ହାଇୱା ଧକ୍କାରେ ମହିଳା ମୃତ

ପ୍ରତିବାଦରେ ଟାୟାର ଜାଳି ରାସ୍ତା ରୋକ
କେନ୍ଦ୍ରାପଡ଼ା, ୨୪/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ତିନିମୁହାଣୀ ଚଟିପୋଲ ନିକଟ ପୂର୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖ କଟକ- ଚାନ୍ଦବାଲି ରାଜପଥରେ ଏକ ହାଇୱା ଧକ୍କାରେ ସୋମବାର ପୂର୍ବାହ୍ଣରେ ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଟାଉନ ଥାନା ଅଧିନ ମହିପାଳ ଅଂଚଳର ଶ୍ରଦ୍ଧାଞ୍ଜଳୀ ପୃଷ୍ଟି(୩୨) । ମହିଳା ଜଣକ ନିଜର ୪ ବର୍ଷର ପୁତ୍ର ସହ ସ୍ୱାମୀ କାମାକ୍ଷା ପ୍ରସାଦ ସାହୁଙ୍କ ସହିତ ସ୍କୁଟିରେ ବସି ମହିପାଳରୁ ଗୁଲନଗର ଦଣ୍ଡାମୁଣ୍ଡ ଛକରେ ଥିବା ଏକ ବନ୍ଧୁ ଘରକୁ ଯାଉଥିଲେ ।

ଏହି ସମୟରେ ଏକ ବାଲି ବୋଝେଇ ହାଇୱା (ନଂ. ଓଡି ୦୪ କେ ୩୦୩୬) ଦୃତଗତିରେ ସ୍କୁଟିକୁ ଓଭରଟେକ୍ କରୁଥିଲା । ଫଳରେ ଟ୍ରକରେ ଘସିହୋଇ ସ୍କୁଟିଟି ନିୟନ୍ତ୍ରଣ ହରାଇଥିଲା ଓ ଶ୍ରଦ୍ଧାଞ୍ଜଳୀ ଟ୍ରକ ଚକା ତଳେ ପଡି ଯାଇଥିଲେ । ଟ୍ରକଟି ଶ୍ରଦ୍ଧାଞ୍ଜଳୀଙ୍କ ମୁଣ୍ଡରେ ଚଢି ଯାଇଥିଲା । ଫଳରେ ଶ୍ରଦ୍ଧାଞ୍ଜଳୀଙ୍କ ଘଟଣା ସ୍ଥଳରେ ମୃତୁ୍ୟ ହୋଇଯାଇଥିଲା । ସେହିପରି ସ୍କୁଟିଟି ତଳେ ପଡିଯିବାରୁ ଶ୍ରଦ୍ଧାଞ୍ଜଳୀଙ୍କ ସ୍ୱାମୀ ଓ ୪ ବର୍ଷର ପୁଅ ମଧ୍ୟ ଆହତ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଶତାଧିକ ଲୋକ ସେଠାରେ ପହଂଚି ରାସ୍ତାରୋକ କରିଥିଲେ । ଉତ୍ୟକ୍ତ ଜନତା ଟ୍ରକ ଚାଳକଙ୍କୁ ଗାଡିରୁ ଘୋଷାରି ଆଣି ମାଡ ମାରିଥିଲେ ।

ଟ୍ରକ ଚାଳକ ସକାଳୁ ମଦ୍ୟପାନ କରି ଗାଡି ଚଳାଉଥିବା ଜଣାପଡିଥିଲା । ଏହାଦ୍ୱାରା ଲୋକେ ଅଧିକ ଉତ୍ୟକ୍ତ ହୋଇଥିଲେ । ଲୋକେ ଦାବି କରିଥିଲେ ଯେ କେନ୍ଦ୍ରାପଡ଼ା ଜିଲାରେ ବେଆଇନ୍ ବାଲିଘାଟ ଯୋଗୁ ସବୁ ସମୟରେ ବାଲି ଉଠୁଛି । ବଡ଼ ବଡ଼ ଟ୍ରକ ଯୋଗେ ବାଲି ଚାଲାଣ ହେଉଥିବାରୁ ଏହା ଲୋକଙ୍କ ପାଇଁ ଘାତକ ସାଜୁଛି । ପ୍ରଶାସନ ବାଲି ଚାଲାଣ ପ୍ରତି କଠୋର ମନୋଭାବ ପୋଷଣ କରୁ ନଥିବାରୁ ଏହିପରି ଘଟଣା ଘଟୁଛି ବୋଲି ଘଟଣା ସ୍ଥଳରେ ଉପସ୍ଥିତ ଥିବା ଆନ୍ଦୋଳନକାରୀ କହିଥିଲେ । ତିନିମୁହାଣୀ ନିକଟରେ ଦୁଇଟି ମହାବିଦ୍ୟାଳୟ ରହିଛି । ଏଥିସହ ଅନେକ ଶିକ୍ଷାନୁଷ୍ଠାନ ରହିଛି । ସେହିପରି ଏବେ ମାଟ୍ରିକ ପରୀକ୍ଷା ଚାଲିଛି । ତେଣୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଚଳପ୍ରଚଳ କରୁଛନ୍ତି । ତେଣୁ ପରୀକ୍ଷା ସମୟର ବଡ଼ ବଡ଼ ଗାଡିକୁ ରାଜପଥରେ ଚଳାଚଳ ଉପରେ କଟକଣା ଜାରି କରନ୍ତୁ ।

ଏହି ଗାଡିକୁ ରାତିରେ ଚଳାଇବା ପାଇଁ ଅନୁମତି ଦିଆଯାଉ । କିନ୍ତୁ ଦିନ ବେଳା ଦିଆ ନ ଯାଉ ବୋଲି ଆନ୍ଦୋଳନକାରୀ କହିଥିଲେ । ପାଖାପାଖି ୩ ଘଂଟା ରାସ୍ତାରୋକ ହୋଇଥିଲା । ଦୁର୍ଘଟଣା ଘଟିବା ପରେ ଟାଉନ୍ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ସଦର ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ, ଏସଡିପିଓ କ୍ଷମାସାଗର ପଣ୍ଡା, ତହସିଲଦାର ତାପସ ଦେହୁରୀ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।

ଜିଲାପାଳଙ୍କ ନିର୍ଦ୍ଧେଶରେ ମୃତ ମହିଳାଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ପରବର୍ତୀ ସମୟରେ ଅନ୍ୟାନ୍ୟ କ୍ଷତିପୂରଣ ପାଇଁ ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ମିଳିବାରୁ ଲୋକେ ରାସ୍ତାରୋକରୁ ହଟିଥିଲା । ଦିନ ୨ଟା ପରେ ଗାଡିମୋଟର ଚଳାଚଳ ସ୍ୱାଭାବିକ ହୋଇଥିଲା । ଟାଉନ୍ ଥାନାଧିକାରୀ ଦିଲ୍ଲୀପ ସାହୁ କହିଛନ୍ତି ଟ୍ରକକୁ ଜବତ କରାଯାଇଛି । ଏହାସହ ଟ୍ରକ ଚାଳକଙ୍କୁ ଅଟକ ରଖାଯାଇଛି । ଏ ନେଇ ଏକ ମାମଲା ରୁଜୁ କରାଯାଇଛି । ଟକଟି ପଂଚୁ ପାଣ୍ଡବ ଅଂଚଳର ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *