କଟକ ସଦର, ୦୯/୧୦/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିଜ ପଞ୍ଚାୟତ କିଶନନଗର ଠାରେ ଥିବା କିଶନନଗର କଲେଜରେ ଛାତ୍ର ସଂସଦ ନିର୍ବାଚନ ଏକ ପାଖିଆ ହେବ ବୋଲି ଆପାତତଃ ଜଣାପଡିଛି। ଆଜି ଶୁକ୍ରବାର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଦିନରେ ଶତାଧିକ ଛାତ୍ରଛାତ୍ରୀ ଓଡି଼ଶାର ପ୍ରଥମ ରାଜଵନ୍ଦୀ ସ୍ୱର୍ଗତ ରାଜକୃଷ୍ଣ ବୋଷଙ୍କ ପ୍ରତିମୂର୍ତ୍ତି ନିକଟରୁ ସେମାନଙ୍କ ମନୋନୀତ ପ୍ରାର୍ଥୀ ମାନଙ୍କୁ ନେଇ ନାମାଙ୍କନ ଦାଖଲ ପାଇଁ କଲେଜ ଅଭିମୁଖେ ଯାଇଥିଲେ। 
ବିଧାୟକ ପ୍ରକାଶ ସେଠୀ ଙ୍କ ସମ୍ମାନ ପାଇଁ ଯୁବ ଛାତ୍ର ସଂଗଠକ ସତ୍ୟ ସିଦ୍ଧାନ୍ତ ଦାଶଙ୍କ ବଳିଷ୍ଠ ଉଦ୍ୟମରେ ଛାତ୍ରଛାତ୍ରୀ ମାନେ କିଶନନଗର ଛାତ୍ର ସଂସଦ ନିର୍ବାଚନକୁ ଅପ୍ରତିଦ୍ଵନ୍ଦୀ ଭାବେ କରିବାକୁ ଆଗେଇ ଆସିଥିବା ଜଣାପଡିଛି। ତେବେ ୧୦ ଟି ପଦବୀ ପାଇଁ ଆଜି ୧୫ ଜଣ ନାମାଙ୍କନ ପତ୍ର ଦାଖଲ କରି ଥିଵାଵେଳେ ଆସନ୍ତା କାଲି ଶନିବାର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ସଂପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ ବୋଲି ଜଣାଯାଇଛି। 
ସେହିପରି କଟକ ସଦର ନିର୍ବାଚନମଣ୍ଡଳୀର ୪୨ ମୌଜା ସୂଦର୍ଶନ ମହାବିଦ୍ୟାଳୟର ନିର୍ଵବାଚନ ପ୍ରଶାସନିକ କ୍ଷେତ୍ରରେ ବନ୍ଦ ରହିଥିବାବେଳେ କନ୍ଦରପୁରରେ ୨୨ ଜଣ ଓ ନେମାଳ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରେ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ପ୍ରତିଦ୍ବନ୍ଦିତା ଜୋରଦାର ହେବ ବୋଲି ଜଣାପଡିଛି। ତେବେ ଆସନ୍ତା କାଲି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରକୁ ସମସ୍ତଙ୍କର ନଜର ରହିଛି।
