କଟକ ସଦର,୨୧/୦୯/୨୦୨୬ (ଓଡ଼ିଶା ସମାଚାର)-ବିଷ୍ଣୁ ବେହେରା): କମିଶନରେଟ ପୋଲିସ ଅଞ୍ଚଳରେ ଗତକାଲି ରବିବାର ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଥିଲାଵେଳେ ବିସର୍ଜନ ବେଳେ ତାଳଦଣ୍ଡା କେନାଲରେ ଭାସିଯାଇ ଜନୈକ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପ୍ରକାଶ ଯେ ଗତକାଲି ରବିବାର ମଧୁପାଟଣା ଥାନା ତିନିଘରିଆର ଗଣେଶ ଭସାଣି ଥିଲା। 
ଶୋଭାଯାତ୍ରା ସାରି ରାତିରେ ତାଳଦଣ୍ଡା କେନାଲରେ ମୂର୍ତ୍ତି ବିସର୍ଜନ ସମୟରେ ତିନିଘରିଆର ରଞ୍ଜିତ ନାଟିଆ(୨୭) ଅସାବଧାନତା ଯୋଗୁଁ ଭାସି ଯାଇଥିଲେ। କେନାଲର ଭରା ପାଣିରେ ରାତିରେ ନିଖୋଜ ରଞ୍ଜିତ ଙ୍କୁ ଖୋଜାଖୋଜି କରାଯାଇଥିଲେ ହେଁ ତାଙ୍କର ସନ୍ଧାନ ମିଳିପାରି ନଥିଲା। ଆଜି ସୋମବାର ସକାଳୁ ମତ୍ତଗଜପୁର ନିକଟରୁ ତାଙ୍କର ଭାସମାନ ଶବ ଉଦ୍ଧାର ହୋଇଥିବା ଜଣାପଡିଛି।ରଂଜିତ ଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
