୯୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୨ଶିକ୍ଷୟିତ୍ରୀ
କେନ୍ଦ୍ରାପଡ଼ା, ୨୭/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ଗୁରୁତର ବାଧା ସୃଷ୍ଟି ହୋଇଛି । ୧୯୧୫ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ସର୍ବଦା ଆବଶ୍ୟକ ସଂଖ୍ୟକ ଶିକ୍ଷକ ରହି ଆସିଥିବା ବେଳେ ଏବେ ପ୍ରାୟ ୨ବର୍ଷରୁ ଉଦ୍ଧ୍ୱର୍ ହେବ ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରାଯାଇପାରୁନାହିଁ । ପ୍ରଥମ ଶ୍ରେଣୀରୁ ପଂଚମ ପର୍ଯ୍ୟନ୍ତ ୫ଟି ଶ୍ରେଣୀର ୬୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀମାନଙ୍କ ପାଇଁ ମାତ୍ର ୨ଜଣ ଶିକ୍ଷୟିତ୍ରୀ ଅଛନ୍ତି ।
ଅନ୍ୟପକ୍ଷରେ ସରକାରୀ ଅନୁଦାନପ୍ରାପ୍ତ ଭରତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ(ମଧ୍ୟ ଇଂରାଜୀ)ର ଏକମାତ୍ର ଶିକ୍ଷକ ମାର୍ଚ୍ଚମାସ ୩୧ତାରିଖରେ ଅବସର ଗ୍ରହଣ କରିବା ପରେ ସେହି ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀକୁ ଭରତପୁର ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କରିଦିଆଯାଇଛି । ଷଷ୍ଠ ଓ ସପ୍ତମ ୨ଟି ଶ୍ରେଣୀରେ ୩୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ରହିଛନ୍ତି । କିନ୍ତୁ ସେହି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା ନିମନ୍ତେ ଶିକ୍ଷାବିଭାଗ ପକ୍ଷରୁ କୈାଣସି ଶିକ୍ଷକଙ୍କୁ ଅଦ୍ୟାବଧି ନିଯୁକ୍ତି ପ୍ରଦାନ କରାଯାଇନାହିଁ । ଫଳରେ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସାତଟି ଶ୍ରେଣୀର ୯୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ମାତ୍ର ୨ଜଣ ଶିକ୍ଷୟିତ୍ରୀ ଅଛନ୍ତି ।
ତେଣୁ ସାତଟି ଶ୍ରେଣୀର ୯୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀମାନଙ୍କୁ ୨ଜଣ ଶିକ୍ଷୟିତ୍ରୀ ଦୈନିକ ଶିକ୍ଷାଦାନ କରିବା ସମ୍ଭବ ହେଉନାହିଁ । ଏସମ୍ପର୍କରେ ଛାତ୍ରାଭିଭାବକ ଓ ଭରତପୁର ଗ୍ରାମର ଗ୍ରାମବାସୀମାନେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀ ଓ ଜିଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ନିବେଦନ କରିବା ସତ୍ୱେ ଅଦ୍ୟାବଧି ଶିକ୍ଷା ବିଭାଗ ପକ୍ଷରୁ କୌଣସି ଶିକ୍ଷକଙ୍କୁ ଏହି ବିଦ୍ୟାଳୟରେ ନିଯୁକ୍ତି ପ୍ରଦାନ କରାଯାଇନାହିଁ । ଭରତପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମୁହ ସ୍ୱାର୍ଥ ଦୃଷ୍ଟିରୁ ଶିକ୍ଷା ବିଭାଗ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଅନୁ୍ୟନ ୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବାକୁ ଛାତ୍ରାଭିଭାବକ ଓ ଗ୍ରାମବାସୀଙ୍କ ପକ୍ଷରୁ ଚିତରଞ୍ଜନ ଦାସ, ପ୍ରବୋଧ କୁମାର ଦାସ, ସଞ୍ଜୟ କୁମାର ଦାସ, ବିଭୂତି ଭୂଷଣ ମହାନ୍ତି, ନନ୍ଦକିଶୋର ବେହେରା, ଦୀନବନ୍ଧୁ ସାହୁ, ବୈରାଗି ଚରଣ ସାହୁ, ଗୋପାଳ ଚରଣ ଦାସ ପ୍ରମୁଖ ଦାବି କରିଛନ୍ତି । ଯଦି ଶିକ୍ଷା ବିଭାଗ ପକ୍ଷରୁ ଏହି ବିଦ୍ୟାଳୟରେ ତୁରନ୍ତ ଆବଶ୍ୟକ ସଂଖ୍ୟକ ଶିକ୍ଷକଙ୍କୁ ନିଯୁକ୍ତି ଦିଆନଯାଏ ତେବେ ଛାତ୍ରାଭିଭାବକ ଓ ଗ୍ରାମବାସୀମାନେ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।
