ଭୁବନ, ୦୨/୦୫/୨୦୨୪ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଅନ୍ତର୍ଗତ ଯାତ୍ରା ପଡ଼ିଆରେ ହିନ୍ଦ୍ ମଜଦୁର ସଭା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଶ୍ରମିକ ସଂଗଠନ ସଂଯୋଜକ ବାସୁଦେବ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ କାମାକ୍ଷା ନଗର ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ,ଶ୍ରମିକ ମାନେ ହିଁ ଦେଶର ମେରୁଦଣ୍ଡ । ଶ୍ରମିକ ହେଉଛନ୍ତି ବିଶ୍ଵକର୍ମା ,ଯାହାଙ୍କ ଦ୍ଵାରା ସୁନ୍ଦର ପୃଥିବୀ ନିର୍ମାଣ ହେଉଛି । ହକ ମାଗିଲେ ମିଳେ ନାହିଁ ,ଛଡ଼ାଇ ଆଣିବାକୁ ପଡ଼େ। ଶ୍ରମିକ ମାନେ ସଂଗଠିତ ନ ଥିବାରୁ ଶୋଷଣ ର ଶିକାର ହେଉଛନ୍ତି । ଶ୍ରମିକ ମାନେ ସଂଗଠିତ ହେଲେ ସେମାନଙ୍କର ନ୍ୟାଯ୍ୟ ଦାବି ହାସଲ କରି ପାରିବେ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ସାଂସଦ ପ୍ରାର୍ଥୀ ଡ଼ଃ ଅବିନାଶ ସାମଲ ଯୋଗଦେଇ କହିଥିଲେ ଯେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ସେମାନଙ୍କ ପିଲା ମାନଙ୍କ ଉଚ୍ଚ ଶିକ୍ଷା ଏବଂ ଝିଅ ବାହାଘର ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନା ସାରା ଦେଶରେ ରୋଲ ମଡେଲ ସାଜିଛି । ବିଜୁ ବାବୁ ସର୍ବ ପ୍ରଥମେ ଶ୍ରମିକ ମାନଙ୍କ ମଜୁରୀ ବୃଦ୍ଧି କରିଥିବା ବେଳେ ନବୀନ ବାବୁ ଶ୍ରମିକ ମାନେ କିଛି ମାଗିବା କିମ୍ବା ଦାବି କରିବା ପୂର୍ବରୁ ଦରଦୀ ସରକାର ଅଜାତିତ ସାହାଯ୍ୟ ଯୋଗାଇଦେଇଛନ୍ତି ବୋଲି ସାଂସଦ ପ୍ରାର୍ଥୀ ଡ଼ଃ ସାମଲ କହିଥିଲେ । ସମ୍ମାନିତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ, ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଯୋଗଦେଇଥିଲେ । ଶ୍ରମିକ ନେତା ଅଜୟ କୁମାର ସେଠୀ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ୟ୍ୟକ୍ରମରେ ବ୍ଲକ ଏବଂ ଏନ୍ ଏ ସି ରୁ ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ୍ବ ଶ୍ରମିକ ଯୋଗଦେଇଥିଲେ ।
ଭୁବନ ରେ ଶ୍ରମିକ ଦିବସ ପାଳିତ
