ଥାନାରେ ଥାର୍ଡ଼ ଡିଗ୍ରୀ ଅଭିଯୋଗରେ ଗ୍ରାମବାସୀଙ୍କ ରାସ୍ତା ରୋକୋ – ୬ଘଣ୍ଟା ପରେ ରାସ୍ତାରୋକ ହଟିଲା

ଭୁବନେଶ୍ୱର,୨୯/୦୫/୨୦୨୬ (ଓଡ଼ିଶା ସମାଚାର)- ବାରଙ୍ଗ ଥାନାରେ ଥାର୍ଡ଼ ଡିଗ୍ରୀ ଅଭିଯୋଗ ଘଟଣାରେ ୬ଘଣ୍ଟା ପରେ ରାସ୍ତାରୋକ ହଟିଛି । ଉତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରିବା ପରେ ପରେ ରାସ୍ତାରୋକ ହଟିଛି । ସୂଚନା ଅନୁସାରେ, ବାରଙ୍ଗ ଥାନା ଚଣ୍ଡୀ ପ୍ରସାଦ ଗାଁର ରାକେଶ ବେହେରାଙ୍କୁ ପୋଲିସର ଥାର୍ଡ଼ ଡିଗ୍ରୀ ମାମଲାକୁ ନେଇ ପୁଣି ଉତ୍ତେଜନା ଦେଖିବାକୁ ମିଳିଥିଲା । ଥାନା ସମ୍ମୁଖରେ ଭୁବନେଶ୍ୱର- କଟକ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଗ୍ରାମବାସୀ ପ୍ରଥମେ ଥାନା ଭିତରକୁ ଧସେଇ ପଶିଥିଲେ । ରାସ୍ତା ଅବରୋଧ ଯୋଗୁ ଭୁବନେଶ୍ୱରରୁ କଟକ ମଧ୍ୟରେ ଯାନବାହନ ଚଳାଚଳ ଠପ୍ ହୋଇଥିଲା । ରାସ୍ତାରେ ଉଭୟ ପାଶ୍ୱର୍ରେ ଗାଡ଼ି ମୋଟର ଅଟକି ରହିଥିଲା।


ଏହି ଘଟଣାରେ ଡିଜିପି ଓ୍ବାଇ.ବି ଖୁରାନିଆ, ପୋଲିସ କମିଶନରଙ୍କୁ ତଦନ୍ତ ରିପୋର୍ଟ ମାଗିଥିବାବେଳେ ବାରଙ୍ଗ ଥାନାରେ ରାକେଶଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗକୁ କଟକ ଡିସିପି ଖଣ୍ଡନ କରିଛନ୍ତି । କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି, ବାରଙ୍ଗ ଥାନାରେ ଯୁବକଙ୍କୁ ନିର୍ୟାତନା ଦିଆଯାଇନାହିଁ। ଥାନାକୁ ଡାକିବାର ୨୪ ଘଣ୍ଟା ପରେ ଛାଡ଼ି ଦିଆଯାଇଥିଲା । ଯୁବକଙ୍କୁ ନିର୍ୟାତନା ଦେବାର କୌଣସି ପ୍ରମାଣ ନାହିଁ।

ସୂଚନା ଯୋଗ୍ୟ, ୧୬ ତାରିଖରେ ରାକେଶ ସ୍ତ୍ରୀ ନିଖୋଜ ନେଇ ବାରଙ୍ଗ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ। ୨୨ ତାରିଖରେ କାଠଯୋଡ଼ି ନଦୀପଠାରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ମୃତଦେହ ଚିହ୍ନଟ ପାଇଁ ପୋଲିସ ରାକେଶଙ୍କୁ ଥାନାକୁ ଡାକିଥିଲା। ହେଲେ ମୃତଦେହ ସ୍ତ୍ରୀଙ୍କ ନୁହେଁ ବୋଲି କହିବା ପରେ ରାକେଶଙ୍କୁ ବାରଙ୍ଗ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *