ଖୋର୍ଦ୍ଧା,୨୦/୧୦/୨୦୨୫(ଓଡ଼ିଶା ସମାଚାର)- ଆଦର୍ଶ ଥାନା ଓ ଶିଳ୍ପାଂଚଳ ଥାନା ପୁଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ପାଂଚ ଜଣ ଧଳାଜହର ବେପାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାପୁର ସ୍ୱପ୍ନେଶ୍ୱର ସାହିର ସୋମନାଥ ବେହେରା(୨୫) ଓ ସଦର ଥାନା ଅଧିନ କରଡ଼ଗାଡ଼ିଆର ଧନେଶ୍ୱର ସାହୁ(୨୬), ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଉତର ମୁଣ୍ଡମୁହାଣ ଗ୍ରାମର ରାଜେନ୍ଦ୍ର ରାଉତ(୨୬), ସହିଦନଗର ଥାନା ଅନ୍ତର୍ଗତ ପଥରବନ୍ଧ ବସ୍ତିର ସୁନିଲ ସାହୁ(୨୫) ଏବଂ ଆଦର୍ଶ ଥାନା ଅନ୍ତର୍ଗତ ପଲ୍ଲାହାଟର ଶକ୍ତି ରଞ୍ଜନ ରାୟଗୁରୁ(୨୫) ।
ଏମାନଙ୍କ ଠାରୁ ପୁଲିସ ୫୫ ଗ୍ରାମ ଓଜନର ଧଳାଜହର, ସାତୋଟି ମୋବାଇଲ, ଚାରୋଟି ବାଇକ୍, ଗୋଟିଏ ସ୍କୁଟର ଓ ନଗଦ ୩୬ହଜାର ଟଙ୍କା ଜବତ କରିଛି । ଜବତ ଧଳଜହରର ମୂଲ୍ୟ ୫ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି । ଏସପି ଶ୍ରୀ ଶର୍ମାଙ୍କ ସୂଚନା ଅନୁସାରେ, ଖୋର୍ଦ୍ଧା ଶିଳ୍ପାଂଚଳରେ ଥିବା ଏକ ବିସ୍କୁଟ କମ୍ପାନି ନିକଟରେ ଧଳାଜହର ବେପାର ହେଉଥିବା ଶିଳ୍ପାଂଚଳ ପୁଲିସକୁ ଖବର ମିଳିଥିଲା । ତାକୁ ଧରିବାକୁ ଇନ୍ସପେକ୍ଟର ବାସୁଦେବ ଜୟସିଂଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା ।
ଏହି ଟିମ୍ ଡିଲ୍ ବେଳେ ଚଢଉକରି ମାଲ ନେବାକୁ ଆସିଥିବା ସହିଦନଗର ପଥରବନ୍ଧ ବସ୍ତିର ସୁନିଲ ଠାରୁ ୨୫ଗ୍ରାମ ଧଳାଜହର ସମେତ ଓଡି୦୨କେ ୬୭୬୦ ନଂ ବିଶିଷ୍ଟ ଦାମୀ ବାଇକ୍ ଓ ଏକ ଫୋନ୍ ପୁଲିସ ଜବତ କରିଥିବା ବେଳେ ସେଠାରୁ ଖସିବାକୁ ଉଦ୍ୟମ କରୁଥିବା ଉତର ମୁଣ୍ଡମୁହାଣର ରାଜେନ୍ଦ୍ର ଠାରୁ ବାଇକ୍ ଓ ଫୋନ୍ ଏବଂ ପଲ୍ଲାହାଟର ଶକ୍ତିକୁ ଧରି ତା ଠାରୁ ଏକ ଦାମୀ ଫୋନ୍ କୁ ଜବତ କରିଛି । ସେମାନେ ଏଠାରେ ଧାଳାଜହର ବିକ୍ରି ଲାଗି ଏକାଠି ହୋଇଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ ବୋଲି ଏସପିି କହିଛନ୍ତି । ସେହପିରି ଆଦର୍ଶଥାନା ପୁଲିସ ଟିଏଲସି ରୋଡ ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ନିକଟରେ ଥିବା ବିଡ଼ିଏ ରାସ୍ତାରେ ଦୁଇଜଣ ଧଳାଜହର ବେପାର ଲାଗି ଯୋଜନା କରୁଥିବା ଜାଣପିାରି ଏସଆଇ ଦିନେଶ ପିଙ୍ଗୁଆଙ୍କ ନେତୃତ୍ୱରେ ଏକ ଟିମ୍ ଚଢଉ କରିଥିଲେ ।
ଏହି ସମୟରେ ସୋମନାଥ ଓ ଧନେଶ୍ୱରକୁ କାବୁ କରିଥିଲେ । ଯାଂଚବେଳେ ସେମାନଙ୍କ ଠାରୁ ୩ଲକ୍ଷ ମୂଲ୍ୟର ୩୦ଗ୍ରାମ ଓଜନର ଧଳାଜହର ସହିତ ଦୁଇଟି ଦାମୀ ମୋବାଇଲ ଫୋନ, ଦୁଇଟି ମୋଟର ସାଇକେଲ ଏବଂ ନଗଦ ୩୬ହଜାର ଟଙ୍କାକୁ ପୁଲିସ ଜବତ କରିଥିବାର ଏସପିି ସୂଚନା ଦେଇଛନ୍ତି । ଏହି ଧଳାଜହର ସେମାନେ କେଉଁଠାରୁ ଆଣିଥିଲେ ଏବଂ ଏହା ପଛରେ ଅନ୍ୟକେଉଁମାନେ ରହିଛନ୍ତି ପୁଲିସ ତାହାର ତଦନ୍ତ ଜାରୀ ରଖିଥିବା ଏସପିି କହିଛନ୍ତି । ଶିଳ୍ପାଂଚଳ ପୁଲିସ ମାମଲା ରୁଜୁକରି ଗିରଫ ୩ଜଣଙ୍କୁ କୋର୍ଟଚାଲାଣ କରିଛି । ସେହିପରି ଆଦର୍ଶଥାନା ପୁଲିସ ମାମଲା ରୁଜୁକରି ଗିରଫ ଦ୍ୱୟଙ୍କୁ କୋର୍ଟଚାଲାଣ କରିଥିବା ଏସପି କହିଛନ୍ତି । ସମ୍ମିଳନୀରେ ଏସଡ଼ିପିଓ ନିହାର ରଞ୍ଜନ ପ୍ରଧାନ, ଶିଳ୍ପାଂଚଳ ଥାନା ଅଧିକାରୀ ଉମେଶ ସାହୁ, ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ, ଏସଆଇ ସ୍ୱାଗତିକା ପଟ୍ଟନାୟକ, ଦିନେଶ ପିଙ୍ଗୁଆ ପ୍ରମୁଖ ଉପସ୍ଥିତଥିଲେ ।
