କେନ୍ଦ୍ରାପଡ଼ା ଜିଲାର ସାମଗ୍ରିକ ବିକାଶ ପାଇଁ ସମନ୍ୱୟ ଜରୁରୀ

କେନ୍ଦ୍ରାପଡ଼ା,୦୪/୧୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ସାମଗ୍ରିକ ବିକାଶ, ଉନ୍ନୟନମୂଳକ ଯୋଜନାର ସୁଚାରୁ ରୂପାୟନ ତଥା ଜିଲାର ପ୍ରାଥମିକତାଭିତିକ ଆବଶ୍ୟକତାକୁ ନେଇ ସ୍ଥାନୀୟ ସଦର ମହକୁମାରେ ୧୯ତମ ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ତଥା ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ଅଧ୍ୟକ୍ଷତାରେ ଏହା ଥିଲା ପ୍ରଥମ ବୈଠକ । ଏହି ଅବସରରେ ଅଧ୍ୟକ୍ଷ ଡ. ନାୟକ କହିଥିଲେ ଯେ କେନ୍ଦ୍ରାପଡ଼ା ଜିଲାର ସାମଗ୍ରିକ ଓ ସନ୍ତୁଳିତ ବିକାଶ କେବଳ ସରକାରୀ ଯୋଜନା ପ୍ରଣୟନରେ ସୀମିତ ନ ରହି ସମସ୍ତ ବିଭାଗ, ଜନପ୍ରତିନିଧି ଏବଂ ପ୍ରଶାସନର ମିଳିତ ଉଦ୍ୟମ ଓ ଉତମ ସମନ୍ୱୟ ଉପରେ ନିର୍ଭର କରେ ।

ବିକାଶମୂଳକ ଯୋଜନା ଗୁଡ଼ିକ ଯେପରି କାଗଜକଲମରେ ସୀମିତ ନ ରହି ଧାର୍ଯ୍ୟ ସମୟସୀମା ମଧ୍ୟରେ ଏବଂ ଉଚ୍ଚ ଗୁଣାତ୍ମକ ମାନ ବଜାୟ ରଖି କ୍ଷେତ୍ରସ୍ତରରେ କାର୍ଯ୍ୟକାରୀ ହୁଏ, ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଅତ୍ୟନ୍ତ ଯତ୍ନବାନ ଓ ଦାୟିତ୍ୱବାନ ହେବାକୁ ସେ କଡ଼ା ପରାମର୍ଶ ଦେଇଥିଲେ । ବିଶେଷ କରି ଜନସାଧାରଣଙ୍କ ସର୍ବନିମ୍ନ ଆବଶ୍ୟକତା ଓ ସ୍ଥାନୀୟ ଆଶାଆକାଂକ୍ଷାକୁ ଅଗ୍ରାଧିକାର ଦେଇ ପ୍ରଶାସନିକ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଜିଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ, ସରକାରୀ ଯୋଜନାର ଅଗ୍ରଗତି, ଭିତିଭୂମି ବିକାଶ, ଜନସାଧାରଣଙ୍କ ମୌଳିକ ସୁବିଧା ଏବଂ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା ।

ଜିଲାର ଅର୍ଥନୀତିର ମେରୁଦଣ୍ଡ ପାଲଟିଥିବା କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଜଳସେଚନ ସୁବିଧାର ସମ୍ପ୍ରସାରଣ, ଆଧୁନିକୀକରଣ ଏବଂ ଚାଷଜମିକୁ ନିୟମିତ ଜଳ ଯୋଗାଣ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସେହିପରି ଉପକୂଳବର୍ତୀ କେନ୍ଦ୍ରାପଡ଼ା ଜିଲାର ପ୍ରଚୁର ପର୍ଯ୍ୟଟନ ସମ୍ଭାବନାକୁ ଉପଯୋଗ କରି ଇକୋ-ଟୁରିଜିମ୍ ଓ ପର୍ଯ୍ୟଟନ ଭିତିଭୂମିର ଉନ୍ନତିକରଣ ଉପରେ ଆଲୋକପାତ କରାଯାଇଥିଲା । ଜିଲାର ପ୍ରାକୃତିକ ସମ୍ପଦ, ଐତିହାସିକ ଓ ଧାର୍ମିକ କ୍ଷେତ୍ରଗୁଡ଼ିକର ସୁରକ୍ଷା ସହ ପର୍ଯ୍ୟଟକମାନଙ୍କ ନିମନ୍ତେ ଆଧୁନିକ ସୁବିଧା ସୁଯୋଗ ସୃଷ୍ଟି କରାଗଲେ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ନୂତନ ରୋଜଗାର ଓ ଜୀବିକାର ପନ୍ଥା ଉନ୍ମୁକ୍ତ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା ।ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟଗୁଡ଼ିକର ଭିତିଭୂମି ସୁଦୃଢ଼ୀକରଣ ସହିତ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମଳ ପାନୀୟଜଳ ଓ ଶୌଚାଳୟ ବ୍ୟବସ୍ଥାର ସୁନିଶ୍ଚିତତା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଜିଲ୍ଲାର ପ୍ରତ୍ୟେକ ଗ୍ରାମ ଓ ସହରାଳରେ ନିରାପଦ ପାନୀୟଜଳ ଯୋଗାଣ, ଜଳଯୋଗାଣ ଭିତିଭୂମିର ସମ୍ପ୍ରସାରଣ ଏବଂ ଉଭୟ ସହର ତଥା ଗ୍ରାମାଂଚଳରେ ବର୍ଷାଜଳ ନିଷ୍କାସନ ଲାଗି ଡ୍ରେନେଜ୍ ବ୍ୟବସ୍ଥାର ନିୟମିତ ରକ୍ଷଣାବେକ୍ଷଣ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଥିଲା । କେନ୍ଦ୍ରାପଡ଼ା ଏକ ସମ୍ବେଦନଶୀଳ ଉପକୂର୍ତର୍ୀ ଜିଲା ହୋଇଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ଯଥା ବାତ୍ୟା ଓ ବନ୍ୟାର ସଫଳ ମୁକାବିଲା ନିମନ୍ତେ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ପୂର୍ବ ପ୍ରସ୍ତୁତି ଉପରେ ଜୋର ଦିଆଯାଇଥିଲା ।

ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ ଏବଂ ସାଂସଦଙ୍କ ପ୍ରତିନିଧି ଉପସ୍ଥିତ ରହି ନିଜ ନିଜ ନିର୍ବାଚନ ମଣ୍ଡଳୀ ତଥା ଜିଲାର ବିଭିନ୍ନ ଜନହିତକର ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏଥିସହିତ ଜିଲାପାଳ ରଘୁରାମ ଆର. ଆୟର, ଯୋଜନା ଓ ସଂଯୋଜନା ବିଭାଗର ଉପନିର୍ଦେଶକ ଆରତୀ ନାୟକ, ଜିଲା ଯୋଜନା କମିଟିର ସମସ୍ତ ସଦସ୍ୟସଦସ୍ୟା, ବିଭିନ୍ନ ବିଭାଗର ଜିଲା ସ୍ତରୀୟ ପଦାଧିକାରୀମାନେ ଯୋଗଦେଇଥିଲେ । ଶେଷରେ ଜିଲା ଯୋଜନା କମିଟିର ସମସ୍ତ ନିଷ୍ପତିକୁ ତୃଣମୂଳ ସ୍ତରରେ ସଫଳତାର ସହ କାର୍ଯ୍ୟକାରୀ କରିବା ଏବଂ ପ୍ରତ୍ୟେକ ପ୍ରକଳ୍ପର ଅଗ୍ରଗତି ନିୟମିତ ବ୍ୟବଧାନରେ ତଦାରଖ କରିବାକୁ ସର୍ବସମ୍ମତ ନିଷ୍ପତିି ଗ୍ରହଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *