କେନ୍ଦ୍ରାପଡାରେ ଯୋଗଦେଲେ ନୂତନ ଉପଜିଲାପାଳ ଜ୍ୟୋତିକାନ୍ତ ଭୁଜବଳ

କେନ୍ଦ୍ରାପଡ଼ା, ୧୨/୧୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ନୂତନ ଉପଜିଲାପାଳ ଭାବେ ଗୁରୁବାର ଯୋଗ ଦେଇଛନ୍ତି ଜ୍ୟୋତିକାନ୍ତ ଭୁଜବଳ । ସେ ଏହାପୂର୍ବରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନର ଉପ ପ୍ରଶାସକ(ରାଜସ୍ୱ) ଭାବେ କାର୍ଯ୍ୟରତ ଥିଲେ । ଏଠାରେ ଥିବା ବହୁ ଚର୍ଚ୍ଚିତ ତଥା ବିବାଦୀୟ ଉପଜିଲାପାଳ ଅରୁଣ କୁମାର ନାୟକ ଭାରମୁକ୍ତ ହୋଇଛନ୍ତି । ରାଜ୍ୟ ସରକାର ତାଙ୍କୁ ପୁରୀ ଜିଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବତନ ଉପଜିଲାପାଳ ଶ୍ରୀ ନାୟକ କେନ୍ଦ୍ରାପଡ଼ାରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ତାଙ୍କ କାର୍ଯ୍ୟଶୈଳୀ ଓ ଆଚରଣକୁ ନେଇ କ୍ରମାଗତ ଭାବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା । ବିଭିନ୍ନ ସମୟରେ ତାଙ୍କର ଅପ୍ରୀତିକର ବ୍ୟବହାର ଓ ମନମୁଖୀ କାର୍ଯ୍ୟକଳାପ ନେଇ ଜିଲାର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଲାଗି ରହିଥିଲା ।

ପୂର୍ବରୁ ସେ ସ୍ଥାନୀୟ ଆଇନଜୀବୀମାନଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହ ଗଣମାଧ୍ୟମ ପ୍ରତିନିଧି ତଥା ସାମ୍ବାଦିକମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ନେଇ ବାରମ୍ବାର ବିବାଦ ଉପୁଜିଥିଲା । ଏପରିକି ସମାଜର ମୁରବି ତଥା ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ସେ ଅଣଦେଖା ଓ ଅସମ୍ମାନ କରିବାକୁ ପଛାଇ ନ ଥିଲେ । ସାଧାରଣ ଲୋକେ ନିଜର ଦୁଃଖ, ସମସ୍ୟା ଓ ନ୍ୟାୟର ଆଶା ନେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ ସେମାନଙ୍କୁ ସହାନୁଭୂତି ମିଳିବା ବଦଳରେ ରୁକ୍ଷ ବ୍ୟବହାରର ସମ୍ମୁଖୀନ ହେବାକୁ ପଡ଼ୁଥିଲା ବୋଲି ଅଭିଯୋଗ ହୋଇଥିଲା ।

ଲୋକଙ୍କ ସମସ୍ୟା ଶୁଣିବା ପରିବର୍ତେ ତାଙ୍କର ଦୁର୍ବ୍ୟବହାର ଯୋଗୁଁ ସାଧାରଣ ଜନତାଙ୍କ ମନରେ ପ୍ରଶାସନ ପ୍ରତି ଘୋର ଅବିଶ୍ୱାସ ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ କ୍ଷୁବ୍ଧ କେନ୍ଦ୍ରାପଡା ଜିଲା ବାର୍ ଆସୋସିଏସନ, ସାମ୍ବାଦିକ ସଂଘ ଓ ସାଧାରଣ ନାଗରିକଙ୍କ ପକ୍ଷରୁ ଜିଲାପାଳ ଏବଂ ରାଜ୍ୟ ସରକାରଙ୍କ ନିକଟରେ ତାଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା । ଜିଲାରେ ଦିନକୁ ଦିନ ଉପୁଜୁଥିବା ଅସନ୍ତୋଷ ଓ ବିବାଦୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତାଙ୍କୁ ଏଠାରୁ ବଦଳି କରିଥିଲେ । ଶ୍ରୀ ନାୟକ ଏଠାରୁ ଭାରମୁକ୍ତ ହେବା ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଆଇନଜୀବୀ, ଗଚ୍ଚମାଧ୍ୟମ ପ୍ରତିନିଧି ତଥା ଜନସାଧାରଣଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଅପରପକ୍ଷରେ ନୂତନ ଉପଜିଲାପାଳ ଶ୍ରୀ ଭୂଜବଳ କାର୍ଯ୍ୟଭାର ଗ୍ରହଣ କରିବାରୁ ଏଠାରେ ପ୍ରଶାସନିକ ସ୍ୱଚ୍ଛତା ଓ ଲୋକାଭିମୁଖୀ ସେବା ସୁନିଶ୍ଚିତ ହେବ ବୋଲି ସହରବାସୀ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *