ଗରଦପୁର ବ୍ଳକ :ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଗଠନ ପାଇଁ ପ୍ରଶିକ୍ଷଣ ଶିବିର

ପାଟକୁରା ୩୦/୧୦/୨୦୨୫ (ଓଡ଼ିଶା ସମାଚାର)- ସମାଜରେ କୁସଂସ୍କାର ଦୂରକରିବା ପାଇଁ ରାଜ୍ୟସରକାର ପ୍ରୟାସ କରିଛନ୍ତି । ଏଣୁ ପ୍ରଶିକ୍ଷଣ ମାଧ୍ୟମରେ ସଚେତନତା ସୃଷ୍ଟି କରିବାପାଇଁ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯଉଛି । ଆଜି ଗରଦପୁର ବ୍ଳକ ସମ୍ମିଳନୀ କକ୍ଷରେ ଏଥିପାଇଁ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ଏସ ଆଇ ଆର ଡ଼ି ରୁ ଗଙ୍ଗାଧର ଦଳାଇ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇ ରାଜ୍ୟ ସାରକାରଙ୍କ ବିଭିନ୍ନ ସଂସ୍କାର ମୂଳକ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ପାର୍ବତୀ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ବ୍ଲକର ଅଠର ଗୋଟି ଗ୍ରାମ ପଂଚାୟତର ସରପଞ୍ଚ, ସମିତିସଭ୍ୟ, କାର୍ୟ୍ୟନିର୍ବାହୀ ଅଧିକାରୀ, ଆକାଉଣ୍ଟସ ଅଧିକାରୀ, ଜୀବିକା ମିଶନ କର୍ମଚାରୀ ଓ ପ୍ରତ୍ୟେକ ପଂଚାୟତରେ କାର୍ୟ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ ।

ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ପାର୍ବତୀ ବାରିକ ମଧ୍ୟ ପ୍ରଶିକ୍ଷକଭାବେ ବିବାହ ପାଇଁ ସରକାର ପ୍ରଣୟନ କରିଥିବା ନିୟମ ବାବଦରେ ବୁଝାଇଥିଲେ । ବିବାହ ପାଇଁ ଝିଅର ବୟସ ସର୍ବନିମ୍ନ ଅଠର ଓ ପୁଅର ବୟସ ସର୍ବନିମ୍ନ ଏକୋଇଶି ହେବା ନିହାତି ଜରୁରୀ ବୋଲି ସେ କହିଥିଲେ । କିନ୍ତୁ ସଚେତନତା ଅଭାବରୁ କେତକ ପିତାମାତା କମ୍ ବୟସରେ ସେମାନଙ୍କ ପୁଅ ଝିଅକୁ ବିବାହ କରିଦେଉଛନ୍ତି । ଫଳରେ ବିବାହ ପରବର୍ତ୍ତୀ ଅବସ୍ଥାରେ ଦମ୍ପତିଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହେଉଛି । କମ୍ ବୟସ ଯୋଗୁ ମାନସିକ ଦୃଢ଼ତା ନ ଥିବାରୁ ପରିବାର ଉପରେ ଏହାର ପ୍ରଭାବ ପଡୁଛି ବୋଲି ସେ କହିଥିଲେ ।

ଜନ ସମାଜ ଉପରେ ଗ୍ରାମ ପଞ୍ଚାୟତ ପ୍ରତିନିଧିମାନଙ୍କର ଯଥେଷ୍ଟ ପ୍ରଭାବ ରହୁଛି । ପଞ୍ଚାୟତ ସ୍ତରରେ ଥିବା କାର୍ୟ୍ୟନିର୍ବାହୀ ଅଧିକାରୀ, ଆକାଉଣ୍ଟସ ଅଧିକାରୀ, ସ୍ୱାସ୍ଥ୍ୟ କର୍ମଚାରୀ, ଜୀବିକା ମିଶନ କର୍ମଚାରୀ ମାନେ ଲୋକଙ୍କ ସହିତ ବିଭିନ୍ନ ସରକାରୀ କାର୍ୟ୍ୟରେ ମିଶୁଥିବାରୁ ସେମାନଙ୍କର ମଧ୍ୟ ଭଲ ଲୋକ ସମ୍ପର୍କ ରହୁଛି । ସେମାନେ ଚାହିଁଲେ ବାଲ୍ୟ ବିବାହ ଭଳି ଏକ କୁସଂସ୍କାର ପ୍ରଥା ସମାଜରୁ ହଟିଯିବ ବୋଲି କହିଥିଲେ । ଏଣୁ ପଞ୍ଚାୟତ ପ୍ରତିନିଧି, ସରକାରୀ କର୍ମଚାରୀ ମିଳିତ ଭାବେ ସଚେତନତା କାର୍ୟ୍ୟ ହାତକୁନେଲେ ସମାଜରୁ କୁସଂସ୍କାର ହଟିବ ଓ ସରକାରଙ୍କ ଯୋଜନା ଧାର୍ୟ୍ୟ ଲକ୍ଷ୍ୟରେ ପହଂଚି ପାରିବ ବୋଲି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ତଥା ପ୍ରଶିକ୍ଷକ ପାର୍ବତୀ ବାରିକ ବୁଝାଇଥିଲେ । ଫଳରେ ସରକାରଙ୍କ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଗଠନ ଯୋଜନା ସଫଳ ହୋଇପାରିବ ।

Leave a Reply

Your email address will not be published. Required fields are marked *