କଟକ, ୦୫/୧୦/୨୦୨୫ (ଓଡ଼ିଶା ସମାଚାର)- କଟକର ଗୋଷ୍ଠୀ ବିବାଦ ଘଟଣା ରେ ପୁଲିସ ବଡ଼ ପଦକ୍ଷେପ ନେଇଛି। ଆଗାମୀ ୩୬ ଘଣ୍ଟା ପାଇଁ କଟକର ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି। କର୍ଫ୍ୟୁ ଜାରି କରାଯାଇଥିବା ଅଞ୍ଚଳଗୁଡ଼ିକ ହେଲା ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟାଳିସମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ ଥାନା ପ୍ରମୁଖ। ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଏହି ସୂଚନା ଦେଇଛନ୍ତି। ରବିବାର ରାତି ୧୦ଟାରୁ ଏହି କଟକଣା ଜାରି କରାଯାଇଛି।
କର୍ଫ୍ୟୁ ଜାରି ସମୟରେ ଜରୁରୀକାଳୀନ ସେବାକୁ କୋହଳ କରାଯାଇଛି। କିନ୍ତୁ ପ୍ରଦର୍ଶନ, ଶୋଭାଯାତ୍ରା ତଥା ଲୋକ ଗହଳିକୁ ବାରଣ କରାଯାଇଛି। ପୁଲିସ ଘଟଣା ଉପରେ ନଜର ରଖିଛି। ଦରକାର ପଡ଼ିଲେ କର୍ଫ୍ୟୁର ସମୟ ବଢ଼ିପାରେ।
ଗଣମାଧ୍ୟମକୁ ସୂଚନା ଦେଇ ପୁଲିସ କମିସନର କହିଛନ୍ତି, ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ୨୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏମାନଙ୍କର ମଧ୍ୟରୁ ୮ ଜଣ ଗୁରୁତର ଅଛନ୍ତି। ପୁଲିସ କାର୍ୟ୍ୟାନୁଷ୍ଠାନ ନେବା ପୂର୍ବରୁ ପ୍ରଥମେ ବିକଳ୍ପ ଉପାୟ ନେଇଥିଲା। ମାତ୍ର ଉପଦ୍ରବକାରୀମାନେ ଅମାନିଆ ହେବାରୁ କାର୍ୟ୍ୟାନୁଷ୍ଠାନ ନେଇଛି। ଉଦଦ୍ରବକାରୀମାନଙ୍କୁ ଧରିବା ପାଇଁ ପୁଲିସ ଛାନ୍ଭିନ୍ ଜାରି କରିଛି।
କଟକ ସହରରେ ଦୁଇଟି ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଦେଖାଯାଇଥିବା ଉତ୍ତେଜନା, ହିଂସାତ୍ମକ ପରିସ୍ଥିତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଇଣ୍ଟରନେଟର ଅପବ୍ୟବହାର ଦ୍ୱାରା ସାମ୍ପ୍ରଦାୟିକ ହିଂସା ପ୍ରସାରଣ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ମିଥ୍ୟା, ଉତ୍ତେଜନାପୂର୍ଣ୍ଣ ଏବଂ ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରଣ ଫଳରେ ସାର୍ବଜନୀନ ଶୃଙ୍ଖଳା ଏବଂ ଶାନ୍ତି ବିପର୍ୟ୍ୟସ୍ତ ହେବାର ଆଶଙ୍କା ରହିଛି। ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। କଟକ ସହରରେ ଆଜି ସନ୍ଧ୍ୟା ୭ଟା ଠାରୁ ଆସନ୍ତାକାଲି ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ (୨୪ଘଣ୍ଟା) ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ଡାଟା ସେବା ମାଧ୍ୟମରେ ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ଏବଂ ପ୍ରବେଶ ଉପରେ ନିଷେଧ ଜାରି କରାଯାଇଛି। ସିଡିଏ, ସିଏମସି ଏବଂ ବୟାଳିଶିମୌଜା ଅଞ୍ଚଳ ପାଇଁ ଏହି କଟକଣା ଲାଗୁ କରାଯାଇଛି।ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।
