପ୍ରଦର୍ଶନ କରିବା ପାଇଁ ବିଡିଏ, ଭୁବନେଶ୍ୱର ମହାନଗର ନିଗମ  ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ସହ ମିଳିତ ଭାବେ ପ୍ରଦର୍ଶନୀ ଷ୍ଟଲ୍ ସ୍ଥାପନ କରିବ।

ଏହାସହ ବୈଠକରେ ଗୃହ ନିର୍ମାଣ , କର୍ମଚାରୀ କଲ୍ୟାଣ, ସୁବ୍ୟବସ୍ଥିତ  ସହରୀ ବିକାଶ ଏବଂ ଭିତ୍ତିଭୂମିର ଉନ୍ନତିକରଣ , ପରିବେଶ ଓ ସହରର ଯାତାୟାତ ବ୍ୟବସ୍ଥା ଉପରେ ନିଷ୍ପତ୍ତି ନିଆଯାଇଛି। ଏହା ଭୁବନେଶ୍ୱରରେ ସୁଲଭ ଆବାସ , କର୍ମଚାରୀ କଲ୍ୟାଣ ଏବଂ ଭଲ ସହର ବିକାଶ ପାଇଁ ସହାୟକ ହେବ।

ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ଜଟଣୀ ପୌରପାଳିକା ଅଧ୍ୟକ୍ଷ ଅନନ୍ତ ବେହେରା, ଗୃହ  ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *