ଜିଲାପାଳଙ୍କ ଆଦେଶକୁ ମାନୁ ନାହାଁନ୍ତି ଭାରୀଯାନ ମାଲିକ
କେନ୍ଦ୍ରାପଡ଼ା, ୧୯/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦଣ୍ଡାମୁଣ୍ଡ ଛକରେ ଏକ ଲୁହା ପଥର ବୋଝେଇ ଟ୍ରକ ଧକ୍କାରେ ଜଣେ ଅଟୋଚାଳକଙ୍କ ମୃତୁ୍ୟ ଘଟିଛି । ମୃତ ଅଟୋ ଚାଳକ ହେଉଛନ୍ତି ନିକିରାଇ ଥାନା ଅନ୍ତର୍ଗତ ନିକିରାଇପଟଣା ଗ୍ରାମର ନୃସିଂହ ଚରଣ ସାହୁ(୫୭) । ଖବର ନେବାରୁ ଜଣାପଡିଛି ନୃସିଂହ ୨ ଜଣ ମହିଳା ଓ ଜଣେ ଛୋଟ ପିଲାକୁ ଅଟୋରେ ବସାଇ ଗ୍ରାମରୁ କେନ୍ଦ୍ରାପଡ଼ା ସହର ଅଭିମୁଖେ ଆସୁଥିଲେ । ଦଣ୍ଡାମୁଣ୍ଡ ଛକ ନିକଟରେ ଏକ ଲୁହା ପଥର ବୋଝେଇ ଟ୍ରକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋରୁ ଅଟୋ ଚାଳକ ନୃସିଂହ ଛିଟିକି ପଡିଥିଲେ । ତାଙ୍କ ଉପରେ ଟ୍ରକ ଚଢି ଯାଇଥିଲା । ଏହାଦ୍ୱାରା ଦୁର୍ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ଅଟୋରେ ବସିଥିବା ଯାତ୍ରୀମାନେ ଭାଗ୍ୟ ବଶତଃ ସୁରକ୍ଷିତ ଥିବା ଜଣାପଡିଛି । ଟ୍ରକ ଚାଳକ ଅଟୋକୁ ଧକ୍କା ଦେବା ପୂର୍ବରୁ ଏକ ସ୍କୁଟି ଓ ଏକ କାରକୁ ମଧ୍ୟ ଧକ୍କା ଦେଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି ।
ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଟ୍ରକ ଚାଳକ ସଞ୍ଜୟ ବେହେରାଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି । ଲୁହା ପଥର ବୋଝେଇ ଟ୍ରକର ମାଲିକ ନିକିରାଇ ଗ୍ରାମର ମହେଶ୍ୱର ଜେନା ବୋଲି ପୋଲିସ କହିଛି । ଅପରପକ୍ଷରେ ଟ୍ରକ ମାଲିକମାନେ ଜିଲାପାଳଙ୍କ ନିର୍ଦେଶ ମାନୁ ନାହାଁନ୍ତି । ଜିଲାପାଳ ନିକଟରେ ନିର୍ଦେଶ ଦେଇଥିଲେ ଯେ ଭାରୀଯାନ ସକାଳ ୭ଟାରୁ ରାତି ୯ଟା ମଧ୍ୟରେ ଚଳ ପ୍ରଚଳ କରିପାରିବ ନାହିଁ । ହେଲେ ଏହି ନିର୍ଦେଶକୁ ଟ୍ରକ ମାଲିକମାନେ ପାଳନ କରୁନାହଁନ୍ତି । ଯାହା ଫଳରେ ଏଭଳି ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଦୀପ ଲିଭି ଯାଉଛି । ଗତ ବର୍ଷ ଜଣେ ମହିଳା ସ୍କୁଟିରେ ଯାଉଥିବା ବେଳେ ତିନିମୁହାଣୀ ଛକ ନିକଟରେ ଏକ ହାଇୱା ଧକ୍କା ଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିଲା । ଏହି ଘଟଣା ପରେ ଜିଲାପାଳ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରିଥିଲେ । କିଛି ଦିନ ପୋଲିସ ସେହି ନିର୍ଦେଶ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
ଟାଉନ୍ ଥାନାର ପୂର୍ବତନ ଆଇଆଇସି ଦିଲ୍ଲୀପ ସାହୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଆଦାୟ କରିଥିଲେ । ଏହାସହ ୧୦ଟି ଟ୍ରକକୁ ଜବତ କରିଥିଲେ । ଫଳରେ ଟ୍ରକ ମାଲିକମାନଙ୍କ ମନରେ ଛନକା ପସିଥିଲ । ଫଳରେ ସେହି ସମୟରେ ଦୁର୍ଘଟଣା ହ୍ରାସ ପାଇଥିଲା । ହେଲେ ତାଙ୍କର କେନ୍ଦ୍ରାପଡ଼ା ଟାଉନ ଥାନାରୁ ଅନ୍ୟତ୍ର ବଦଳି ପରେ ଜିଲାପାଳଙ୍କ ନିର୍ଦେଶ ଆଉ କାର୍ଯ୍ୟକାରୀ ହେଲା ନାହିଁ ବୋଲି ସହରର ବୁଦ୍ଧିଜୀବୀମାନେ କହିଛନ୍ତି ।
