ସୂଚନା ପ୍ରଦାନରେ ଅବହେଳା ପ୍ରତିବାଦରେ ଆଳି ତଟବନ୍ଧ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା

କେନ୍ଦ୍ରାପଡ଼ା, ୨୫/୧୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ଆଳି ତଟବନ୍ଧ ଡିଭିଜନ ଏବଂ ଏହା ଅଧୀନସ୍ଥ ବିଭିନ୍ନ ସେକସନ ସମ୍ବନ୍ଧରେ ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ମଗିଥିବା ଆବେଦନକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟଙ୍କୁ ଆବେଦନ ଅନୁଯାୟୀ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇନଥିବା ପ୍ରତିବାଦରେ ସେ ତଟବନ୍ଧ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ଅଭିଯୋଗ ଅନୁଯାଇ ଆବେଦନକାରୀ ଶ୍ରୀ ଆଚାର୍ଯ୍ୟ ଆଳି ତଟବନ୍ଧ ଡିଭିଜନର ବିଭିନ୍ନ ସେକସନ ସମ୍ପର୍କରେ ଗତ ୧୬. ୦୬.୨୦୨୬ରିଖରେ କେତେକ ତଥ୍ୟ ସୂଚନା ଅଧିକାର ଆଇନ ଅନୁଯାୟୀ ମାଗିଥିଲେ । କିନ୍ତୁ ସଂପୃକ୍ତ ଡିଭିଜନ ପକ୍ଷରୁ ତାଙ୍କୁ ଅସମ୍ପୂର୍ଣ୍ଣର୍ ତଥ୍ୟ ପ୍ରଦାନ କରାଯାଇ ଥିଲା । ଶ୍ରୀ ଆଚାର୍ଯ୍ୟ ଏହା ବିରୁଦ୍ଧରେ ପ୍ରଥମ ଅପିଲ କର୍ତୃପକ୍ଷଙ୍କ ନିକଟରେ ଅପିଲ ଦାଖଲ କରିଥିଲେ ।

କିନ୍ତୁ ସେହି ଅପିଲ ଗୁଡ଼ିକର ଆଇନ ସମ୍ମତ ସମୟସୀମା ମଧ୍ୟରେ ନିଷ୍ପତି ଗ୍ରହଣ କରାନଯିବା ଏବଂ ଆଳି ଡିଭିଜନ ପକ୍ଷରୁ ଅସମ୍ପୂର୍ଣ୍ଣ ସୂଚନା ପ୍ରଦାନ ପ୍ରତିବାଦରେ ବୁଧବାର ଆଳି ତଟବନ୍ଧ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀ ଆଚାର୍ଯ୍ୟ ଏକ ଦିନିକିଆ ଶାନ୍ତିପୂର୍ଣ୍ଣ ଧାରଣାରେ ବସିରହିଥିଲେ । ଏହା ବ୍ୟତୀତ ଗତ ୧. ୦୯. ୨୦୨୬ ରିଖରେ ଆଳି ତଟବନ୍ଧ ଡିଭିଜନ କାର୍ଯ୍ୟାଳୟରେ ଜନସୂଚନା ଅଧିକାରୀଙ୍କ ଦ୍ୱାରା ତାଙ୍କୁ ଅପମାନ ଜନକ ବ୍ୟବହାର କରାଯାଇଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିଲେ । ଏହି ଘଟଣାର ନିରପେକ୍ଷ ତଦନ୍ତ ଓ ଉଚିତ୍ ପ୍ରତିକାର ଦାବି କରି ସେ ପୂର୍ବରୁ ବିଭାଗୀୟ ମୁଖ୍ୟଯନ୍ତ୍ରୀ ତଥା ଅବବାହିକା ପରିଚାଳକ, ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ପ୍ରଣାଳୀ, ଚଣ୍ଡିଖୋଲଙ୍କ ସମେତ ସମ୍ପୃକ୍ତ ବିଭାଗର ଉଚ୍ଚ କର୍ତୃପକ୍ଷ ଓ କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିକଟରେ ୧୨/୧୦/୨୦୨୬ ରିଖରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ ।

ପରବର୍ତୀ ସମୟରେ ୧୨/୧୧/୨୦୨୬ ରିଖରେ ଧାରଣା ସମ୍ପର୍କ ରେ ମଧ୍ୟ ଅବଗତ କରାଇଥିଲେ । ତଥାପି ତାଙ୍କ ଅଭିଯୋଗ ଅନୁଯାୟୀ ଆଜି ପର୍ଯ୍ୟନ୍ତ ମୂଳ ଦାବିଗୁଡ଼ିକ ଉପରେ କୌଣସି ଠୋସ୍ ପ୍ରତିକାର ଗ୍ରହଣ କରାଗଲା ନାହିଁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ଆଜି ଧାରଣା ସମୟରେ ଆଳି ତଟବନ୍ଧ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ପକ୍ଷରୁ ଏଷ୍ଟିମେଟର ବିଶ୍ୱଜିତ ଜେନା, ଦୀପକ ଦାସ ଓ ପ୍ରକାଶ ନାୟକ ପ୍ରମୁଖ ଆସି ଧାରଣା ସ୍ଥଳରେ ପହଂଚିି ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟଙ୍କୁ କିଛି ତଥ୍ୟ ପ୍ରଦାନ କରିବା ସହିତ ଅବଶିଷ୍ଟ ସମସ୍ତ ତଥ୍ୟ ଖୁବ୍ ଶୀଘ୍ର ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ଧାରଣାକାରୀ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ସେ ଆବେଦନ କରିଥିବା ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ, ସଠିକ୍ ଓ ପ୍ରମାଣିତ ସୂଚନା ଆଗାମୀ ୧୫ ଦିନ ମଧ୍ୟରେ ତାଙ୍କୁ ପ୍ରଦାନ କରାଯିବା ସହ ସେ ଦାଖଲ କରିଥିବା ସମସ୍ତ ପ୍ରଥମ ଅପିଲ୍ ର ଆଇନ ଅନୁଯାୟୀ ଶୁଣାଣି କରାଯାଇ କାରଣ ସହିତ ଲିଖିତ ଆଦେଶ ଆଗାମୀ ୧୫ ଦିନ ମଧ୍ୟରେ ତାଙ୍କୁ ପ୍ରଦାନ କରିଯାଉ ।

ଆଳି ଉପବିଭାଗ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିବା ଅସମ୍ପୂର୍ଣ୍ଣ ସୂଚନାର ଯାଂଚ କରି ବାକି ରହିଥିବା ଅବଶିଷ୍ଟ ସମ୍ପୂର୍ଣ ତଥ୍ୟ ଆଗାମୀ ୧୫ ଦିନ ମଧ୍ୟରେ ତାଙ୍କୁ ପ୍ରଦାନ କରାଯାଉ । ଏଥିସହିତ ତଟବନ୍ଧ ଡିଭିଜନର ଜନସୂଚନା ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଅପମାନ ଜନକ ବ୍ୟବହାରର ନିରପେକ୍ଷ ତଦନ୍ତ କରାଯାଇ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଯଦି ଆଗାମୀ ୧୫ ଦିନ ମଧ୍ୟରେ ଏସମସ୍ତ ଅଭିଯୋଗର ପ୍ରତିକାର କରାନଯାଏ ତେବେ ସେ ପୁର୍ନବାର ଅନିର୍ଦିଷ୍ଟ ସମୟ ପାଇଁ ଧାରଣା ଦେବେ ବୋଲି ଶ୍ରୀ ଆଚାର୍ଯ୍ୟ ଚେତାବନୀ ଦେବା ସହିତ ଲିଖିତ ଦାବିପତ୍ର ଦେଇ ଆଜିର ଧାରଣାକୁ ସ୍ଥଗିତ ରଖିଥିଲେ । ଦୁଷ୍ମନ୍ତଙ୍କ ଏହି ଧାରଣାକୁ ସମର୍ଥନ ଜଣାଇ ଓଡ଼ିଶା ସୂଚନା ଅଧିକାର ଅଭିଯାନ ସଙ୍ଗଠନ ପକ୍ଷରୁ ମାନସ ରଞ୍ଜନ ଆଚାର୍ଯ୍ୟ, ଜନକର ଜେନା, ସୁମନ୍ତ ସେଠୀ, ସାମାଜିକ କର୍ମୀ ଶୁଭାଶିଷ ଷଡ଼ଙ୍ଗୀ ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *