ନାନ୍ଦୋଳଗଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

                               ଘରୋଇ ବସ୍‌ ଧକ୍କାରେ ଦୁଇ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ

ସାଲେପୁର, ୧୦/୧୦/୨୦୨୬ (ଓଡିଶା ସମାଚାର  / ଅଭୟ ଜେନା )-କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ନାନ୍ଦୋଳଗଡ଼ା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ବାଇକ୍‌ ଆରୋହୀ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଆଜି ଏକ ଘରୋଇ ଯାତ୍ରୀବାହୀ ବସ୍‌ ଧକ୍କାରେ ଦୁଇ ଯୁବକଙ୍କ ଜୀବନ ଚାଲିଯାଇଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ‘ଶ୍ରୀ ସାଇ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ନାନ୍ଦୋଳଗଡ଼ା ଛକ ନିକଟରେ ଏକ ପଲସର ବାଇକ୍‌କୁ ପଛପଟୁ ଧକ୍କା ଦେଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଧକ୍କା ଯୋଗୁଁ ବାଇକ୍‌ରେ ଥିବା ଦୁଇ ଜଣ ଯୁବକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଏହି ସମୟରେ ବସ୍‌ଟି ସେମାନଙ୍କ ଉପରେ ଚଢ଼ିଯାଇଥିଲା ଫଳରେ ଦୁଇ ଯୁବକ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା। ଠାରେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ପରିବେଶ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ, ଦୁର୍ଘଟଣା ଘଟାଇବା ଥିବା ବସ୍‌ ଚାଳକ ବସ୍‌ଟିକୁ କିଛି ଦୂରରେ ରାସ୍ତାକଡ଼ରେ ରଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଖବର ପାଇ ସାଲେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌ ଓ ଦୁର୍ଘଟଣାଗ୍ରସ୍ତ ବାଇକ୍‌ କୁ ଜବତ କରିଛି। ଜବତ ବସ୍‌ଟିକୁ ଥାନାକୁ ନିଆଯାଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଏବଂ ବସ୍‌ ଚାଳକଙ୍କ ଭୂମିକା ସମ୍ପର୍କରେ ପୁଲିସ ତଦନ୍ତ ପରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।

ମୃତ ଦୁଇ ଯୁବକଙ୍କ ପରିଚୟ  ଅସ୍ପଷ୍ଟ  ତେବେ ସେମାନେ ଭୁବନେଶ୍ୱର ଅଞ୍ଚଳର ବାସିନ୍ଦା ହୋଇଥାଇପାରନ୍ତି ବୋଲି ପୁଲିସ ପ୍ରାଥମିକ ଭାବେ ଅନୁମାନ କରୁଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ନିଶ୍ଚିତ କରିବା ସହ ଦୁର୍ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *