ଯାଜପୁରରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ

ଯାଜପୁର,୦୧/୧୦/୨୦୨୬(ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ-୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ଓଡ଼ିଶା ରକ୍ତ ଭଣ୍ଡାର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର ପକ୍ଷରୁ ମହାରାଜା ଯାଜତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ (MJKMCH), ଯାଜପୁର ଅଡିଟୋରିୟମ୍‌ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ସିଡିଏମ୍‌ଓ ଡ. ନଗେନ୍ଦ୍ର ନାଥ ମହାପାତ୍ର, ମହାରାଜା ଯାଜତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍‌ ତଥା ପ୍ରିନ୍ସିପାଲ ଓ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଜମି ସାଗର ପୃଷ୍ଟି, ଡାକ୍ତର ,ଡାକ୍ତର ମନୋଜ କୁମାର ସେନାପତି, ଡାକ୍ତର ପ୍ରଶାନ୍ତ କୁମାର ବିଶ୍ୱାଳ, ନାଟ୍ୟକାର ତଥା ଅଧ୍ୟାପକ ଦୀପକ କୁମାର ଜେନା, ଡାକ୍ତର ଚିନ୍ମୟୀ ପଣ୍ଡା, ପାର୍ଥସାରଥୀ ପୁହାଣ, ବିଶ୍ୱରଞ୍ଜନ ଜୋଝା, ହୃଷିକେଶ ଜେନା, ଅଜୟ ଜେନା, ଇତିଶ୍ରୀ ନାୟକ, ତରୁଣ କୁମାର ନାୟକ ଏବଂ ନବୀନ ଚନ୍ଦ୍ର ସେଠୀ ସମେତ ବ୍ଲଡ୍ ସେଣ୍ଟରର ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ପରେ ରକ୍ତଦାନ ସଚେତନତା ସୃଷ୍ଟି ପାଇଁ ସାଂସ୍କୃତିକ ଓ ପ୍ରେରଣାଦାୟକ ନୃତ୍ୟ ପରିବେଷଣ କରାଯାଇଥିଲା।  ପିଜିଆଇ ଚଣ୍ଡୀଗଡ଼ର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ୟୁନିଟ୍‌ର ପ୍ରଫେସର ଜେ. ଗୋପାଳ ଜୋଲିଙ୍କ ଜନ୍ମଦିନକୁ ଜାତୀୟ ରକ୍ତଦାନ ଦିବସ ଭାବେ ପାଳନ କରାଯାଉଥିବା ଏବଂ ରକ୍ତଦାନ କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ରକ୍ତଦାତା, ରକ୍ତଦାନ ଶିବିର ଆୟୋଜକ ଓ ପ୍ରେରଣାଦାତାମାନଙ୍କୁ ସମ୍ମାନିତ କରି ସେମାନଙ୍କ ମହତ୍ ଅବଦାନର ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ସ୍ୱେଚ୍ଛାକୃତ ରକ୍ତଦାନ ମାନବିକତାର ଏକ ମହତ୍ ଉଦାହରଣ ହୋଇଥିବା ବେଳେ ଏହା ଅନ୍ୟର ଜୀବନ ରକ୍ଷା ସହ ଜଡ଼ିତ ଏକ ମହତ୍ କାର୍ଯ୍ୟ। ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ସହ ଦୁର୍ଘଟଣା, ଅସ୍ତ୍ରୋପଚାର ଓ ଅନ୍ୟାନ୍ୟ ଜଟିଳ ଚିକିତ୍ସା ସମୟରେ ଆବଶ୍ୟକ ରକ୍ତ ଯୋଗାଣ ସୁନିଶ୍ଚିତ କରିବାରେ ସ୍ୱେଚ୍ଛାକୃତ ରକ୍ତଦାନର ଗୁରୁତ୍ୱ ରହିଛି। ତେଣୁ ଯୁବପିଢ଼ି ସମେତ ସମସ୍ତେ ଆଗେଇ ଆସି ନିୟମିତ ଭାବେ ସ୍ୱେଚ୍ଛାକୃତ ରକ୍ତଦାନ କରିବା ପାଇଁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହ ରୋଗୀ ଓ ଡାକ୍ତରମାନଙ୍କ ସହ ଆଲୋଚନା କରି ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଥିଲେ।

ସିଡିଏମ୍‌ଓ ଡ. ନଗେନ୍ଦ୍ର ନାଥ ମହାପାତ୍ର ସଚେତନତା ବାର୍ତ୍ତା ଦେଇ କହିଥିଲେ ଯେ, ରକ୍ତ କୃତ୍ରିମ ଭାବେ ତିଆରି କରିବା ଅସମ୍ଭବ ହୋଇଥିବାରୁ ଆବଶ୍ୟକ ସମୟରେ ରକ୍ତ ଯୋଗାଣ ପାଇଁ ସ୍ୱେଚ୍ଛାକୃତ ରକ୍ତଦାନ ହିଁ ଏକମାତ୍ର ମାନବିକ ପଦକ୍ଷେପ। ବିଶେଷକରି ସଙ୍କଟାପନ୍ନ ରୋଗୀ ଓ ଗର୍ଭବତୀ ମା’ମାନଙ୍କ ଜୀବନ ରକ୍ଷାରେ ରକ୍ତଦାନର ଗୁରୁତ୍ୱ ଅତ୍ୟନ୍ତ ଅଧିକ।

ଏହି ଅବସରରେ ୧୦୦ ଜଣ ସ୍ୱେଚ୍ଛାକୃତ ରକ୍ତଦାନ (VBD) ଶିବିର ଆୟୋଜକ ଓ ପ୍ରେରଣାଦାତାଙ୍କୁ ସମ୍ମାନିତ କରାଯାଇଥିଲା।

ଗୋଟିଏ ରକ୍ତଦାନ ଶିବିରରେ ସର୍ବାଧିକ ରକ୍ତ ସଂଗ୍ରହ କରିଥିବା ଅନୁଷ୍ଠାନ ଭାବେ ଅଖିଳଭାରତୀୟ ଦୁଃଖୀ ସମାଜ, ଭଦ୍ରକ ପ୍ରଥମ, ଜିନ୍ଦଲ ଷ୍ଟିଲ୍ ଦ୍ୱିତୀୟ ଏବଂ ନିକାଞ୍ଚଳ ପ୍ଲାଣ୍ଟ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି, ଗୋଟିଏ ବର୍ଷ ମଧ୍ୟରେ ସର୍ବାଧିକ ରକ୍ତଦାନ ଶିବିର ଆୟୋଜନ କରିଥିବା ଅନୁଷ୍ଠାନ ଭାବେ ଅଶୋକ ଦାସ ଫାଉଣ୍ଡେସନ୍ ପ୍ରଥମ, ହେଲ୍ପିଂ ହ୍ୟାଣ୍ଡ ଦ୍ୱିତୀୟ ଏବଂ ଏନ୍‌ସି ଅଟୋ କଲେଜ୍ ତୃତୀୟ ସ୍ଥାନ ହାସଲ କରି ସମ୍ମାନିତ ହୋଇଥିଲେ । ଏଥିସହ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବ୍ଲଡ୍ ସେଣ୍ଟର କର୍ମଚାରୀମାନଙ୍କୁ ମଧ୍ୟ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।

ଜରୁରୀ ସମୟରେ ରୋଗୀଙ୍କୁ ସହଜରେ ରକ୍ତ ଉପଲବ୍ଧ କରାଇବା ପାଇଁ ଯୁବପିଢ଼ି, ପରିବାର, ବନ୍ଧୁବର୍ଗ ଓ ସମାଜରେ ରକ୍ତଦାନ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଡାକ୍ତର ସୁଜିତ୍ ମନୋହର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *