ଅଭିନୟ ଜଗତରେ ସ୍ୱତନ୍ତ୍ର ପରିଚୟ  ସୃଷ୍ଟି କରିଛନ୍ତି ସୌମ୍ୟ ରଞ୍ଜନ

କଟକ,୨୫/୧୧/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା )-ଯାଜପୁର ଜିଲ୍ଲାର ଚଷାଖଣ୍ଡ ଗ୍ରାମର ଏକ କଳାକାର ପରିବାରରେ ଜନ୍ମଗ୍ରହଣ କରିଥିବା ଅଭିନେତା ସୌମ୍ୟ ରଞ୍ଜନ ଶତପଥି ନିଜର ନିଷ୍ଠା, ପରିଶ୍ରମ ଓ ସ୍ୱତନ୍ତ୍ର ଅଭିନୟ ଶୈଳୀ ବଳରେ ଆଜି ଓଡ଼ିଆ ଅଭିନୟ ଜଗତରେ ଏକ ପରିଚିତ ନାମ ପାଲଟିଛନ୍ତି। ଛାତ୍ରଜୀବନରୁ ହିଁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ପିତାଙ୍କ ନିର୍ଦ୍ଦେଶନାରେ ନାଟକରେ ଅଭିନୟ କରି ସେ ମଞ୍ଚରେ ପାଦ ଥାପିଥିଲେ। ପରବର୍ତ୍ତୀ ସମୟରେ ନିଜ ଗାଁ ଓ ଆଖପାଖ ଅଞ୍ଚଳର ବିଭିନ୍ନ ନାଟକରେ ଅଭିନୟ କରି ନିଜ ଦକ୍ଷତାକୁ ଆହୁରି ଶାଣିତ କରିଥିଲେ।

ଅଧିକ ସୁଯୋଗ ଓ ନୂଆ ଅନୁଭୂତିର ସନ୍ଧାନରେ ସେ ସାଂସ୍କୃତିକ ସହର କଟକକୁ ଆସିଥିଲେ। କଟକରେ ନିଜର ସ୍ୱପ୍ନକୁ ସାକାର କରିବା ପଥରେ ଅନେକ ସଂଘର୍ଷ ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲେ ମଧ୍ୟ ଅଭିନୟ ପ୍ରତି ଥିବା ଅଦମ୍ୟ ଆଗ୍ରହ ଓ ଆତ୍ମବିଶ୍ୱାସ ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା। ହାସ୍ୟ କଳାକାର ଭାବେ ସିନେମା ଜଗତରେ ପ୍ରଥମ ପଦାର୍ପଣ କରିବା ପରେ ସେ କ୍ରମଶଃ ନିଜ ଅଭିନୟର ପରିସରକୁ ବ୍ୟାପକ କରିଥିଲେ।

‘ଚକ୍ରାନ୍ତ’, ‘ମିଠା ମିଠା ଚୁଇଙ୍ଗମ୍’, ‘ମିତାଲି ଅପା’, ‘ଲଭ ଏକ୍ସପ୍ରେସ’, ‘ବନ୍ଦିନୀ’, ‘ଧୋକା’ ଏବଂ ‘ମନ୍ତ୍ରମୁଗ୍ଧ’ ଆଦି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଛି। ଚରିତ୍ରକୁ ଜୀବନ୍ତ କରିବାର ଶୈଳୀ ଓ ହାସ୍ୟରସାତ୍ମକ ଉପସ୍ଥାପନା ତାଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।

ଚଳଚ୍ଚିତ୍ର ମଞ୍ଚ ଓ ଦୂରଦର୍ଶନ  ସହିତ ଡିଜିଟାଲ୍ ମାଧ୍ୟମକୁ ମଧ୍ୟ ସେ ନିଜ ସୃଜନଶୀଳତାର ଏକ ପ୍ରମୁଖ ମାଧ୍ୟମ ଭାବେ ଆପଣାଇଛନ୍ତି।   ସୈ।ମ୍ୟ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସେ ବିଭିନ୍ନ ହାସ୍ୟରସାତ୍ମକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଦର୍ଶକଙ୍କ ନିକଟରେ ପହଞ୍ଚାଉଛନ୍ତି। ‘ନନା ତମର ଖସିଲା’, ‘ରାଜୁ ଶାଗଵାଲା’, ‘ପ୍ରଭୁ ମହିମା’, ‘ପାଚିଲା ପଣସ’, ‘ମୁନିଆ ସିଙ୍ଗଡ଼ା କଣାଵରା’, ‘ଧରମ ଭାଇର ଧାରୁଆ ଛୁରୀ’ ଏବଂ ‘ଡୁଏଲ୍ ସିମ୍’ ଭଳି କାହାଣୀଭିତ୍ତିକ ଭିଡିଓ ଓ କାର୍ଯ୍ୟକ୍ରମ ମାଧ୍ୟମରେ ସେ ହାସ୍ୟ କଳାକାର ଭାବେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି। ତାଙ୍କ ଅଭିନୟରେ ହାସ୍ୟ, ମନୋରଞ୍ଜନ ସହିତ ସାମାଜିକ ବାର୍ତ୍ତାର ସମନ୍ୱୟ ଦେଖିବାକୁ ମିଳେ।

ନିଜ ସଫଳତାର ଶ୍ରେୟ ଓ ପ୍ରେରଣା ପାଇଁ ସେ ପ୍ରଯୋଜକ ସୌରଭ ପାଢୀ, ପିକେ ସାର ଡକ୍ଟର ରାଜୁ ନାୟକ ଏବଂ ନିରଞ୍ଜନ ନିରୁଆ ପ୍ରମୁଖଙ୍କ ନାମ ଉଲ୍ଲେଖ କରିଛନ୍ତି। ଆଗାମୀ ଦିନରେ ‘ଅଲି ବଜରଙ୍ଗ ଵଲି’ ସମେତ ଆହୁରି ୪ରୁ ୫ଟି ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସେ ଚୁକ୍ତିବଦ୍ଧ ହୋଇଛନ୍ତି। ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସଂସ୍ଥା ପକ୍ଷରୁ ସମ୍ମାନିତ ଓ ପୁରସ୍କୃତ ମଧ୍ୟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *