କେନ୍ଦ୍ରାପଡାରେ ଦୁଇଦିନିଆ ଜନଗଣନା ତାଲିମ ଶିବିର

ଜନଗଣନା କାର୍ଯ୍ୟର ସଫଳ ରୂପାୟନ ପାଇଁ ଅଧିକାରୀ, କର୍ମଚାରୀଙ୍କୁ ତାଲିମ
କେନ୍ଦ୍ରାପଡ଼ା, ୦୪/୧୧/୨୦୨୬ (ଓଡ଼ିଶା ସମାଚାର)- ଆଗାମୀ ଜନଗଣନା କାର୍ଯ୍ୟକୁ ସଠିକ୍, ସୁବ୍ୟବସ୍ଥିତ, ନିର୍ଭୁଲ ଓ ସମୟାନୁବର୍ତୀ ଭାବେ ସମ୍ପାଦନ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଦୁଇଦିନିଆ ଜିଲାସ୍ତରୀୟ ଜନଗଣନା ପର୍ଯ୍ୟାୟ-୨ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନଭେମ୍ବର ୩ ଓ ୪ ତାରିଖରେ ଡେରାବିଶ ବ୍ଲକ୍ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୁଗ୍ମ ନିର୍ଦେଶକ(ଜନଗଣନା) ହେମନ୍ତ କୁମାର ସିଂହ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିସହିତ ରଶ୍ମିରଞ୍ଜନ ମାଣିକ, ସିଦ୍ଧାର୍ଥ ବେହେରା ଓ ସମାପ୍ତି ସେନ ମଧ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇ ଜନଗଣନାର ବିଭିନ୍ନ ଦିଗ ଉପରେ ତାଲିମ ପ୍ରଦାନ କରିଥିଲେ । ପ୍ରଶିକ୍ଷକମାନେ ଜନଗଣନାର ଉଦ୍ଧେଶ୍ୟ, ବିଭିନ୍ନ ପର୍ଯ୍ୟାୟରେ ଅନୁସରଣୀୟ ପ୍ରକ୍ରିୟା, କାର୍ଯ୍ୟପଦ୍ଧତି ଓ ଅଧିକାରୀମାନଙ୍କ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ ।

ଜନଗଣନା କାର୍ଯ୍ୟରେ ନିର୍ଭୁଲ ତଥ୍ୟ ସଂଗ୍ରହ, ତଥ୍ୟର ଗୁଣବତା ରକ୍ଷା ଏବଂ ନିର୍ଦ୍ଧାରିତ ନିୟମାବଳୀର ଅନୁପାଳନ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ(ସାଧାରଣ)ନବକ୍ରିଷ୍ଣ ଜେନା, ଡେପୁଟି କଲେକ୍ଟର(ଜନଗଣନା)ସରୋଜ କୁମାର ବେହେରା ଏବଂ ଜିଲା ସୂଚନା ବିଜ୍ଞାନ ଅଧିକାରୀ ଶୁଭେନ୍ଦୁ ଶେଖର ସାହୁ ଉପସ୍ଥିତ ଥିଲେ ।

ଏହି ପ୍ରଶିକ୍ଷଣରେ ଜିଲାର ସମସ୍ତ ଚାର୍ଜ ଅଧିକାରୀ, ଜନଗଣନା କାର୍ଯ୍ୟ ସହ ଜଡ଼ିତ ଦାୟିତ୍ୱପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ତଥା ବୈଷୟିକ ସହାୟକମାନେ ଅଂଶଗ୍ରହଣ କରିଥିଲେ । ଦୁଇଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣରେ ଜନଗଣନାର ବିଭିନ୍ନ ପ୍ରକ୍ରିୟା, କ୍ଷେତ୍ରସ୍ତରୀୟ କାର୍ଯ୍ୟର ଯୋଜନା ଓ ପରିଚାଳନା, ତଥ୍ୟ ସଂଗ୍ରହ ଏବଂ ଯାଂଚ, ନିର୍ଦ୍ଧାରିତ ଫର୍ମ ଓ ନିର୍ଦେଶାବଳୀର ସଠିକ୍ ଉପଯୋଗ, ବୈଷୟିକ ପ୍ରଣାଳୀର ବ୍ୟବହାର ଓ କାର୍ଯ୍ୟ ସମ୍ପାଦନ ସମୟରେ ଦେଖାଦେଉଥିବା ସମ୍ଭାବ୍ୟ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା ।

ବିଶେଷକରି ଜନଗଣନା କାର୍ଯ୍ୟରେ ନିୟୋଜିତ ଚାର୍ଜ ଅଧିକାରୀମାନଙ୍କ ଭୂମିକା ଓ ଦାୟିତ୍ୱ, କ୍ଷେତ୍ରସ୍ତରରେ କାର୍ଯ୍ୟର ସୁପରିଚାଳନା, ଅଧସ୍ତନ କର୍ମଚାରୀଙ୍କ ସହ ସମନ୍ୱୟ, ତଥ୍ୟର ସଠିକତା ନିଶ୍ଚିତ କରିବା ଏବଂ ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପାଦନ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏହାସହିତ ପ୍ରଶିକ୍ଷଣରେ ଅଂଶଗ୍ରହଣକାରୀ ମାନଙ୍କ ବିଭିନ୍ନ ସନ୍ଦେହ ଓ ପ୍ରଶ୍ନର ସମାଧାନ କରାଯିବା ସହ ଜନଗଣନା ସମ୍ପର୍କିତ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆବଶ୍ୟକୀୟ ମାର୍ଗଦର୍ଶନ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ ମାଧ୍ୟମରେ ଅଧିକାରୀ ଓ କର୍ମଚାରୀମାନେ ଜନଗଣନା କାର୍ଯ୍ୟର ବିଭିନ୍ନ ପଦ୍ଧତି, ନିୟମାବଳୀ ଓ କ୍ଷେତ୍ରସ୍ତରୀୟ ଦାୟିତ୍ୱ ସମ୍ପର୍କରେ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ହାସଲ କରିଥିଲେ । ଜନଗଣନା କେବଳ ଜନସଂଖ୍ୟା ଗଣନାରେ ସୀମିତ ନୁହେଁ ଏହା ଦେଶର ଯୋଜନା ପ୍ରସ୍ତୁତି, ଉନ୍ନୟନମୂଳକ କାର୍ଯ୍ୟକ୍ରମର ରୂପାୟନ, ସମ୍ବଳର ସୁବଂଟନ ଏବଂ ଭବିଷ୍ୟତର ନୀତି ନିର୍ଦ୍ଧାରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର । ତେଣୁ ଏହି ଜାତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସଫଳତା ପାଇଁ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ନିଷ୍ଠା, ଦାୟିତ୍ୱବୋଧ ଓ ସମନ୍ୱୟର ସହ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *