କେନ୍ଦ୍ରାପଡା ମହାବିଦ୍ୟାଳୟରେ ଭାବପ୍ରବଣତା ଓ ମାନସିକ ସଶକ୍ତିକରଣ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା, ୧୯/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ‘ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍’ ଏବଂ ମନୋବିଜ୍ଞାନ ବିଭାଗର ମିଳିତ ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାବପ୍ରବଣତା କଲ୍ୟାଣ, ମାନସିକ ସହନଶୀଳତା ଏବଂ ଆତ୍ମ-ସଚେତନତା ବୃଦ୍ଧି କରିବା ଉଦ୍ଧେଶ୍ୟରେ “ଭାବପ୍ରବଣତା ଏବଂ ମାନସିକ ସଶକ୍ତୀକରଣ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଉଦଘାଟନ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା ।

କଲେଜ ଅଧ୍ୟକ୍ଷ ପ୍ରଫେସର ଚିତରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପିକା ଡକ୍ଟର ପୂର୍ବାଶା ପ୍ରିୟଦର୍ଶିନୀ ରିସୋର୍ସପର୍ସର୍ନ ମାନଙ୍କ ପରିଚୟ ପ୍ରଦାନ କରିବା ସହ ସଭାକୁ ସମ୍ବୋଧିତ କରି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ଭାବପ୍ରବଣତା ଓ ମାନସିକ ସୁସ୍ଥତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ମନୋବିଜ୍ଞାନ ବିଭାଗ ଅଧ୍ୟାପିକା କ୍ୟାପଟେନ ସୀମା ମହାନ୍ତି ଏବଂ ବିଭାଗୀୟ ମୁଖ୍ୟ ଡକ୍ଟର ଦେବକାନ୍ତ ଷଡ଼ଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ମାନସିକ ସୁସ୍ଥତାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ । ରିସୋର୍ସପର୍ସନ ତଥା ମନୋବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ଇଶିତା ପଟ୍ଟନାୟକ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସହିତ ଏକ ଆକର୍ଷଣୀୟ ଓ ଉପାଦେୟ ଅଧିବେଶନ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା କିଛି ଭାବ-ବିନିମୟଧର୍ମୀ ‘ଆଇସ୍-ବ୍ରେକିଂ’ କାର୍ଯ୍ୟକଳାପ ଯାହା ମାଧ୍ୟମରେ ଅତ୍ୟନ୍ତ ରୋଚକ ଢଙ୍ଗରେ ଛାତ୍ରଛାତ୍ରୀଙ୍କ ଯୋଗାଯୋଗ ଦକ୍ଷତା, ଭାବପ୍ରବଣତା, ସଚେତନତା, ବ୍ୟକ୍ତିଗତ ମୂଲ୍ୟବୋଧ ଏବଂ ମାନସିକ ଚାପ ସ୍ତରର ମୂଲ୍ୟାଙ୍କନ କରାଯାଇଥିଲା । ସୁଶ୍ରୀ ମୋକ୍ଷଦା ରଥ ଏବଂ ସୁଭାଶିଷ ବଳ ଏହି କାର୍ଯ୍ୟକଳାପ ପରିଚାଳନାରେ ସକ୍ରିୟ ଭାବେ ସହଯୋଗ କରିଥିଲେ । ଏହା ସହିତ ଏକ ପାରସ୍ପରିକ ଆଲୋଚନା ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଛାତ୍ରଛାତ୍ରୀମାନେ ମୁକ୍ତ ଭାବରେ ରିସୋର୍ସପର୍ସନଙ୍କ ସହ ନିଜର ଭାବପ୍ରବଣତା, କଲ୍ୟାଣ ତଥା ମାନସିକ ଚାପର ମୁକାବିଲା କରିବାର ଉପାୟ ବିଷୟରେ ଚର୍ଚ୍ଚା କରିବାକୁ ଉତ୍ସାହିତ ହୋଇଥିଲେ ।

ଯୁକ୍ତ ତିନି ତୃତୀୟ ବର୍ଷ ଇଂରାଜୀ ସମ୍ମାନ ଛାତ୍ରୀ ସୁଶ୍ରୀ ସ୍ମୃତିମୟୀ ବେହେରା ଦକ୍ଷତାର ସହିତ ମଂଚ ପରିଚାଳନା(ଆଙ୍କରିଂ) କରିଥିଲେ । ‘ଶକ୍ତିଶ୍ରୀ ସାଥୀ’ ସୁଶ୍ରୀ ବୈଶାଖୀ ପ୍ରିୟଦର୍ଶିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଏହି ବାର୍ତା ଦିଆଯାଇଥିଲା ଯେ ପ୍ରକୃତ ସଶକ୍ତୀକରଣ କେବଳ ଶିକ୍ଷାଗତ ବା ବୃତିଗତ ସଫଳତା ମଧ୍ୟରେ ସୀମିତ ନୁହେଁ । ଏଥିରେ ଭାବପ୍ରବଣତା ଶକ୍ତି, ଆତ୍ମ-ସଚେତନତା, ମାନସିକ ଦୃଢ଼ତା ଏବଂ ଆବଶ୍ୟକ ସମୟରେ ନିଃସେଙ୍କାଚରେ ସହାୟତା ଲୋଡ଼ିବାର ଆତ୍ମବିଶ୍ୱାସ ଗଠନ କରିବା ମଧ୍ୟ ସାମିଲ ରହିଛି ।

Leave a Reply

Your email address will not be published. Required fields are marked *