ଅବିବାହିତ ମହିଳା ସରସ୍ଵତୀ ସାହୁଙ୍କ ପାଇଁ ସରକାରୀ ପକ୍କା ଘର ସାତ ସପନ 

କଟକ ସଦର,୧୭/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରୀ ପକ୍କା ଘରକୁ ଫନ୍ଦି ଫିକର କରି ଥିଲା ଵାଲା ଅଯୋଗ୍ୟ ବ୍ୟକ୍ତି ମାନେ ହାତେଇ ନେବାକୁ ସକ୍ଷମ ହେଉଥିବା ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ଅଗ୍ରାଧିକାର ଭିତ୍ତିରେ ଅବିବାହିତା ମହିଳାଙ୍କୁ ସରକାରୀ ପକ୍କା ଘର ଯୋଗାଇ ଦେବାକୁ ସରକାରୀ ନିୟମ ବଳବତ୍ତର ଥିବାବେଳେ ଦୀପ ତଳ ଅନ୍ଧାର ଭଳି କଟକ ସଦର ବ୍ଲକର କିଶନନଗର ପଞ୍ଚାୟତରେ ତାହା ପ୍ରହସନ ପାଲଟିଛି।

ଉକ୍ତ ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଜନୈକା ଅବିବାହିତ ମହିଳା ସରସ୍ଵତୀ ସାହୁ ଭଙ୍ଗାରୁଜା କୁଡିଆ ଘରେ ରହୁଛନ୍ତି। ପୂର୍ବରୁ ଘରର ଚାଳ ଛପର ଉଡ଼ିଯିବା ଫଳରେ ସରସ୍ଵତୀ ମାଗିଯାଚି ପୁରୁଣା ଦଦରା ଟିଣ ପକାଇ ଚଳି ଆସୁଥିଲେ। ହେଲେ ଗତକାଲି ରବିବାର ଦିନ ପ୍ରବଳ ବର୍ଷାରେ ଗୋଟିଏ ପଟ କାନ୍ଥ ଭାଙ୍ଗି ପଡ଼ିଛି। ଯେଉଁଥିପାଇଁ ସରସ୍ଵତୀ ଏବେ ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଜଣାପଡିଛି।

ତୁରନ୍ତ ସରସ୍ଵତୀ ଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ସହିତ ପକ୍କା ଘର ଯୋଗାଇ ଦେବାକୁ ସମାଜସେବୀ କ୍ଷିତିନ୍ଦ୍ର ମିତ୍ର (ଶିଵୁ) କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିକଟରେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *