ଗଜପତିର ନେରେଡି ବ୍ୟାରେଜ୍‌ ସ୍ଥଳ ପରିଦର୍ଶନ କଲା ଟ୍ରିବ୍ୟୁନାଲ୍‌ ସୁପରଭାଇଜରି କମିଟି

ପାରଳାଖେମୁଣ୍ଡି,୦୯/୧୦/୨୦୨୬(ଓଡ଼ିଶା ସମାଚାର)- ବଂଶଧାରା ନଦୀରେ ପ୍ରସ୍ତାବିତ ନେରେଡି ବ୍ୟାରେଜ୍‌କୁ ନେଇ ବିବାଦ ମଧ୍ୟରେ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍‌ର ସୁପରଭାଇଜରି କମିଟି ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିଛି । ଗତକାଲି କମିଟିର ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ଜଳ ଆୟୋଗ ଭୁବନେଶ୍ୱରର ମୁଖ୍ୟଯନ୍ତ୍ରୀ ଜି. ନାଗାମୋହନଙ୍କ ନେତୃତ୍ୱରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଓଡ଼ିଶା ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଅରୁଣ ପାଲ, ଆନ୍ଧ୍ର ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଶେଷ ବାବୁଙ୍କ ସମେତ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ସ୍ଥାନୀୟ ବିଡ଼ିଓ, ତହସିଲଦାର, ଗଜପତି ଜିଲ୍ଲା ଜଳ ସମ୍ପଦ ବିଭାଗୀୟ ଅଧିକାରୀଙ୍କ ସମେତ ଅଞ୍ଚଳବାସୀ ଓ ନେରେଡି ବ୍ୟାରେଜ କମିଟିର ସଦସ୍ୟମାନେ କାଟ୍ରାଗଡ଼ା ସାଇଡ୍‌ ୱିଅର୍‌, ଫ୍ଲଡ୍‌ ଫ୍ଲୋ କେନାଲ ଓ ପ୍ରସ୍ତାବିତ ନେରେଡି ବ୍ୟାରେଜ୍‌ ସ୍ଥଳ ଅନୁଧ୍ୟାନ କରିଥିଲେ । ପରିଦର୍ଶନ ପରେ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ବୈଷୟିକ ଦିଗ ନେଇ ଆଲୋଚନା ହୋଇଥିଲା । ପ୍ରକଳ୍ପର ଭୌଗୋଳିକ ସ୍ଥିତି, ଜଳ ପ୍ରବାହ, ବନ୍ୟା ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା ଓ ଆନୁଷଙ୍ଗିକ ନିର୍ମାଣ ନେଇ କମିଟି ତଥ୍ୟ ଅନୁଧ୍ୟାନ କରିଥିବା ଜଣାପଡ଼ିଛି ।

ଏହି ପରିଦର୍ଶନ ପରେ ପ୍ରକଳ୍ପର ବୈଷୟିକ ଓ ଭୌଗୋଳିକ ସ୍ଥିତି ସମ୍ପର୍କରେ କମିଟି ପକ୍ଷରୁ ଅଧିକ ସ୍ପଷ୍ଟତା ଆସିବା ଆଶା କରାଯାଉଛି । ନେରେଡି ବ୍ୟାରେଜ୍‌ ନିର୍ମାଣକୁ ନେଇ ଏପଟେ ଗଜପତି ଜିଲ୍ଲାରେ ଚିନ୍ତା ବଢ଼ିଛି । ପ୍ରକଳ୍ପ ଯୋଗୁଁ କାଶୀନଗର ବ୍ଲକର ସାରା, ବାଡ଼ିଗାଁ ଓ ପାଲାସିଙ୍ଗି ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି । ପ୍ରାଥମିକ ଆକଳନ ଅନୁଯାୟୀ ୧୦୬ ଏକରରୁ ଊର୍ଦ୍ଧ୍ବ ଜମି ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ ବାସ୍ତବରେ ଏହାଠାରୁ ଅଧିକ ଜମି ପ୍ରଭାବିତ ହୋଇପାରେ ବୋଲି ଗ୍ରାମବାସୀ ଆଶଙ୍କା କରିଛନ୍ତି । ଏହି ପରିସ୍ଥିତିରେ ଗୁରୁବାର ଗଜପତି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସାରା ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଆନ୍ଧ୍ରପ୍ରଦେଶର ଅଧିକାରୀ ଓ ପ୍ରକଳ୍ପ ସମ୍ପର୍କିତ ଯନ୍ତ୍ରୀମାନେ ମଧ୍ୟ ଆଲୋଚନାରେ ଉପସ୍ଥିତ ଥିଲେ ।

ପ୍ରକଳ୍ପ ଯୋଗୁଁ କେତେ ଜମି ପ୍ରଭାବିତ ହେବ, ଘରବାଡ଼ି, ଚାଷବାସ ଓ ଜୀବିକା ଉପରେ କି ପ୍ରଭାବ ପଡ଼ିବ, ସେ ନେଇ ଲୋକଙ୍କ ମତାମତ ନିଆଯାଇଥିଲା । ଆଲୋଚନା ସମୟରେ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ପ୍ରାୟ ୧୨ ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ପାଣି ଧାରଣ ଏବଂ ପ୍ରାୟ ସାଢ଼େ ୩ କିମି ଅଞ୍ଚଳରେ ୧୨ ଫୁଟ୍‌ ଉଚ୍ଚତାର ସୁରକ୍ଷା ପ୍ରାଚୀର ନିର୍ମାଣ ସହ ଅତିରିକ୍ତ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ରଖିଥିଲେ । ତେବେ ଏଥିରେ ଗ୍ରାମବାସୀ ସନ୍ତୁଷ୍ଟ ହୋଇନଥିଲେ । ପ୍ରକଳ୍ପର ପ୍ରକୃତ ପ୍ରଭାବ ଜାଣିବା ପାଇଁ ସବିଶେଷ ସର୍ଭେ କରିବା ସହ ଜମି, ଘରବାଡ଼ି, ଫସଲ ଓ ଜୀବିକାର କ୍ଷୟକ୍ଷତି ଆକଳନ କରିବାକୁ ସେମାନେ ଦାବି କରିଥିଲେ । ଉପଲବ୍ଧ ତଥ୍ୟ ଅନୁଯାୟୀ, ସାରା ଗାଁର ପ୍ରାୟ ୩୦୦ ପରିବାରର ୨ ହଜାର ଲୋକ, ବାଡ଼ିଗାଁର ୪୦ ପରିବାରର ପ୍ରାୟ ୨୦୦ ଲୋକ ଏବଂ ପାଲସିଙ୍ଗିର ୬୦ ପରିବାରର ପ୍ରାୟ ୩୦୦ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ଏହି ସଂଖ୍ୟା ପ୍ରାଥମିକ ଆକଳନ ହୋଇଥିବାରୁ ଅନ୍ତିମ ପ୍ରଭାବିତ ପରିବାର ଓ ଲୋକସଂଖ୍ୟା ସବିଶେଷ ସର୍ଭେ ପରେ ସ୍ପଷ୍ଟ ହେବ । ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ଆନ୍ଧ୍ରପ୍ରଦେଶକୁ ନେରେଡି ବ୍ୟାରେଜ୍‌ ଓ ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣର ବ୍ୟବସ୍ଥା ରହିଛି । ଓଡ଼ିଶା ସୀମାରେ ଆବଶ୍ୟକ ଜମି ଅଧିଗ୍ରହଣ ଓ କ୍ଷତିପୂରଣର ଖର୍ଚ୍ଚ ଆନ୍ଧ୍ରପ୍ରଦେଶ ସରକାର ବହନ କରିବାର ବ୍ୟବସ୍ଥା ଥିବା କୁହାଯାଉଛି ।

ଗତ ସେପ୍ଟେମ୍ବର ୮ରେ ମଧ୍ୟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରକଳ୍ପ ସମ୍ପର୍କିତ ବୈଠକ ହୋଇଥିଲା। ଜମି, ପରିବେଶ, ସାମାଜିକ ପ୍ରଭାବ ଓ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ନେଇ ଆଲୋଚନା ହୋଇଥିଲା । ପ୍ରକଳ୍ପକୁ ନେଇ ଲୋକଙ୍କ ଆଶଙ୍କା ଦୂର ନହେବା ପର୍ଯ୍ୟନ୍ତ ଏକତରଫା ପଦକ୍ଷେପ ନନେବାକୁ ଗ୍ରାମବାସୀ ଦାବି କରିଛନ୍ତି । ସମସ୍ତ ଆପତ୍ତି ଓ ଅଭିଯୋଗ ଶୁଣିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରଙ୍କୁ ଅବଗତ କରାଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *