ବିଧାୟକ ଓ ସାଂସଦଙ୍କ ସହ ପପୁର ଫଟୋ ଭାଇରାଲକୁ ନେଇ ଚର୍ଚ୍ଚା
କଟକ ସଦର,୨୭/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଗକୁ ପାର୍ବଣକୁ ଦୃଷ୍ଟିରେ ରଖି ନିଶା କାରବାର ଉପରେ ରୋକ୍ ଲଗାଇବାକୁ ପୋଲିସ ଓ ଅବକାରୀ ବିଭାଗ ତତ୍ପରତା ଦେଖାଉଛନ୍ତି। ଏହି କ୍ରମରେ କଟକ କମିଶନରେଟ ମଧୁପାଟଣା ଥାନା ପୋଲିସ ଖାନନଗର ସ୍କୁଲ ପାଖରୁ ୮ କେଜି ଗଞ୍ଜେଇ ଜବତ କରିବା ସହିତ ୪ ଜଣ ନିଶା ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି। ଧରାପଡ଼ିଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ କୁଖ୍ୟାତ ନିଶା ଵେପାରୀ ଵୟାଳିସମୌଜା ଥାନା କଳପଡା ଗ୍ରାମର ପପୁ ଓରଫ ପ୍ରଦୀପ କୁମାର ଦାସ ରହିଛି।
ଅନ୍ୟ ୩ ଅଭିଯୁକ୍ତ ହେଲେ ବାଦାମବାଡ଼ି ଥାନା ଵିଶିନାଵର ଅଞ୍ଚଳର ରାଜେଶ ଦାସ, ସଞ୍ଜିବ ଦାସ ଓ ସିଆରଆରଆଇ ଥାନା ଅନ୍ତର୍ଗତ କହ୍ନେଇପୁର ଅଞ୍ଚଳର ମନୋଜ ଦେହୁରୀ। ହେଲେ ଅଧିକ ଖୋଳତାଡ ପରେ ଅଭିଯୁକ୍ତ ପପୁ ଜଣେ ପେଷାଦାର ନିଶା ଵେପାରୀ ବୋଲି ପୋଲିସ ଜାଣିବାକୁ ପାଇଛି। ପପୁ ଥରେ ଵ୍ରାଉନସୁଗାର ବେପାର କରିବା ଅଭିଯୋଗରେ ଧରାପଡି ଜେଲ୍ ଯାଇଛି।
ଇତିମଧ୍ୟରେ ପପୁ ଗିରଫ ହେବା ପରେ ସାମାଜିକ ଗଣମାଧ୍ୟମରେ ତାର କିଛି ଫଟୋ ଭାଇରାଲ ହେଉଛି। ଜଣେ ବିଧାୟକ ଓ ଜଣେ ସାଂସଦଙ୍କ ସହିତ ପପୁ ଫଟୋ ଉଠାଇ ସେ ସବୁକୁ ଫେସ୍ ବୁକ୍ ପେଜରେ ପୋଷ୍ଟ କରିଥିଲା। ଗଞ୍ଜେଇ ବେପାରୀଙ୍କ ସହିତ ବିଧାୟକ ଓ ସାଂସଦ କିଭଳି ଫଟୋ ଉଠାଇଛନ୍ତି ତାକୁ ନେଇ ସୋସିଆଲ ମିଡିଆରେ ସମାଲୋଚନା ବୃଦ୍ଧି ପାଇଛି।
