ପାରଳାଖେମୁଣ୍ଡି,୦୯/୧୦/୨୦୨୬(ଓଡ଼ିଶା ସମାଚାର)-ଗଜପତି ଜିଲ୍ଲାରେ ଦାଦନ ଶ୍ରମିକଙ୍କ ଯାତନା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଲେଙ୍ଗାନା ଓ ତାମିଲନାଡୁରେ ପୁଣି ଗଜପତି ଜିଲ୍ଲାର ଦୁଇ ଜଣ ଯୁବ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଦୁଃଖଦ ଖବର ହସ୍ତଗତ ହୋଇଛି । ଦରିଦ୍ରତା ଯୋଗୁଁ ପରିବାର ପ୍ରତିପୋଷଣ ପାଇଁ ନିଜ ଘର ଛାଡି ରାଜ୍ୟ ବାହାରକୁ ଯାଇଥିବା ଗଜପତି ଜିଲ୍ଲାର ଦୁଇଜଣ ଯୁବକଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ଜଣେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଅସୁସ୍ଥତା ଯୋଗୁଁ ପମୃତ୍ୟୁ ଘଟିଛି ।
ମୋହନା ବ୍ଲକ୍ ବାରିଆବନ୍ଧ ଗ୍ରାମର ମୁନା କାର୍ଜୀ ପ୍ରାୟ ଦୁଇ ବର୍ଷ ତଳେ ବାପା ବାମନ କାର୍ଜୀଙ୍କ ମୃତ୍ୟୁ ପରେ ପରିବାରର ଦାୟିତ୍ଵ ମୁଣ୍ଡାଇଥିଲେ । ଅସୁସ୍ଥ ମାଆର ଚିକିତ୍ସା ଓ ଦୁଇ ଭଉଣୀଙ୍କ ବାହାଘର ପାଇଁ ରୋଜଗାର କରି ଟଙ୍କା ଯୋଗାଡ଼ କରିବା ଲକ୍ଷ୍ୟରେ ଚେନ୍ନାଇ ଯାଇଥିଲେ । ସେଠାରେ ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । କର୍ମସ୍ଥଳରେ ବିଦ୍ୟୁତ୍ ଆଘାତରେ ସେ ପ୍ରାଣ ହରାଇଥିବା ବେଳେ ସେଠାରେ ଶବ ବ୍ୟବଚ୍ଛେଦ ହୋଇ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସତ୍କାର କରାଯାଇଥିବା ସୂଚନା ମିଳିଛି।
ସେହିପରି ଗଜପତି ଜିଲ୍ଲାର ଗୁମ୍ମା ବ୍ଳକର ଉତ୍ତମ କୁମାର ପାଣିଙ୍କ ୧୯ ବର୍ଷୀୟ ପୁଅ ଜୀବିତ କୁମାର ପାଣି ମଧ୍ୟ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ନିଜ ଗ୍ରାମ ଆଶ୍ରୟଗଡ଼ରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟଯେ, ମୃତ୍ୟୁବରଣ କରିଥିବା ଏହି ଦୁଇ ଯୁବ ଶ୍ରମିକଙ୍କ ପରିବାର ବର୍ତ୍ତମାନ ଅସହାୟ ସ୍ଥିତିରେ ରହିଛନ୍ତି ।ଏହି ପରିବାରର ପରିପୋଷଣ ପାଇଁ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ନିବେଦନ କରିଛନ୍ତି ।
