କଟକ,୦୪/୧୧/୨୦୨୬(ଓଡ଼ିଶା ସମାଚାର)- ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ବିରଚିତ ଯୁଗପୋଯୋଗୀ ପ୍ରସିଦ୍ଧ କାବ୍ୟଗ୍ରନ୍ଥ ଶ୍ରୀ ଗୁରୁ ଭାଗବତ, ସାହି ସାହି, ଗଳି ଗଳି, ମଠ, ମନ୍ଦିର, ପଞ୍ଚସଖା ପୀଠ, ବିଦ୍ୟାଳୟ ଓ ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ପ୍ରତ୍ୟେକ ମନୁଷ୍ୟର ଚାରିତ୍ରିକ ଓ ମାନସିକ ଅଭିବୃଦ୍ଧି ଘଟାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସୁଥିବା ବେଳେ ନିକଟରେ ଓଡ଼ିଶାର ମୁଖ୍ୟ ତିନିଟି ଜେଲ, ଝାରପଡା, ଚୌଦ୍ୱାର ଓ ଜାମୁଝରି ମୁକ୍ତାକାଶ କେନ୍ଦ୍ରଠାରେ ଶ୍ରୀଗୁରୁ ଭାଗବତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏବେ କଟକର ତିନିଟି ନିଶା ମୁକ୍ତି କେନ୍ଦ୍ର ଠାରେ ଏହି ପରମ ଦିବ୍ୟ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୩୧ ତାରିଖ ଦିନ ସିଡ଼ିଏ ସେକ୍ଟର-୭ସ୍ଥିତ ପରିବର୍ତ୍ତନଠାରେ, ନଭେମ୍ବର ୨ ତାରିଖ ଦିନ କଟକ ମୁକାମେଶ୍ୱରସ୍ଥିତ ପିସ୍ ଆଲକହଲ ଡିଡିସି ଠାରେ ଓ ନଭେମ୍ବର ୪ ତାରିଖ ଦିନ କଟକସ୍ଥିତ ପ୍ରୋଜେକ୍ଟ ସ୍ୱରାଜଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମାଦକ ଦ୍ରବ୍ୟ ନିଶାଠାରୁ ଗୁରୁନିଶା ବା ପ୍ରଭୁନିଶା କିପରି ମଣିଷକୁ ସତମାର୍ଗରେ ପରିଚାଳିତ କରାଏ ଓ ନିଜକୁ କିପରି ଭାବେ ଏହି ନିଶାରୁ ମୁକ୍ତି କରାଯାଇପାରିବ, ଶ୍ରୀଗୁରୁ ଭାଗବତର ଉଦାହରଣ ଦେଇ ତାହା ବୁଝା ଯାଇଥିଲା। ମାଦକ ଦ୍ରବ୍ୟ ସେବନ ନିଜର କ୍ଷତି କରିବା ସହ, ସମାଜ, ପରିବାର ଓ ସନ୍ତାନ ସନ୍ତତି କିପରି ଏଥିର ପ୍ରଭାବିତ ହୋଇପଡନ୍ତି ଓ ଏଥିରୁ ମୁକ୍ତିର ମାର୍ଗ କିପରି ମିଳିବ, ଏହି ବିଷୟରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ନବମ ଖଣ୍ଡ ଶ୍ରୀ ଗୁରୁ ଭାଗବତରେରେ ବିଶେଷ ଭାବରେ ବର୍ଣ୍ଣନା କରିଛନ୍ତି।
ଗ୍ରନ୍ଥକାରଙ୍କ ମତରେ, ଯେଉଁଠି ସମାଜ ଓ ପରିବାର ଚରିତ୍ର ସଂଶୋଧନ ଓ ଗଠନରେ ଅକ୍ଷମ ହୁଅନ୍ତି, ସେଠି ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଆଦର୍ଶ, ଉପଦେଶକୁ ପାଥେୟ କରି ଜଣେ ନିଜକୁ ମାଦକଦ୍ରବ୍ୟ ଠାରୁ ଦୁରେଇ ରଖିବ। ନିଜର ଅନ୍ତଃପରିବର୍ତନ କରି ସମାଜରେ ସମ୍ମାନ ସହ ବଞ୍ଚିପାରିବ।
ଏହି ପବିତ୍ର ଗ୍ରନ୍ଥରେ ଛୋଟ ଛୁଆଠାରୁ ଆରମ୍ଭକରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ମନୁଷ୍ୟ ପାଇଁ ଶିକ୍ଷା ରହିଛି। କର୍ମ, ଧର୍ମ, ଧର୍ମର ପରିଭାଷା, କରିଥିବା କର୍ମର ପ୍ରୟାଶ୍ଚିତ କିପରି କରାଯାଇ ପାରିବ, ପିତାମାତାଙ୍କୁ ଜୀବନର ପ୍ରଥମ ଗୁରୁଭାବେ କିପରି ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ତୁଲାଯାଇପାରିବ, ଆଧ୍ୟାତ୍ମିକ ଯାତ୍ରାର ବିଭିନ୍ନ ସ୍ତର ସହ, ନିଜ ଭିତରେ ଥିବା ଆତ୍ମଶକ୍ତିକୁ ଜାଗ୍ରତ କରି,କ୍ରମିକ ମୁକ୍ତି ପ୍ରାପ୍ତ ହୋଇ କିପରି ଅନନ୍ତରେ ବିଲୀନ ହୋଇପାରିବ, ତାହାର ଅନେକ ତତ୍ତ୍ୱଭିତ୍ତିକ ଅଧ୍ୟାୟ ଉପରେ ସବିଶେଷ ଆଲୋଚନା କରାଯାଇଥିଲା।
ଗୋପାଳପୁରସ୍ଥିତ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟୁଙ୍ଗୀର ସଭ୍ୟା ଅନସୂୟା ରାୟ, ରେଣୁପ୍ରଭା ନାୟକ, ପ୍ରତିଜ୍ଞା ଦାସ, ସୁପ୍ରିୟା ମହାନ୍ତି, ଶାଶ୍ୱତୀ ସାମଲ, ରୀତା ରାୟ, ସଞ୍ଚିତା ରଥ, ଶାଶ୍ୱତୀ ସାମଲ, ସୁପ୍ରିୟା ପଟ୍ଟନାୟକ ଓ ପ୍ରିୟମ୍ବଦା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସର୍ବ ପ୍ରଥମେ ଗୁରୁଜୀଙ୍କ ଆଶୀର୍ବାଚନ ଶ୍ରୀମତୀ ଅନସୂୟା ରାୟ ପଢି ଶୁଣାଇଥିଲେ ଓ ତାପରେ ନିଶାର କୁପ୍ରଭାବ ଓ ଏଥିରୁ ମୁକ୍ତିର ମାର୍ଗ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା।
