ଗଣକବି ଥିଲେ କ୍ରାନ୍ତିଦ୍ରଷ୍ଟା ସାରସ୍ୱତ ସାଧକ
କଟକ,୦୪/୧୧/୨୦୨୬ (ଓଡିଶା ସମାଚାର / ଅଭୟ ଜେନା )- ଗଣକବି ବୈଷ୍ଣବ ପାଣିଙ୍କ ୧୪୪ ତମ ଜୟନ୍ତୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଯୋବ୍ରା ଠାରେ ଅନୁଷ୍ଠିତ ହୋଇଯାଇଛି । ସାରସ୍ୱତ ସେବାମଞ୍ଚ ମାହାଙ୍ଗା ଏବଂ ସରସ୍ବତୀ ଶିଶୁମନ୍ଦିର ଯୋବ୍ରାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସାହିତ୍ୟ ସଭାରେ ଡକ୍ଟର ଭାବଗ୍ରାହୀ ରାଉତ ଅଧ୍ୟକ୍ଷତା କରିଥିଲେ ।ଏହି ସାରସ୍ୱତ ଉତ୍ସବକୁ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି, ବିଶିଷ୍ଟ ସମାଜସେବୀ ବ୍ରଜେନ୍ଦ୍ର ରାୟ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରି, ଗଣକବିଙ୍କ ସାହିତ୍ୟକୁ ନୂଆ ପିଢୀର ଛାତ୍ର ଓ ଯୁବକ ମାନଙ୍କ ନିକଟତର କରିବା ପାଇଁ ବ୍ୟାପକ ଉଦ୍ୟମ ହେଉ ବୋଲି ଆହ୍ୱାନ ଦେଇଥିଲେ ।
ଗଣକବି ଥିଲେ ଜଣେ କ୍ରାନ୍ତିଦ୍ରଷ୍ଟା ପୁରୁଷ । ତାଙ୍କ ନାଟକରେ ସବୁଠାରୁ ତଳ ସ୍ତରରେ ପଡିରହିଥିବା ମେହେନତି ମଣିଷ ଜୀବନର ବାସ୍ତବ ଚିତ୍ର ପ୍ରତିଫଳିତ ହୋଇପାରିଛି
ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସଂସ୍କୃତି ଗବେଷକ ପ୍ରଫେସର ଡକ୍ଟର ଅଜୟ କୁମାର ମିଶ୍ର ଯୋଗଦେଇଥିଲେ । ମୁଖ୍ୟ ବକ୍ତାଭାବେ ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତି ଗଣକବିଙ୍କ କାଳଜୟୀ ସାହିତ୍ୟକୁ ଏ ଜାତିର ଅମୂଲ୍ୟ ସମ୍ପଦ ବୋଲି କହିଥିଲେ।ବିଶିଷ୍ଟ ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଡକ୍ଟର ବିଜୟାଲକ୍ଷ୍ମୀ ଦାଶ ଯୋଗଦେଇ ଗଣକବିଙ୍କୁ ଜଣେ ମାନବବାଦୀ କବି ଭାବେ ଅଭିହିତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଡକ୍ଟର ଜ୍ଞାନଗୁରୁ ଦାସ ଯୋଗଦେଇ ପାଣି ସାହିତ୍ୟ ଉପରେ ଆଲୋଚନା କରିଥିଲେ । ସେହିପରି ବରିଷ୍ଠ ସାମ୍ବାଦିକ ପ୍ରତାପ ସାହୁ, ସାମ୍ବାଦିକ ଦୀପକ ମଙ୍ଗରାଜ ଏବଂ ସାମ୍ବାଦିକ ପ୍ରଦୀପ ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗଣକବି ବୈଷ୍ଣବ ପାଣିଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଏବଂ ବିଦ୍ୟାର୍ଥୀ ମାନେ ଉପସ୍ଥିତ ଥିଲେ ।
