ଅଭିଆରା ଫାଉଣ୍ଡେସନ ପକ୍ଷରୁ ଅସହାୟ ଶିଶୁ ଓ ସେମାନଙ୍କ ପରିବାର ସହ ଜନ୍ମଦିନ ପାଳନ

ତିନି ପରିବାରକୁ ଦୀପାବଳି ଉପହାର, ୩୦ ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ଜନ୍ମଦିନ ଉତ୍ସବ

କେନ୍ଦ୍ରାପଡ଼ା, ୦୧/୧୧/୨୦୨୬(ଓଡ଼ିଶା ସମାଚାର)- ଆଗାମୀ ଦୀପାବଳି ଅବସରରେ ଅଭିଆରା ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ତିନୋଟି ଅସହାୟ ପରିବାରକୁ ଭେଟି ସେମାନଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବା ସହ ଶାଢ଼ୀ, ମହମବତୀ, ବହି, କଲମ ଓ ଅନ୍ୟାନ୍ୟ ଶିକ୍ଷା ସାମଗ୍ରୀ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଏହି ସମସ୍ତ ଶିଶୁ ପୂର୍ବରୁ ଅଭିଆରା ଫାଉଣ୍ଡେସନର ସହାୟତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସେମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ପାଇଁ ଫାଉଣ୍ଡେସନ ପକ୍ଷରୁ ନିୟମିତ ଭାବେ ପ୍ରତିମାସ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ଏହି ଅବସରରେ ଫାଉଣ୍ଡେସନର ସଦସ୍ୟମାନେ ଗରଦପୁର ବ୍ଲକର ବଙ୍ଗାଳପୁର ଗ୍ରାମର ଛାତ୍ରୀ ସୁକନ୍ୟା ରାଉତଙ୍କ ପରିବାରକୁ ଭେଟିଥିଲେ। ସେହିପରି ଡେରାବିଶ ବ୍ଲକର ଅଢଙ୍ଗା ଗ୍ରାମର ଦୁଇ ପିତୃମାତୃହୀନ ଶିଶୁ ପ୍ରବାସିନୀ ଓ ରୂପାଲି ଜେନାଙ୍କୁ ଭେଟିଥିଲେ। ଉଭୟ ଶିଶୁ ବର୍ତ୍ତମାନ ସେମାନଙ୍କ ଅଭିଭାବିକା ମାଳତୀ ଜେନାଙ୍କ ତତ୍ତ୍ୱାବଧାନରେ ରହୁଛନ୍ତି। ଏହାସହ ଡେରାବିଶ ବ୍ଲକର ଭଗବାନପୁର ଗ୍ରାମର ସ୍ୱର୍ଗତ କୈଳାସ ମଲ୍ଲିକଙ୍କ ପାଞ୍ଚ ସନ୍ତାନ କଲ୍ୟାଣୀ, ବୈଶାଖୀ, ବର୍ଷା, ଜୟନ୍ତୀ ଓ ଓମ୍‌ପ୍ରକାଶ ମଲ୍ଲିକଙ୍କ ପରିବାରକୁ ମଧ୍ୟ ଭେଟି ଦୀପାବଳି ଉପହାର ପ୍ରଦାନ କରାଯାଇଥିଲା।

ଏହି ସେବା କାର୍ଯ୍ୟକ୍ରମରେ ଅଭିଆରା ଫାଉଣ୍ଡେସନର ପ୍ରତିଷ୍ଠାତା ଅଭିମନ୍ୟୁ ମଲ୍ଲିକ, ଓଡ଼ିଶା ସଭାପତି ଉମାକାନ୍ତ ମହାନ୍ତ, ଉପସଭାପତି ମନୋଜ ମଲ୍ଲିକ, ଦିନେଶ ଓ ସୋନାଲିକା ଉପସ୍ଥିତ ରହି ପିଲାମାନଙ୍କ ଓ ସେମାନଙ୍କ ପରିବାର ସହ ସମୟ ବିତାଇଥିଲେ।

ପରେ ଫାଉଣ୍ଡେସନର ଉପସଭାପତି ମନୋଜ ମଲ୍ଲିକଙ୍କ କନ୍ୟା ମାମୁନିଙ୍କ ଜନ୍ମଦିନ ଅବସରରେ ୩୦ ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ କେକ୍ କାଟି ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବିସ୍କୁଟ୍ ଓ ଚକୋଲେଟ୍ ବଣ୍ଟନ କରାଯାଇଥିଲା। ପିଲାମାନଙ୍କ ହସଖୁସି ଓ ଉତ୍ସାହ ମଧ୍ୟରେ ଏହି ଜନ୍ମଦିନ ପାଳନ ଏକ ସ୍ମରଣୀୟ ଅନୁଭୂତି ହୋଇଥିଲା।

ଫାଉଣ୍ଡେସନର ପ୍ରତିଷ୍ଠାତା ଅଭିମନ୍ୟୁ ମଲ୍ଲିକଙ୍କ ବାର୍ତ୍ତା ଅନୁଯାୟୀ, “କେବଳ ଗୋଟିଏ ଦିନର ସହାୟତା ନୁହେଁ, ବରଂ ପିଲାମାନଙ୍କ ଶିକ୍ଷା, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନିରନ୍ତର ସହଯୋଗ କରିବା ଆମର ଲକ୍ଷ୍ୟ। ପ୍ରତ୍ୟେକ ଶିଶୁର ମୁହଁରେ ହସ ଫୁଟାଇବା ଓ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ। ସମଗ୍ର ଅଭିଆରା ପରିବାରର ସହଯୋଗ ଓ ସମର୍ପଣ ଯୋଗୁଁ ଏହି ସେବା କାର୍ଯ୍ୟ ସମ୍ଭବ ହୋଇପାରିଛି।”

ଅଭିଆରା ଫାଉଣ୍ଡେସନ ଶିକ୍ଷା, ଶିଶୁ କଲ୍ୟାଣ, ପ୍ରାକୃତିକ ବିପର୍ଯ୍ୟୟ ସହାୟତା ଓ ଅସହାୟ ପରିବାରମାନଙ୍କ ଉନ୍ନତି ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛି। ଆଗାମୀ ଦିନରେ ମଧ୍ୟ ଏଭଳି ସେବା କାର୍ଯ୍ୟ ଜାରି ରଖିବାକୁ ଫାଉଣ୍ଡେସନ ପକ୍ଷରୁ ସଂକଳ୍ପ ପ୍ରକାଶ କରାଯାଇଛି ।

Leave a Reply

Your email address will not be published. Required fields are marked *