ସୁକିନ୍ଦା ଠାରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ

ସୁକିନ୍ଦା ଠାରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ଓ ‘ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬’ ପାଳିତ।

ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।

ବାସହୀନ ଆଦିବାସୀଙ୍କୁ ଘରଡିହ ପଟ୍ଟା ପ୍ରଦାନ ଓ ମୌଳିକ ସୁବିଧା ଯୋଗାଣ ଉପରେ ଗୁରୁତ୍ୱାରୋପ।

ଯାଜପୁର, ୧୫/୧୧/୨୦୨୬(ଓଡ଼ିଶା ସମାଚାର) –ଆଜି ଯାଜପୁର ଜିଲ୍ଲାର ସୁକିନ୍ଦା ଠାରେ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅନନ୍ୟ ବିପ୍ଳବୀ ତଥା ବିଶିଷ୍ଟ ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ଅବସରରେ ୧୫ ନଭେମ୍ବର ଦିବସକୁ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରାଯାଇଛି। ଏହି ଅବସରରେ ଓଡ଼ିଶାର ସମବାୟ, ବୟନଶିଳ୍ପ, ହସ୍ତଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ଏବଂ ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ପଟ୍ଟନାୟକ ସହିଦ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଉକ୍ତ ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମରେ ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କର ବୀରତ୍ଵ କାହାଣୀ ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଅବଗତ କରାଇବା ପୂର୍ବକ କହିଲେ, “ବିର୍ସା ମୁଣ୍ଡାଙ୍କ ଜୀବନ ଯଦିଓ ଅତି ସ୍ୱଳ୍ପ ଥିଲା, କିନ୍ତୁ ତାଙ୍କର ସଂଘର୍ଷ ଓ ବଳିଦାନ ଭାରତୀୟ ଇତିହାସରେ ଚିରସ୍ମରଣୀୟ ହୋଇ ରହିଛି। ଆମେ ସମସ୍ତେ ତାଙ୍କ ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରିବା ସହିତ ସମାଜରେ ଏକତା, ସମାନତା, ଭାଇଚାରା ଓ ନ୍ୟାୟ ପ୍ରତିଷ୍ଠା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ।”

ଏହି ଅବସରରେ ବାସହୀନ ଆଦିବାସୀ ଜନଜାତି ଲୋକମାନଙ୍କୁ କିପରି ପଟ୍ଟା ସହ ବାସ ଉପଯୋଗୀ ଘରଡିହ ଯୋଗାଇ ଦିଆଯିବ ଏବଂ ସେମାନଙ୍କର ସମସ୍ତ ପ୍ରକାର ମୌଳିକ ଆବଶ୍ୟକତା କିପରି ପୂରଣ କରାଯିବ, ସେ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଲୋକମାନଙ୍କ ସୁବିଧା ପାଇଁ କାର୍ଯ୍ୟକ୍ରମ ସ୍ଥଳରେ ଆଧାର କାର୍ଡ ପଞ୍ଜିକରଣ ଓ ଜନ୍ମ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯିବା ସହ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିସହିତ ଗୁହିଆଶାଳ ଗ୍ରାମର ଝିଅ ସୋମବାରୀ ପ୍ରଧାନଙ୍କୁ ଛେଳି ଚାଷ ପାଇଁ ମାନ୍ୟବର ମନ୍ତ୍ରୀ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।

ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ବ୍ୟତୀତ ଏହି ଅବସରରେ  ‘ଏକୀକୃତ ପେନସନ ପରିଚାଳନା ପୋର୍ଟାଲ’ର ସଚେତନତା କାର୍ଯ୍ୟକ୍ରମ ତଥା ସୁକିନ୍ଦା ବ୍ଲକ ସ୍ତରୀୟ ‘ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬’ ପାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ବନ୍ଧଗାଁ ଆଶ୍ରମ ବିଦ୍ୟାଳୟ ଏବଂ ‘ଆମ ଘର’ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ। ଉକ୍ତ ଉତ୍ସବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ (CDVO) ଡା. ଚନ୍ଦ୍ରଭାନୁ ମହାନ୍ତି, ବିଡ଼ିଓ ପ୍ରଜ୍ଞା ପାରମିତା ପୃଷ୍ଟି, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମଙ୍ଗଳିକା ରାଉତ ଏବଂ ସହକାରୀ ଜିଲ୍ଲା ମତ୍ସ୍ୟ ଅଧିକାରୀ (ADFO) ରଞ୍ଜିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

-0-

ଅଭିନାଶ ସାଗର,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *