ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ପୁନଃରୁଦ୍ଧାର ପାଇଁ ଦାବି ଯୋର ଧରିଲା

ମାହାଙ୍ଗା,୦୫/ ୦୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା ) – ବିଶ୍ୱ ପ୍ରସିଦ୍ଧ ଲଳିତଗିରି ଠାରେ ପ୍ରତିଷ୍ଠିତ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ପୁନଃ ପ୍ରତିଷ୍ଠା ପାଇଁ ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ଦାବିଯୋର ଧରିଛି । ଐତିହ୍ୟ ସମ୍ପନ୍ନ ବୌଦ୍ଧ କୀର୍ତ୍ତୀ ବିମଣ୍ଡିତ ଲଳିତଗିରିର କଳା, ଭାସ୍କର୍ୟ୍ୟ, ସାହିତ୍ୟ, ସଂସ୍କୃତି ଏବଂ ଆଧ୍ୟାତ୍ମିକ ଜାଗରଣ ଭୁଲୁଣ୍ଠିତ ହୋଇପଡିଛି ।  ତଥାଗତ ଗୌତମ ବୁଦ୍ଧ ଏହି ପବିତ୍ର ପୀଠରେ ସାଧନା କରିବା ଏବଂ ବୌଦ୍ଧ ଧର୍ମ ପ୍ରଚାର କରିଥିଲେ । ଏଠାରେ ଥିବା ପୁଷ୍ପଗିରି ମହାବିହାର ଅର୍ଥାତ ବିଶ୍ୱବିଦ୍ୟାଳୟରେ ଭାରତ ଓ ଭାରତ ବାହାରୁ ଅନେକ ବିଦ୍ୟାର୍ଥୀ ଅଧ୍ୟୟନ ପାଇଁ ଆସିଥିବା ଗବେଷକ ମାନେ ପ୍ରମାଣ ଦେଇଛନ୍ତି  ।

ଦୀର୍ଘ ୧୫୦୦ ବର୍ଷ ଧରି ପରିଚାଳିତ ହୋଇଆସିଥିବା ଏହି ପ୍ରାଚୀନ ବିଶ୍ୱ ପ୍ରସିଦ୍ଧ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ କାଳର କରାଳ ଗର୍ଭରେ ଧ୍ୱଂସ ହୋଇଯାଇଛି ସତ, କିନ୍ତୁ ଏହି ମହାବିହାର ଏକଦା ସମଗ୍ର ଭାରତ ଭୂଖଣ୍ଡରେ ଶିକ୍ଷା, ସଂସ୍କୃତି, କଳା, ସ୍ଥାପତ୍ୟ, ଐତିହ୍ୟ ଓ ଆଧ୍ୟାତ୍ମିକତାର ମୁଖାଶଳା ଭାବେ ପରିଗଣିତ ହେଉଥିଲା ବୋଲି ଗବେଷକ ମାନେ ମତଦେଇଛନ୍ତି । ଏହି ବିଶ୍ୱ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟର ପୁନଃରୁଦ୍ଧାର ପାଇଁ ମାହାଙ୍ଗାର ପ୍ରତ୍ୟେକ ପରିବାର ଦୃଢ଼ ଦାବି ଉଠାନ୍ତୁ ବୋଲି ବିକାଶ ପରିଷଦ ଅଧ୍ୟକ୍ଷ ବିଧାୟକ ଶାରଦା ପ୍ରଧାନ ଆହ୍ୱାନ ଦେଇଥିବା ଦୃଷ୍ଟିରୁ  ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ରବିବାର ଦିନ ବୌଦ୍ଧପୀଠ ଲଳିତଗିରି ଠାରେ  ବିକାଶ ପରିଷଦର ସଂଯୋଜକ ଡକ୍ଟର ଅଶୋକ ରାଉତଙ୍କ ଆବାହକତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଶତପଥୀ, ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି, ସ୍ଥାନୀୟ ସମିତିସଭ୍ୟ ଧ୍ରୁବ ଚରଣ ସାମଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଏହି ଯଥାର୍ଥ ଦାଵିକୁ ଉପସ୍ଥାପନ କରିଥିଲେ  ।  ଏହି କାର୍ୟ୍ୟକ୍ରମରେ ପୂର୍ବତନ ସରପଞ୍ଚ ଅଶୋକ ବିଶ୍ୱାଳ,ଅଧ୍ୟାପକ ବସନ୍ତ ସେଠୀ,କୃପାସିନ୍ଧୁ ସିଂ, ଅଜୟ ନାୟକ,କିଶୋର ରାଉତ,ରତିକାନ୍ତ ସିଂ ପ୍ରମୁଖ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ପୁନଃଦ୍ଧାର ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave a Reply

Your email address will not be published. Required fields are marked *