୫୫ ବୋତଲ କୋଡ଼ିନ କଫ ସିରପ ଓ ବୁଲେଟ ସହ ଯୁବକ ଗିରଫ
ଜଗତସିଂହପୁର,୦୯/୧୦/୨୦୨୬(ଓଡ଼ିଶା ସମାଚାର)-ଜଗତସିଂହପୁର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ବଜାର ରୁ ଜଣେ କଫ ସିରପ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା। ଯାଞ୍ଚ ପରେ ତାଙ୍କ ପାଖରୁ ୫୫ ବୋତଲ(୫ଲିଟର ୫୦୦ ମିଲି)ର ଏସ୍ କୁଫ କୋଡ଼ିନ ଫସଫେଟ୍ ଟ୍ରିପୋଲିଡିନ ହାଇଡ୍ରୋକ୍ଲୋରାଇଡ ସିରଫ, ଏକ ଆଣ୍ଡ୍ରଏଡ ଫୋନ ଏବଂ ଏକ ରୟାଲ ଏନଫିଲ୍ଡ ମୋଟର ସାଇକେଲ (ନଂ- ଓଡ଼ି-୦୫-କ୍ୟୁ-୭୮୭୨) ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ ଜଗତସିଂହପୁର ଥାନା ଓଡପଡା ଗ୍ରାମର ପ୍ରଶାନ୍ତ ପଲେଇଙ୍କ ପୁଅ ବଇରି ଗଞ୍ଜନ ପଲେଇ (୩୯) ଦୀର୍ଘ ଦିନ ଧରି ଆଳିପିଙ୍ଗଳ ଅଞ୍ଚଳରେ ବେଆଇନ କୋଡ଼ିନ କଫ ସିରପ ବେପାର କରୁଥିବା ବେଳେ ତାକୁ ଧରିବା ପାଇଁ ଅବକାରୀ ବିଭାଗ ବହୁବାର ଜାଲ ବିଛାଇ ଥିଲା। ସବୁଥର ଭଳି ଅବକାରୀ ବିଭାଗକୁ ଚକମା ଦେଇ ଖସିଯାଉଥିବାବେଳେ ଅନେକ କସରତ୍ ପରେ ଆଜି କିନ୍ତୁ ତାଙ୍କୁ ଅବକାରୀ ବିଭାଗ କାବୁ କରିନେଇଥିଲା।
ଏକ ଗୁଇନ୍ଦା ଖବର କୁ ଭିତ୍ତି କରି ବଇରି ଗଞ୍ଜନ ପଲେଇ ଙ୍କ ସର୍ମ୍ପକରେ ତଥ୍ଯ ବାହାର କରିଥିଲେ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ। ଗ୍ରାହକଙ୍କୁ ବିକ୍ରି କରିବା ପାଇଁ ସେ ଆଜି ନିଜର ବୁଲେଟ ମୋଟର ସାଇକେଲ ରେ କୋଡ଼ିନ କଫ ସିରପ ରଖିଥିବାର ସୂଚନା ପାଇବା ପରେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ସବ୍-ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏ ଏସ୍ ଆଇ କ୍ଷୀରୋଦ କୁମାର ସାହୁ, କନଷ୍ଟେବଳ ବିଶ୍ବନାଥ ମୁଣ୍ଡା, ଶୁଭଶ୍ରୀ ବିଶ୍ବାଳ, ସୁକାନ୍ତ ମାଝୀ, ବିଶ୍ବରଞ୍ଜନ ସ୍ବାଇଁ, ଅନୁରାଗ ସୂର୍ୟ୍ୟବଂଶୀ, ସବିତା ନାୟକ ପ୍ରମୁଖ ଙ୍କୁ ନେଇ ଏକ ଟିମ ଗଠନ ହୋଇଥିଲା ଯାହାର ନେତୃତ୍ବ ନେଇଥିଲେ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ। ଆଳିପିଙ୍ଗଳ ବଜାର ଠାରେ ଆଜି ସେ ଗ୍ରାହକଙ୍କୁ ହେରୋଇନ ବିକ୍ରି କରୁଥିବା ବେଳେ ଗ୍ରାହକ ବେଶରେ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର କର୍ମଚାରୀ। ଜବତ କଫ ସିରପ ସହ ମଟରସାଇକେଲ ର ଆନୁମାନିକ କଳାବଜାରୀ ମୂଲ୍ୟ ପ୍ରାୟ ୧,୪୦,୭୮୦ ଟଙ୍କା ହେବ।
ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର କେସ୍ ସଂଖ୍ୟା ୧୮୪୵୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଯାଇଛି। । ଜଗତସିଂହପୁର ଅଞ୍ଚଳରେ ନାର୍କୋଟିକ୍ସ ବ୍ୟବସାୟ କୁ ଦମନ କରିବାକୁ ସ୍ବତନ୍ତ୍ର ଅପରେସନ୍ ଚାଲିଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ଓ ସମସ୍ତ ନିଶାବେପାରୀଙ୍କୁ ଜେଲ୍ ରେ ପୁରାଇବାକୁ ଜଗତସିଂହପୁର ଅବକାରୀ ବିଭାଗ ଉଦ୍ୟମ ରତ ଥିବାର ସେ କହିଛନ୍ତି।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
