ସମ୍ବଲପୁର, ୨୦/୦୯/୨୦୨୬ (ଓଡ଼ିଶା ସମାଚାର)- ସମ୍ବଲପୁର ରେ ପୁଣି ଏକ ଏନକାଉଣ୍ଟର । ଗତ ରବିବାର ସଦର ଥାନା ପୋଲିସ ର ଗୁଳିରେ କୁଖ୍ରାତ ଅପରାଧୀ ମହମ୍ମଦ ଏରଫାନ୍ ଆହତ ହୋଇଥିବାବେଳେ ଆଜି ରେଙ୍ଗାଲି ଥାନା ପୋଲିସ୍ ଗୁଳିରେ ଜଣେ ନିଶା ମାଫିଆ ଆହତ ହୋଇଛି । ଆହତ ଅଭିଯୁକ୍ତ ନିଶା ମାଫିଆ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅଂଚଳର ପ୍ରିତମ୍ ବିଶ୍ୱାଳ (୩୦) । ପ୍ରିତମ୍ ର ସହଯୋଗି ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ସାହାସପୁର ଗ୍ରାମର ଆଶୁତୋଷ ମେଣ୍ଡୁଲି କୁ ଗିରଫ କରାଯାଇଛି । ଅତିରିକ୍ତ ଏସପି ଅଜୟ ମିଶ୍ରଙ୍କ ସୂଚନା ଅନୁସାରେ ଗତ ଶନିବାର ସମ୍ବଲପୁର କୁ ବିପୁଳ ପରିମାଣର କଫ୍ ସିରପ୍ ଆସୁଥିବା ନେଇ ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଥିଲା । ସକାଳେ ରେଙ୍ଗାଲି ଥାନା ପୋଲିସ ପଣ୍ଡଲୋଇ ଜଙ୍ଗଲ ରାସ୍ତାରେ ଯାଂଚ ଆରମ୍ଭ କରି ଦେଇଥିଲେ । ଏହି ସମୟରେ ଗାଁ ପଟୁ ଆସୁଥିବା ଓଡ଼ି୧୫ ଏଚ୍ ୧୪୩୨ ନମ୍ବର ଥିବା ଏକ କାର କୁ ଅଟକାଇବାକୁ ଚେଷ୍ଟା କରିବାରୁ କାର ନଅଟକି ଦୃତ ଗତିରେ ପଳାଇଥିଲା । ପୋଲିସ ଉକ୍ତ କାର କୁ ପିଛା କରି କିଛି ଦୂରରେ ଅଟକାଇବାକୁ ସକ୍ଷମ ହୋଇଥିଲା । କାର ଭିତରୁ ଆଶୁତୋଷକୁ ଗିରଫ କରାଯିବା ସମୟରେ ଅନ୍ୟ ଜଣେ ସହଯୋଗି ଖସି ଫେରାର ହୋଇଯାଇଥିଲା ।
କିଛି ସମୟ ପରେ ଆଉ ଏକ କାର ଦୃତ ଗତିରେ ଆସୁଥିଲା । ଉକ୍ତ କାରକୁ ପୋଲିସ ଅଟକାଇବାକୁ ସେଙ୍କତ ଦେବାରୁ ସେ ନଅଟକି ଫେରାର ହେବାକୁ ଉଦ୍ୟମ କରିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଅଟକି ଯାଇଥିଲା । ଏହି ସମୟରେ କାର ଚଳାଉଥିବା ପ୍ରିତମ୍ ଫେରାର ହେବାକୁ ଉଦ୍ୟମ କରିଥିଲା । ପୋଲିସ ତାକୁ ଗୋଡ଼ାଇବାରୁ ସେ ପୋଲିସ୍ ୁପରକୁ ୪ ରାଉଣ୍ଡ ଗୁଳି ଚଳାଇ ଖସି ପଳାଇବାକୁ ଉଦ୍ୟମ କରିଥିଲା । ପୁଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇବାରୁ ପ୍ରିତମ୍ ର ଡ଼ାହାଣ ଗୋଡ଼ ରେ ଗୁଳି ବାଜି ଜଖମ୍ ହେବାରୁ ସେ ଆଉ ଖସି ପାରିନଥିଲା । ପୋଲିସ ଏକ ୯ ଏମଏମ ପିସ୍ତଲ , ୭ ଟା ଖୋକା ଓ ୨ ଟି କାର ଜବତ କରିଛି । ଆହତ ପ୍ରିତମ୍ କୁ ରେଙ୍ଗାଲି ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।
