ଯାଜପୁରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ଯାଜପୁର,୦୧/୧୦/୨୦୨୬(ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାରେ ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ–୨୦୨୬ ଜିଲ୍ଲାସ୍ତରରେ ପାଳିତ ହୋଇଯାଇଛି। ଯାଜପୁରସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନଙ୍କ ଅଧିକାର, ସମ୍ମାନ, ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଚଳିତ ବର୍ଷର ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସର ବିଷୟବସ୍ତୁ ରହିଛି— “The Age of Longevity: Rethinking Systems for Longer Lives.” ଅର୍ଥାତ୍‌, ଦୀର୍ଘାୟୁ ଯୁଗରେ ଅଧିକ ସୁଦୀର୍ଘ ଓ ସମ୍ମାନଜନକ ଜୀବନ ପାଇଁ ବ୍ୟବସ୍ଥାଗୁଡ଼ିକର ପୁନଃଚିନ୍ତନ। ଏହି ବିଷୟବସ୍ତୁ ଆଧାରରେ ବରିଷ୍ଠ ନାଗରିକଙ୍କ ଆବଶ୍ୟକତା ଅନୁଯାୟୀ ସାମାଜିକ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଓ ସାମାଜିକ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋକପାତ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଯୋଗଦେଇ ବରିଷ୍ଠ ନାଗରିକମାନେ ସମାଜର ଅମୂଲ୍ୟ ସମ୍ପଦ ବୋଲି ଉଲ୍ଲେଖ କରିବା ସହ ସେମାନଙ୍କ ଜୀବନ ଅନୁଭୂତି, ଜ୍ଞାନ ଓ ଅଭିଜ୍ଞତା ନୂତନ ପିଢ଼ି ପାଇଁ ପଥପ୍ରଦର୍ଶକ ବୋଲି କହିଥିଲେ। ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ଓ କଲ୍ୟାଣ ନିମନ୍ତେ ପରିବାର ଓ ସମାଜର ସହଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଡାକ୍ତର ସ୍ନେହାଶିଷ ଦୀକ୍ଷିତ, ପାଣିକୋଇଲି ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ସୁରେନ୍ଦ୍ର କୁମାର ରୟ, ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ ପାର୍ବତୀ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜାନକୀ ହେମ୍ବ୍ରମ୍, ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ନାଥ ଏବଂ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସୁବାସ କୁମାର ଦାସ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ, ଆଇନଗତ ଅଧିକାର, ସାମାଜିକ ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ନିଜ ମତ ରଖିଥିଲେ।ଏହି ଦିବସ ଅବସରରେ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସକାଳେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ଅନ୍ୱେଷଣ ଥିଏଟର ଗ୍ରୁପ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟସେବା, ଆତ୍ମସମ୍ମାନ ଓ ନିରାପଦ ଜୀବନ ନିମନ୍ତେ ଉପଲବ୍ଧ ସରକାରୀ ଯୋଜନା ଓ ସେବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ସମ୍ପୃକ୍ତ ବିଭାଗର ଅଧିକାରୀ ଓ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *