ବ୍ରାଉନସୁଗାର ସମେତ ୧୩୨ଲିଟର ଚୋରାମଦ ଜବତ,୮ଗିରଫ

କେନ୍ଦ୍ରାପଡ଼ା,୦୪/୧୧/୨୦୨୬ (ଓଡ଼ିଶା ସମାଚାର)-ଜିଲାରେ ବେଆଇନ ନିଶାଦ୍ରବ୍ୟ ଓ ଚୋରାମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲକ୍ଷ୍ୟରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ ଅଭିଯାନ କରାଯାଇଛି । ଜିଲାପାଳ ରଘୁରାମ ଆର.ଆୟରଙ୍କ ନିର୍ଦ୍ଧେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାଟକୁରା, ଜମ୍ବୁ ସାମୁଦ୍ରିକ, ମହାକାଳପଡ଼ା, ଡେରାବିଶ ଓ ପଟ୍ଟାମୁଣ୍ଡାଇ ଟାଉନ୍ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା ।

ଚଢ଼ାଉ ସମୟରେ ପୋଖରିଆପଡ଼ା ଗ୍ରାମର ଦିବ୍ୟଜ୍ୟୋତି ସାହୁ(୨୩)ଙ୍କ ନିକଟରୁ ୬୦ ଗ୍ରାମ ଏବଂ ବୈକୁଣ୍ଠପୁର ଗ୍ରାମର ପ୍ରୀତିରଜ ଦାସ(୨୨)ଙ୍କ ନିକଟରୁ ୮୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଥିଲା । ସେହିପରି ପ୍ରଭାକରପୁର ଗ୍ରାମର ନାଥ ଖିଲର (୩୦)ଙ୍କ ନିକଟରୁ ୨୮ ଲିଟର ଓ ରାଜୀବ ସେଠୀ(୪୦)ଙ୍କ ନିକଟରୁ ୧୦ ଲିଟର ଚୋରା ଦେଶୀ ମଦ ଜବତ ହୋଇଥିଲା । ଅନ୍ୟପକ୍ଷରେ ମଲଢିଅ ଗ୍ରାମର ପଦ୍ମିନୀ ସ୍ୱାଇଁ(୩୬)ଙ୍କ ନିକଟରୁ ୨୨ ଲିଟର, ଲକ୍ଷ୍ମଠିଆ ଗ୍ରାମର ସୀତା ଭକ୍ତ(୩୫)ଙ୍କ ନିକଟରୁ ୧୫ ଲିଟର ଚୋରା ଦେଶୀ ମଦ ଏବଂ ସନାଇଲୋଗଲା ଗ୍ରାମର ପ୍ରକାଶ ଜେନା(୪୮)ଙ୍କ ନିକଟରୁ ୨୬ ଲିଟର ଓ ଖଣ୍ଡାସାହି ଗ୍ରାମର ଅଜୟ କୁମାର ବେହେରା (୩୮)ଙ୍କ ନିକଟରୁ ୩୧ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଥିଲା ।

ଏହି ଚଢ଼ାଉରେ ମୋଟ ୧୪୦ ଗ୍ରାମ ବ୍ରାଉନ୍ ସୁଗାର ସମେତ ୧୩୨ ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯିବା ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉ ଅଭିଯାନରେ ଅବକାରୀ ଉପନିରୀକ୍ଷକ ରଞ୍ଜନ କୁମାର ପାତ୍ର ଓ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ରଙ୍କ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *