ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡିଯାଇ ୪ ଯୁବକଙ୍କ ମୃତ୍ୟୁ

ଜଗତସିଂହପୁର,୧୬/୦୯/୨୦୨୬ (ଓଡ଼ିଶା ସମାଚାର)- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନଦୀର ଗଭୀର ପାଣିରେ ବୁଡିଯାଇ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର ଜିଲ୍ଲା ଏରସମା ଥାନା ପଣ୍ଡୁଆ ଗୋପାଳପୁର ନିକଟ ଓରନାଳ ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା । ୪ ମୃତ ଯୁବକମାନେ ହେଲେ ଓରନାଳ ଗ୍ରାମର ସୁଶୀଲ ପଲେଇ, ମନୋଜିତ ସ୍ୱାଇଁ , ସ୍ୱପ୍ନଜିତ ବାରିକ ଏବଂ ରଶ୍ମିରଞ୍ଜନ ନାୟକ ।

ଓରନାଳ ଗ୍ରାମର କିଛି ଯୁବକ ଆଜି ବୁଧବାର ଘର ପାଖ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିଲେ ।ବିସର୍ଜନ ସମୟରେ ଅସାବଧାନତା ହେତୁ ୪ ଜଣ ଯୁବକ ନଦୀର ପ୍ରବଳ ସ୍ରୋତରେ ଭାସିଯାଇଥିଲେ ।ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ତୁରନ୍ତ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍ ପହଞ୍ଚି ଉଦ୍ଧାର କାର୍ୟ୍ୟ କରିଥିଲେ। ପରେ ଅନ୍ୟ ୨ ଜଣ ଯୁବକଙ୍କ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି। ଗ୍ରାମର ୪ ଜଣ ଯୁବକଙ୍କ ଏଭଳି ଅକାଳ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଓରନାଳ ଗାଁରେ ଏବେ ଶୋକର ଛାୟା ଖେଳିଯାଇଥିବା ବେଳେ ପରିବାର ଲୋକଙ୍କ କାନ୍ଦବୋବୋଳିରେ ପରିବେଶ ହୃଦୟବିଦାରକ ହୋଇପଡ଼ିଛି ।

Leave a Reply

Your email address will not be published. Required fields are marked *