କଟକ ସଦର,୧୦/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ନିର୍ବାଚନମଣ୍ଡଳୀର କିଶନନଗର, କନ୍ଦରପୁର ଓ ନେମାଳ କଲେଜରେ ଛାତ୍ର ସଂସଦ ନିର୍ବାଚନ ବିନା ପ୍ରତିଦ୍ବନ୍ଦିତା ରେ ହେବ ନାହିଁ ବୋଲି ଆଜି ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୁଡାନ୍ତ ତାଲିକାରୁ ଜଣାପଡିଛି। ଏଥିରେ କିଶନନଗର କଲେଜରେ ହେବାକୁ ଥିବା ନିର୍ବାଚନ ଅପ୍ରତିଦ୍ଵନ୍ଦୀ ହେବ ବୋଲି ଚର୍ଚ୍ଚା ଜୋର ଧରି ଥିବାଵେଳେ ଚର୍ଚ୍ଚା କେବଳ ଚର୍ଚ୍ଚାରେ ରହିଯାଇଛି।
ଏଠାରେ ୧୦ ଟି ପଦବୀ ପାଇଁ ୧୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥି ମଧ୍ୟରୁ ଜଣଙ୍କର ପ୍ରାର୍ଥୀ ପତ୍ର ନାକଚ ହେବା ପରେ ଆଜି ଜଣେ ପ୍ରତ୍ୟାହାର କରିଛନ୍ତି। ସେଥିମଧ୍ୟରୁ ସଭାପତି, ସାଧାରଣ ସଂପାଦକ,ଆଥେଲେଟିକ ସେକ୍ରେଟାରୀ,ଓ ସେକ୍ରେଟାରୀ ପ୍ରାର୍ଥୀ ନିର୍ଦ୍ୱବନ୍ଦ୍ବରେ ନିର୍ବାଚିତ ହୋଇ ଥିବାବେଳେ ଅନ୍ୟ ୬ ଟି ପଦବୀ ପାଇଁ ୧୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ସେହିପରି କନ୍ଦରପୁର କଲେଜରେ ୨୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ଜଣେ କଲ୍ଚରାଲ ସେକ୍ରେଟାରୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବାବେଳେ ଆଜି ମାତ୍ର ଜଣେ ପ୍ରାର୍ଥୀ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି। ଏଠାରେ ସଭାପତି ଓ ସାଧାରଣ ସମ୍ପାଦକ ପଦବୀ ପାଇଁ ତ୍ରିମୁଖି ପ୍ରତିଦ୍ବନ୍ଦିତା ଜୋରଦାର ହେବାକୁ ଯାଉଛି। ସେହିପରି ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରେ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ଆଜି ଦୁଇଜଣ ପ୍ରାର୍ଥୀ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେଇଛନ୍ତି।
ଯାହା ଫଳରେ ମୋଟ ୧୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ତେବେ ଏହି ତିନୋଟି କଲେଜରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାକୁ କେବଳ ଦେଖିବାକୁ ଆସନ୍ତା ୧୫ ତାରିଖକୁ ଅପେକ୍ଷା ରହିଛି।
